ଝାରସୁଗୁଡା: ନଦୀରେ ବୋହି ଯାଉଛି ପାଣି, ଗ୍ରୀଷ୍ମଋତୁ ପାଇଁ ଉଦ୍ୟମ ନାହିଁ 

ବାଲିବନ୍ଧ ନିର୍ମାଣରେ ବିଳମ୍ବ

ଝାରସୁଗୁଡା : ଚଳିତ ବର୍ଷ ଜିଲ୍ଲାରେ ମୌସୁମୀ ବର୍ଷା ଆଦୌ ଉତ୍ସାହ ଜନକ ନଥିଲା। ବର୍ଷାଭାବ ଯୋଗୁଁ ଏଥର ଖରିଫ ଚାଷ ବାଧାପ୍ରାପ୍ତ ହୋଇଛି। ସ୍ବଳ୍ପ ଓ ଅନିୟମିତ ବର୍ଷା ଯୋଗୁଁ  ଖରିଫ ଧାନର ମାନରେ ମଧ୍ୟ ଅବନତି ଘଟିଛି। ଫଳରେ ଧାନ ବିକ୍ରୟ ସମୟରେ ଚାଷୀ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି। ଏବେ ଜିଲ୍ଲାରେ ଧାନକ୍ରୟ ଚାଲିଥିବା ବେଳେ ସବୁ ମଣ୍ଡିରେ ଧାନର ମାନକୁ ନେଇ ବିବାଦ ଲାଗି ରହୁଛି। ଧାନର ମାନ ଠିକ୍‌ ନଥିବାରୁ   କଟ୍‌ନିରେ ଚାଷୀର ବସ୍ତା ପ୍ରତି ୨ ରୁ ୫ କେଜି ଧାନ ନଷ୍ଟ ହେଉଥିବା ବେଳେ ଏଥିରେ ଚାଷୀ ସରକାରୀ ଦରରୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛି। ଏହାର ମୁଖ୍ୟ କାରଣ ଚାଷ ବେଳେ ବର୍ଷାଭାବ।

ଜିଲ୍ଲାରେ ଅନେକ ନଦୀ, ନାଳ ଥିବା ବେଳେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଆବଶ୍ୟକ ସମୟରେ ଚାଷୀ ପାଣି ପାଉନି। ମୌସୁମୀ ବର୍ଷା କମ୍‌ ହେଉଥିଲେ ମଧ୍ୟ ଯେତିକି ହେଉଛି ତାକୁ ଯଦି ସଂରକ୍ଷଣ କରାଯିବାର ସୁବିଧା କରାଯାଇ ପାରନ୍ତା ତେବେ ଜିଲ୍ଲାର ଚାଷୀ ଧାନ ଚାଷରେ କ୍ଷତି ସହନ୍ତା ନାହିଁ। ମୌସୁମୀ ପରେ ଲଘୁଚାଷ ଜନିତ ବର୍ଷା ଯୋଗୁଁ  ମଧ୍ୟ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାର ସବୁ ନଦୀରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ଗତ ଡିସେମ୍ବର ଓ ଜାନୁଆରି ମାସରେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ବହୁ ନଦୀନାଳରେ ଏବେ ପାଣି ଭରି  ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ଡିସେମ୍ବର ମାସରେ ସାଧାରଣ ହାରାହାରି ବୃଷ୍ଟିପାତ ୪.୪ ମିମି ଥିବା ବେଳେ ଗତ ଡିସେମ୍ବର ମାସରେ ଏଥର ୬୪.୩୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜାନୁଆରି ମାସରେ ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ୧୪.୧ ମିମି ହେଉଥିବା ବେଳେ ଏଥର ୬୭.୮୮ ମିମି ବର୍ଷା ମାସର ୧୫ ଦିନ ମଧ୍ୟରେ ହୋଇ ସାରିଲାଣି।

