ଇବ୍‌ଥର୍ମାଲ: ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ ବନ୍ଧବାହାଲ ଅଞ୍ଚଳରେ ଦିନକୁ ଦିନ ଅସାମାଜିକ ତତ୍ବମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସାଂପ୍ରଦାୟି ଆକ୍ରୋଶ ମଧ୍ୟ ବଢ଼ୁଛି। ଏହାକୁ ନେଇ ବନ୍ଧବାହାଲ ଶାଖା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ବନ୍ଧବାହାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

Advertisment

ବନ୍ଧବାହାଲ ଗଲ୍‌ଫ ପଡ଼ିଆଠାରେ ଥିବା ସଂଘ ଶାଖା ସ୍ଥାନରେ ସକାଳେ ଏକତ୍ରିତ ହୋଇ ସଙ୍ଘ କାର୍ଯ୍ୟକର୍ତ୍ତା ଶାଖା କାର୍ଯ୍ୟ କରନ୍ତି। ଶୁକ୍ରବାର ସକାଳେ ମଧ୍ୟ ସଂଘ କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ। ହେଲେ କେହି ଅସାମାଜିକ ତତ୍ତ୍ବ ସେହି ସ୍ଥାନରେ ବନ୍ଧା ଯାଇଥିବା ଗୈରିକ ରଂଗର ଧ୍ୱଜାକୁ ଛିଣ୍ଡାଇ ଏଣେ ତେଣେ ଫିଙ୍ଗି ଦେଇଥିବା ଦେଖାଯାଇଥିଲା। କିଛି ଖଣ୍ଡ ବିଖଣ୍ଡିତ ଧ୍ୱଜାକୁ ମୋଡି ମକଚି କାଦୁଅ ପରି କିଛି ଅପରିଷ୍କାର ପଦାର୍ଥରେ ଲଟପଟ କରି ଦିଆଯାଇଥିଲା। ଏହା ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ଓ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟିକରି ଅଞ୍ଚଳର ଶାନ୍ତି ଭଙ୍ଗ କରିବା ପାଇଁ ଷଡ଼୍‌ଯନ୍ତ୍ର କରାଯାଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ କରାଯାଇ ଅସାମାଜିକ ତତ୍ତ୍ବଙ୍କ ଉପରେ ତୀଖ୍ଣ ଦୃଷ୍ଟି ରଖାଯାଉ ଓ ବଡ ଅଘଟଣ ଘଟିବା ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ପୁଲିସକୁ ନିବେଦନ କରାଯାଇଛି।

ଶୁକ୍ରବାର ଦିନ ଫାଣ୍ଡି ଅଧିକାରୀ ରବିଶଂକର ଭଇସାଲଙ୍କୁ ଅଭିଯୋଗପତ୍ର ଦେବାପରେ ସଂଘ କର୍ମକର୍ତ୍ତା ଫାଣ୍ଡି ସମ୍ମୁଖରେ ହିନ୍ଦୁ ଧର୍ମର ସ୍ଳୋଗାନ୍‌ ଦେଇଥିବା ଦେଖା ଯାଇଛି। ଖବରପାଇ ବନହରପାଲି ଥାନା ଅଧିକାରୀ ରଶ୍ମିତା ବେହେରା ବନ୍ଧବାହାଲ ଫାଣ୍ଡି ଆସି ସଂଘ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ଅଭିଯୋଗର ନକଲ ରାଜ୍ୟ ଗୃହମନ୍ତ୍ରୀ, କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ଝାରସୁଗୁଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ପ୍ରଦାନ କରା ଯାଇଛି। ଏ ସଂକ୍ରାନ୍ତରେ ଆଇଆଇସି ଶ୍ରୀ ବେହେରାଙ୍କୁ ପଚାରିବାରୁ ଆମେ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛୁ ବୋଲି କହିଥିଲେ।