ପାଗ ଖରାପ: ଝାରସୁଗୁଡ଼ାରେ ଓହ୍ଲାଇ ପାରିଲାନି ବିମାନ, ଦିଲ୍ଲୀ ଫେରିଗଲା

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସଂପୂର୍ଣ୍ଣ ଭାବରେ ଲୋକଙ୍କ ସେବାରେ ଆସି ପାରୁନାହିଁ। ସାମାନ୍ୟ ବର୍ଷା ହେଲେ ବିମାନ ସେବା ପ୍ରଭାବିତ ହେଉଥିବାରୁ ଲୋକେ ଏବେ ଏଠାରୁ ବିଭିନ୍ନ ସ୍ଥାନକୁ ଟିକେଟ ସଂରକ୍ଷଣ କରିବାକୁ ପଛଘୁଞ୍ଚା ଦେବା ଆରମ୍ଭ କରିଛନ୍ତି। ଗୁରୁବାରଠାରୁ ଝାରସୁଗୁଡ଼ାରେ କୋହଲା ପାଗ ସହିତ ଝିପିଝିପି ବର୍ଷା ଯୋଗୁଁ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଶୁକ୍ରବାର ଦିଲ୍ଲୀରୁ ଆସୁଥିବା ସ୍ପାଇସ ଜେଟ୍‌ର ୧୮୦ ଆସନ ବିଶିଷ୍ଟ ଏସ୍‌ଜି-୮୯୬୮/୮୯୬୯ ବୋଇଂ- ୭୩୭ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାରେ ବିଫଳ ହୋଇ ପୁଣି ଦିଲ୍ଲୀ ଫେରିଯିବାକୁ ବାଧ୍ୟ ହୋଇଥିଲା। ଆଜି ଅପରାହ୍‌ଣ ୩. ୩୦ମି.ରେ ଏହି ବିମାନ ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା। ମାତ୍ର ପାଗ ଖରାପ ଯୋଗୁଁ ବିମାନବନ୍ଦରର ରନ୍‌ୱେ ଦୃଶ୍ୟମାନ ହୋଇ ନଥିଲା। ଫଳରେ ଝାରସୁଗୁଡ଼ା ଆକାଶରେ ବିମାନଟି କିଛି ସମୟ ଚକ୍କର କାଟିବା ପରେ ସେଠାରୁ ବାରାଣସୀ ଯାଇଥିଲା। ସେଠାରେ ଅବତରଣ ପରେ ପୁଣି ଝାରସୁଗୁଡ଼ା ଆସିଥିଲା। କିନ୍ତୁ ପୁଣି ଦୃଶ୍ୟମାନ ନ ହେବାରୁ ପାଇଲଟ ତାକୁ ଦିଲ୍ଲୀ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ବିମାନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଛତିଶଗଡ଼ ଅଞ୍ଚଳକୁ ଆସୁଥିବା ଯାତ୍ରୀ ନିରାଶ ହେବା ସହିତ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ତେବେ ଛୋଟ ବିମାନ ଏଆରଟି-୭୨ ଓ କ୍ୟୁ-୪୦୦ ଏଠାରେ ଅବତରଣ କରିବାରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉ ନଥିବା ବିମାନବନ୍ଦର ପକ୍ଷରୁ କୁହାଯାଇଛି। ଆଜି ପାଗ ଖରାପ ସତ୍ତ୍ବେ କୋଲକାତାରୁ ବିମାନ ଆସିଥିବା ବେଳେ ହାଇଦ୍ରାବାଦ ଓ ଭୁବନେଶ୍ବରକୁ ବିମାନ ଯାତ୍ରା କରିଛି। ସନ୍ଧ୍ୟାରେ ଭୁବନେଶ୍ବରରୁ ଆସି କୋଲକାତା ଯାଉଥିବା ବିମା‌ନଟି ଖବର ଲେଖାଯିବା ପର୍ଯ୍ୟନ୍ତ ପହଞ୍ଚି ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର