ବୀର ସୁରେନ୍ଦ୍ର ସାଏଙ୍କ ନାମରେ ହେଉ ଝାରସୁଗୁଡ଼ା ବିମାନ ବନ୍ଦର

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନ ବନ୍ଦରକୁ ମୁକ୍ତି ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କ ନିକଟକୁ ବିଧିବଦ୍ଧ ପ୍ରସ୍ତାବ ପଠାଇଛନ୍ତି। ମୁଖ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହି ବିମାନ ବନ୍ଦରର ନାମିତ କରିବା ଲାଗି ବରଗଡ଼ର ସାଂସଦ ପ୍ରଭାସ କୁମାର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ମଧ୍ୟ ସାଂସଦଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ କେନ୍ଦ୍ର ନାମିତ କରୁ ବୋଲି ରାଜ୍ୟ ସରକାରଙ୍କ ଏକାନ୍ତ ଇଚ୍ଛା। ଏ ସଂକ୍ରାନ୍ତରେ ସାଂସଦ ଶ୍ରୀ ସିଂହ ମଧ୍ୟ ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସ୍ତାବକୁ ମାନି ନିଆଗଲେ ତାହା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର