ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ! ଏକାଠି ଜଳିଲା ମା’, ଦୁଇପୁଅ ଓ ଝିଅଙ୍କ ଜୁଇ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍‌ ଶ୍ମଶାନରେ ଦେଖିବାକୁ ମିଳିଛି ଏକ ଶୋକାକୂଳ ପରିବେଶ।  ଏକସମୟରେ ଗୋଟିଏ ପରିବାର ୪ଜଣଙ୍କ ଜୁଇ ଜଳିଛି ଶ୍ମଶାନରେ। ଏକାଠି ଜୁଇ ଜଳୁଥିବାର ଦୁଃଖଦ ଘଟଣାକୁ ଦେଖି ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଶ୍ମଶାନରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଖି ଲୁହରେ ଭରି ଯାଇଥିଲା। ଏକାଠି  ମା’, ଦୁଇପୁଅ ଓ ଝିଅଙ୍କ ଜୁଇ ଜଳୁଥିବା ଦେଖି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ କହି ଅଞ୍ଚଳବାସୀ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ୪ ଜଣଙ୍କ ମୃତଦେହକୁ ଉତ୍କଳ ଆଳୀୟା ଖଣ୍ଡାୟତ ସମାଜ, କିଛି ଗ୍ରାମବାସୀ ଓ ମୃତ ଯୁବକଙ୍କ କିଛି ସାଙ୍ଗ ମିଶି ସଂସ୍କାର କରିଥିଲେ।

ସୂଚନାଯୋଗ୍ୟ, ଗତ ଜୁନ୍‌ ୧ ତାରିଖରେ ଘରର ସାନ ପୁଅ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା’ ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୂର୍ବରୁ ଗତକାଲି ଶ୍ରୀକାନ୍ତ ବିଶ୍ୱାଳଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ । ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ । ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଦୁଃଖରେ ପୂରା ପରିବାର ମ୍ରିୟମାଣ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଇ ନ ଥିଲେ।

ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ । ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୁର୍ଭାଗ୍ୟବଶତଃ ଏଥିରେ ମା’ ପୁଷ୍ପାବତୀ, ଝିଅ ପିଙ୍କି ଓ ପୁଅ ଶ୍ରୀକାନ୍ତ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.