ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦର ଜୁନ୍ ୧୪ରୁ କାର୍ଯ୍ୟକ୍ଷମ ହେବାର ଥିଲା। ଏହାପରେ କୁହାଗଲା ପ୍ରଧାନମନ୍ତ୍ରୀ ଜୁଲାଇ ୫ରେ ବିମାନବନ୍ଦର ଉଦ୍ଘାଟନ କରିବେ। କିନ୍ତୁ ବିମାନବନ୍ଦର କେବେ କାର୍ଯ୍ୟକ୍ଷମ ହେବ ସେନେଇ ଏବେ କେହି ବି ଠିକ୍ ଭାବେ କହିପାରୁନାହାନ୍ତି। ‘ଉଡ଼ାଣ’ ଯୋଜନାରେ ବିମାନ ଚଳାଚଳ କରିବା ପାଇଁ ଏମ୍ଓୟୁ ଶେଷ ହୋଇଥିବାବେଳେ ସମସ୍ତ ପ୍ରକାରର ପରୀକ୍ଷା ନିରୀକ୍ଷା ସରିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ବି ବିମାନବନ୍ଦର କେବେଠୁ ଉଡ଼ାଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ତାହା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିପାରୁନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଝାରସୁଗୁଡ଼ାରେ ନିର୍ମାଣ ହେଉଥିବା ବିମାନବନ୍ଦରରେ ରାଜ୍ୟ ସରକାର କ’ଣ ଯୋଗାଇବେ, ଏଏଆଇ କ’ଣ ଯୋଗାଇବ ସେନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ରାଜ୍ୟ ସରକାର ଏମ୍ଓୟୁ ଅନୁଯାୟୀ, ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ସାରିଲେଣି। କିନ୍ତୁ ଏଏଆଇ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ଶେଷ କରିପାରିନାହାନ୍ତି। ଯେଉଁଥିପାଇଁ ଝାରସୁଗୁଡ଼ା ବିମାନବନ୍ଦର ଉଦ୍ଘାଟନ ହୋଇପାରୁନି ବୋଲି ଜଣାପଡ଼ିଛି।
ବର୍ତ୍ତମାନ ଝାରସୁଗୁଡ଼ା ବିମାନବନ୍ଦରରେ କେବଳ ଦିନ ସମୟରେ ବିମାନ ଅବତରଣ କରିବା, ପାଗ ଭଲ ଥିଲେ ଅବତରଣ କରିବା ସୁବିଧା ଅଛି। ଏହିଭଳି ଭିତ୍ତିଭୂମିରେ ଏକ ପୂର୍ଣ୍ଣକାଳୀନ ବିମାନବନ୍ଦର ମାନ୍ୟତା ମିଳିବା ଅସମ୍ଭବ ହୋଇଥିବାରୁ ଏଏଆଇ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇବାକୁ କୁହାଯାଇଛି।
ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗର ଅତିରିକ୍ତ ସଚିବ ପି.କେ ବିଶ୍ୱାଳ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଛନ୍ତି ଯେ, ଝାରସୁଗୁଡ଼ା ବିମାନବନ୍ଦର ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ, ରାଜ୍ୟ ସରକାର ବିମାନବନ୍ଦରକୁ ପାଣି ଓ ବିଦ୍ୟୁତ ସଂଯୋଗ ଦେଇସାରିଲେଣି। ବିମାନବନ୍ଦରର ବାହାର ପାର୍ଶ୍ୱ ଓ ଆଖାପାଖ ଅଞ୍ଚଳ ପାଇଁ ସୁରକ୍ଷା କର୍ମୀ ବି ନିୟୋଜିତ କରିସାରିଲେଣି। ଏପରିକି ଚୁକ୍ତିରେ ଅଗ୍ନିଶମ ଅଧିକାରୀ ନିୟୋଜନ କରିବା ନଥିଲେ ବି ତାହା ବି ରାଜ୍ୟ ସରକାର ଯୋଗାଇ ସାରିଲେଣି। କିନ୍ତୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ଭିତର ଅଞ୍ଚଳ ପାଇଁ ଅଗ୍ନିଶମ ଅଧିକାରୀ, ଆଭ୍ୟନ୍ତରୀଣ ସୁରକ୍ଷାକର୍ମୀ ଯୋଗାଇ ନାହାନ୍ତି। ରାତିରେ ବିମାନ ଅବତରଣ କରିବା ପାଇଁ ଆବଶ୍ୟକୀୟ ସିଗନାଲ୍, ଲାଇଟ୍, କର୍ମଚାରୀ, ବିମାନ ପାର୍କିଂ ବ୍ୟବସ୍ଥା ବି ହୋଇନି। ଏପରିକି ପାଗ ଟିକେ ଖରାପ ହେଲେ ପାଇଲଟ୍ଙ୍କୁ ସୂଚନା ଦେବା ଏବଂ ସୁରକ୍ଷିତ ଭାବେ ବିମାନ ଅବତରଣ ପାଇଁ କିଛି ବ୍ୟବସ୍ଥା କରାଯାଇନି। ଏହାକୁ ତୁରନ୍ତ କରିବାକୁ ରାଜ୍ୟ ସରକାର ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।