କନକତୋରା : ସୋନିଙ୍କୁ ସମସ୍ତେ ଭୁଲିଗଲେ!

ପାଣିରେ ୫୦ କିମି ଭାସି ଆସିଥିଲା, ସବୁ ପ୍ରତିଶ୍ରୁତି ପାଣିର ଗାର

କନକତୋରା, (ଗୌତମ ସାହୁ) : ଆଜିକୁ ଠିକ୍ ଚାରି ବର୍ଷ ତଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କୁସମେଲ ଗାଁ ହଠାତ ଚର୍ଚ୍ଚାର ପରିଧି ଭିତରକୁ ଚାଲି ଆସିଥିଲା।

ସାରା ଦେଶର ଗଣମାଧ୍ୟମ ପ୍ରତିନିଧି ଧାଇଁଥିଲେ ଏହି ଗାଁକୁ। କାରଣ ଥିଲା ମହାନଦୀରେ ପ୍ରାୟ ୫୦ କିମି ଭାସି ଆସି ଏଇ ଗାଁରେ ଉଦ୍ଧାର ହୋଇଥିଲେ ପଡ଼ୋଶୀ ରାଜ୍ୟର ଜଣେ ନାବାଳିକା ‘ସୋନି’। ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଥାନା ଜେବ୍ରା ଗାଁର ବାପାମା ଛେଉଣ୍ଡ ସୋନି ଯାଦବଙ୍କ ପାଇଁ ଗାଁରେ ଗଣମାଧ୍ୟମ ଓ ସାମାଜିକ ସଂଗଠନ କର୍ମକର୍ତ୍ତାଙ୍କ ଭିଡ଼ ଲାଗିଥିଲା।

କାହାଣୀ ଥିଲା ଏଇଭଳି। ୨୦୧୬ ସେପ୍ଟେମ୍ବର ମାସରେ ସୋନି ଚନ୍ଦ୍ରାସିନୀ ଦେବୀପୀଠକୁ ଦର୍ଶନ ପାଇଁ ଯାଇଥିବାବେଳେ ଦୈବାତ ମହାନଦୀରେ ଖସି ପଡ଼ିଥିଲେ। ଦୁଇ କୂଳ ଖାଉଥିବା ପୂର୍ଣ୍ଣଗର୍ଭା ମହାନଦୀରେ ଭାସି ଭାସି ୫୦ କିଲୋମିଟର ଦୂର କୁସମେଲ ଗାଁ ନିକଟରେ ପହଞ୍ଚି ଯାଇଥିଲେ। ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ତାଙ୍କୁ ଉଦ୍ଧାର କରିଥିଲେ। କହିବାକୁ ଗଲେ ସନ୍ନ୍ୟାସୀଙ୍କ ଦ୍ୱାରା ସେ ପୁନର୍ଜନ୍ମ ପାଇଥିଲେ। ଏହି ଖବର ସେତେବେଳେ କେବଳ ଝାରସୁଗୁଡ଼ା ନୁହେଁ, ସାରା ଓଡ଼ିଶାରେ ଚହଳ ପକାଇଥିଲା। ବନ୍ୟା ଜଳରେ ପ୍ରାୟ ୫୦ କିଲୋମିଟର ଭାସିଯାଇ ଜଣେ ଜୀବିତ ରହିବା କୌଣସି ଚମତ୍କାର ଏବଂ ଅଲୌକିକ କାହାଣୀଠାରୁ କମ୍‌ ନଥିଲା। ଏହି ଘଟଣାରେ ଅଖ୍ୟାତ କୁସମେଲ ଗାଁର ନାଁ ସାରା ଓଡ଼ିଶାବାସୀଙ୍କ ମୁହଁରେ ଥିଲା। ସୋନିଙ୍କ ନିଜ ରାଜ୍ୟ ଛତିଶଗଡ଼ରୁ ବି ବେଶ୍‌ ପ୍ରଶଂସା ଓ ସମ୍ମାନ ଗୋଟାଇଥିଲା ଏହି ଗାଁ ଏବଂ ସୋନିକୁ ଉଦ୍ଧାର କରିଥିବା ସନ୍ନ୍ୟାସୀ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସୋନିଙ୍କୁ ତାଙ୍କ ପୈତୃକ ଗାଁ ଜେବ୍ରାକୁ ନିଆଯାଇଥିଲା। କିନ୍ତୁ ସୋନି ସେଠାରେ ରହିବା ଅପେକ୍ଷା ଯାହାଙ୍କ ପାଇଁ ପୁନର୍ଜନ୍ମ ପାଇଛନ୍ତି, ତାଙ୍କର ଝିଅ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୋନିଙ୍କ ଏହି ଇଚ୍ଛାକୁ ସନ୍ନ୍ୟାସୀ ଓ ତାଙ୍କ ପତ୍ନୀ ଅହଲ୍ୟା ମଧ୍ୟ ଖୁସିର ସହିତ ଗ୍ରହଣ କରିଥିଲେ। ଲିଖିତଭାବେ ତାଙ୍କୁ ପୋଷ୍ୟଝିଅ ଭାବେ ଗ୍ରହଣ କରିଥିଲେ।

ସେତେବେଳେ ନାବାଳିକା (୧୭) ଥିବା ସୋନି ଏବେ ସାବାଳିକା (୨୧) ହୋଇସାରିଛନ୍ତି। ଏହି ଚାରି ବର୍ଷ ମଧ୍ୟରେ ସୋନି ନିଜ ମାତୃଭାଷା ଛତିଶଗଡ଼ିରୁ ଭଲ ଭାବରେ ଓଡ଼ିଆ ମଧ୍ୟ କହି ପାରୁଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଇଛନ୍ତି। କିନ୍ତୁ ଜଳକନ୍ୟାର ଆଖ୍ୟା ପାଇଥିବା ସୋନିଙ୍କୁ ସେତେବେଳେ ଅନେକ ସ୍ବେଚ୍ଛାସେବୀ ଓ ସାମାଜିକ ସଂଗଠନ ଦେଇଥିବା ଗଦାଗଦା ପ୍ରତିଶ୍ରୁତି ଏବେ ମହାନଦୀ‌ ପାଣିରେ ଯେମିତି ମିଳେଇ ଯାଇଛି। ସେତେବେଳେ ବହୁ ସଂଗଠନ ସୋନିଙ୍କୁ ସଭାସମିତିରେ ଉପସ୍ଥାପନ କରାଇ ପରିଚିତ କରାଇଥିଲେ। ଝାରସୁଗୁଡା ଲୋକ ମହୋତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ‌ପ୍ରଦାନ କରିଥିଲେ। ଲଖନପୁର ବ୍ଲକ୍‌ ପକ୍ଷରୁ ମଧ୍ୟ ୨୦ ହଜାର ଟଙ୍କାର ଚେକ୍‌ ମିଳିଥିଲା। ସୋନିଙ୍କ କାହାଣୀ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଭୁବନେଶ୍ୱରର ବିଭିନ୍ନ ସଂଗଠନ ମଧ୍ୟ ଏହି ତାଙ୍କୁ ଡାକି ତାଙ୍କ ସାହସିକତା ଓ ଅଲୌକିକ ଶକ୍ତିର ଗୁଣ ଗାନ କରି ସମ୍ମାନିତ କରିଥିଲେ। ସେ ସମୟରେ ସୋନିଙ୍କୁ ମିଳିଥିଲା ପାଳିତ ପିତାମାତାଙ୍କ ପାଇଁ ଘରଠାରୁ ଆରମ୍ଭ କରି ସୋନିଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସହାୟତା ପର୍ଯ୍ୟନ୍ତ ମାଳମାଳ ପ୍ରତିଶ୍ରୁତି। କିନ୍ତୁ ବର୍ତ୍ତମାନ ଯେମିତି ସମସ୍ତେ ସୋନିଙ୍କୁ ଭୁଲି ଯାଇଛନ୍ତି। ୪ ବର୍ଷ ମଧ୍ୟରେ ପ୍ରତିଶ୍ରୁତି ଦେଇଥିବା ସଂଗଠନ ମଧ୍ୟରୁ କେହି ବି ଥରେ ସୋନି ଓ ତାଙ୍କ ପରିବାରର ଭଲମନ୍ଦ ବୁଝିବାକୁ ଆସିନାହାନ୍ତି। ଏବେ ସୋନି ନିଜ ଘର କାମ ଓ ରୋଷେଇରେ ମା, ବାପାଙ୍କୁ ସାହାଯ୍ୟ କରୁଛନ୍ତି। ଏହା ସହିତ ଘରେ ସିଲେଇ କାମ କରି କିଛି ରୋଜଗାର ମଧ୍ୟ କରୁଛନ୍ତି। ପ୍ରଶାସନ ତରଫରୁ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ନାହିଁ।

ସମ୍ବନ୍ଧିତ ଖବର