ଝାରସୁଗୁଡ଼ା ବିମାନ ବନ୍ଦର: ଭୁବନେଶ୍ବର ରୁଟ୍‌ ପାଇଁ ୧୦ ଦିନ ବଢ଼ିଲା

ଝାରସୁଗୁଡ଼ା: ମଙ୍ଗଳବାର ବିମାନ ବନ୍ଦରଗୁଡ଼ିକ ପାଇଁ ୱିଣ୍ଟର ସିଡ୍ୟୁଲ୍‌ ପ୍ରକାଶ ପାଇଛି। ଯେଉଁଥିରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବର୍ତ୍ତମାନ ଉଡ଼ାଣ କରୁଥିବା ସ୍ପାଇସ୍ ଜେଟ୍‌, ଆଲାଏକ୍ସ ଏୟାର ଓ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଗୋର ବିଭିନ୍ନ ବିମାନ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସିଡ୍ୟୁଲ୍‌ରେ ଆଲାଏନ୍ସ ଏୟାରର ଭୁବନେଶ୍ବର ରୁଟ୍‌କୁ ସାମିଲ୍‌ କରାଯାଇ ନ ଥିଲେ ମଧ୍ୟ ଲୋକଙ୍କ ଚାହିଦା ଓ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଆସନ୍ତା ୧୦ ତାରିଖ ଯାଏ ଆଲାଏନ୍ସ ଏୟାର ଏହି ସେବାକୁ ସମ୍ପ୍ରସାରିତ କରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ଶୀତକାଳୀନ ସାରଣୀ ଅନୁସାରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଶାଖାପାଟଣାକୁ ନୂଆ ରୁଟ୍‌ ଖୋଲିଛି। ସ୍ପାଇସ୍‌ ଜେଟ୍‌ର ହାଇଦ୍ରାବାଦ୍‌ ରୁଟ୍‌ ଏହି ୱିଣ୍ଟର ସିଡ୍ୟୁଲ୍‌ରୁ ବନ୍ଦ ହୋଇଯାଇ ଥିବାବେଳେ ବିଶାଖାପାଟଣାକୁ ଯୋଡ଼ା‌ଯାଇଛି। କିନ୍ତୁ ବିଶାଖାପାଟଣା ରୁଟ୍‌ରେ କେବେଠାରୁ ବିମାନ ଉଡ଼ିବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ବିଶାଖାପାଟଣା ରୁଟ୍‌ ଆରମ୍ଭ ‌ହେଲେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇ‌ସ୍ ଜେଟ୍‌ ଦିଲ୍ଲୀ, କୋଲକାତା ଓ ବିଶାଖାପାଟଣା ରୁଟ୍‌ରେ ଚଳାଚଳ କରିବ। ଆଲାଏନ୍ସ ଏୟାରର ଭୁବନେଶ୍ବର ରୁଟ୍‌କୁ ବାଦ୍‌ ଦେଲେ କୋଲକାତା ରୁଟ୍‌ରେ ବିମାନ ଚଳାଚଳ ଜାରି ରହିବ। ଆସନ୍ତା ୫ ତାରିଖରୁ ଇଣ୍ଡିଗୋ ଏହାର ସେବା ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ କୋଲକାତା ଓ ବେଙ୍ଗାଲୁରୁ ରୁଟ୍‌କୁ ସ୍ଥାନିତ କରାଯାଇଛି। ଅର୍ଥାତ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଶାଖାପାଟଣାକୁ ନୂଆ ରୁଟ୍‌ ଖୋଲିବାକୁ ଯାଉଥିବା ବେଳେ କୋଲକାତାକୁ ଦୈନିକ ୩ଟି ବିମାନ ଚଳାଚଳ କରିବ।

ସମ୍ବନ୍ଧିତ ଖବର