Jharsuguda Live

ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣି ଖନନ ଯୋଗୁଁ ପରିବେଶ ଅସନ୍ତୁଳିତ ହୋଇ ଜୈବ ବିବିଧିତା ନଷ୍ଟ ହେବାରେ ଲାଗିଛି। ଫଳସ୍ବରୂପ ଜିଲ୍ଲାରେ ଅନିୟମିତ ଓ ସ୍ବଳ୍ପ ବର୍ଷା କୃଷି କ୍ଷେତ୍ର ଓ ଜୀବନଧାରଣକୁ ପ୍ରଭାବିତ କରୁଛି। ଜିଲ୍ଲାରେ ପ୍ରବେଶ କରିଥିବା ମହାନଦୀରେ ମଧ୍ୟ ଜାନୁଆରି–ଫେବ୍ରୁଆରି ମାସରୁ  ଜଳ ପ୍ରବାହ କମି ଯାଉଥିବା ଦେଖିବାକୁ ମିଳୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ଓଡ଼ିଶାକୁ ମହାନଦୀ ଜଳ ପ୍ରଭାବ ନେଇ ଏକଦା ଉଠିଥିବା ରାଜନୈତିକ ପ୍ରସଙ୍ଗ ଥଣ୍ଡା ପଡ଼ି ଯାଇଥିବା ବେଳେ ପ୍ରଶାସନ ଜିଲ୍ଲାରେ ଥିବା ଅନ୍ୟ ନଦୀନାଳର ଜଳକୁ ଆଗାମୀ ଗ୍ରୀଷ୍ମ ଦିନ ପାଇଁ ସଂରକ୍ଷଣ କରିବାରେ ବିଫଳ ହୋଇଛି।

ଜିଲ୍ଲାର ଦାନ କୁହାଯାଉଥିବା ଇବ୍‌ନଦୀର ଜଳ କୋଇଲା ଖଣି, ବିଭିନ୍ନ କାରଖାନା ଓ ଚାଷ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରି ଆସୁଥିବା ବେଳେ ମୌସୁମୀ ପରେ ଏହି ନଦୀରେ ବାଲିବନ୍ଧ କରାଯାଇ ପାଣିକୁ ଅଟକାଇ  ଗ୍ରୀଷ୍ମଦିନ ପାଇଁ ସଂରକ୍ଷତି କରି ରଖା ଯାଇଥାଏ। ଫଳରେ ଏହି ସଂରକ୍ଷିତ ପାଣି ୪/୬ ମାସ ଲୋକଙ୍କ ବହୁ କାର୍ଯ୍ୟରେ ଲାଗିଥାଏ। ମାର୍ଚ୍ଚ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଜିଲ୍ଲାରେ  ପ୍ରଚଣ୍ଡ ଗ୍ରୀଷ୍ମ ଲହରି ବେ‌ଳେ ଇବ୍‌ନଦୀରେ ଅଟକା ଯାଇଥିବା ପାଣି ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ। ଏହି ପାଣି ପାନୀୟ ଜଳଠାରୁ ଆରମ୍ଭ କରି ବିଭିନ୍ନ କାମରେ ଲାଗି ଥାଏ। ଖରାଦିନିଆ ପନପରିବା ଚାଷ ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ‌ଏମ୍‌ସିଏଲ୍‌ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ନଦୀର ଗଣ୍ଡଘୋରା ଓ ରାଜପୁର ଦେଓଗାଁ ଅଞ୍ଚଳରେ ଦୁଇଟି ବାଲିବନ୍ଧ ନିର୍ମାଣ କରାଯାଇଥାଏ। ନଦୀରେ ପାଣି ଥିବା ସମୟରେ ବାଲିବନ୍ଧ ନିର୍ମାଣ କଲେ ଏହା ସଫଳ ହୋଇ ଲୋକଙ୍କ କାମରେ ଆସି ପାରନ୍ତା। ଚଳିତ ବର୍ଷ ଏହି ବାଲିବନ୍ଧ ନିର୍ମାଣ କରାଯିବାରେ ବିଳମ୍ବ ହୋଉଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ ଜଳକଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର