ଝାରସୁଗୁଡ଼ା ବିମାନବନ୍ଦରରେ ଅବ୍ୟବସ୍ଥା : ବାରମ୍ବାର ବିମାନ ବାତିଲ ନେଇ ଯାତ୍ରୀ ବିମୁଖ

ଝାରସୁଗୁଡା : ଝାରସୁଗୁଡ଼ାରେ ଥିବା ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ କରି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବ୍ୟବସ୍ଥା ଦେଖାଦେଇଛି। ଏହି ବିମାନବନ୍ଦର ପ୍ରତି ଏବେ ଯାତ୍ରୀ ବିମୁଖ ହେଉଛନ୍ତି। ଏଠାରୁ ନିୟମିତ ବିମାନ ଯାତ୍ରା କରୁଥିବା ବହୁ ଯାତ୍ରୀ ଏବେ ଝାରସୁଗୁଡ଼ା ପରିବ‌ର୍ତ୍ତେ ରାୟପୁର ମୁହାଁ ହୋଉଛନ୍ତି।  ଉଡ଼ାନ ଯୋଜନାରେ ସ୍ଥାପନ ହୋଇଥିବା ଏହି ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଦୀର୍ଘ ଦିନ ପରେ ଏଠାରୁ ନିୟମିତ ବିମାନ ସେବା ଆରମ୍ଭ ହୋଇଥିଲା। ତେବେ ସ୍ବୟଂ ସଂପୂର୍ଣ୍ଣ ବ୍ୟବସ୍ଥା ନଥିବାରୁ  ସେତେବେଳେ ସାମନ୍ୟ ଖରାପ ପାଗ ହେଲେ ବିମାନ ବାତିଲ ହେଉଥିଲା।

ପରେ ଏହାର ସମାଧାନ ପାଇଁ ବିମାନବନ୍ଦରରେ ଆଇଏଲ୍‌ଏସ୍‌  ବା ଇନ୍‌ଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍‌ କାର୍ଯ୍ୟକ୍ଷମ କରାଯାଇଥିଲା। ଏହି ବ୍ୟବସ୍ଥା  ଅତି ଖରାପ ପାଗରେ ମଧ୍ୟ ବିମାନ ଉଡ଼ାଣ ଓ ଅବତରଣରେ କୌଣସି ପ୍ରତିବନ୍ଧକ କରିପାରେ ନାହିଁ। ଫଳରେ ଏହି ବିମାନବନ୍ଦରରୁ ନିୟମିତ ବିମାନ ଉଡ଼ାଣ କରିଥିଲା। ‌ସ୍ପାଇସଜେଟ୍‌ ଓ ଏଲାଏନ୍‌ସ ଏୟାର ଏଠାରୁ ଯାତ୍ରୀ ସେବା ଯୋଗାଇ ଆସୁଛି। ଏଲାଏନ୍‌ସ ଏୟାର ରାୟପୁର, କୋଲକାତା, ଭୁବନେଶ୍ବରକୁ ସେବା ଯୋଗାଉଥିବା ବେଳେ ସ୍ପାଇସ୍‌ଜେଟ୍‌  ହାଇଦ୍ରାବାଦ, ଦିଲ୍ଲୀ, ବାଙ୍ଗାଲୁର, ଚେନ୍ନାଇ, ମୁମ୍ବାଇ, ପାଟନା ପ୍ରଭୃତି ସହରକୁ ବିମାନ ସେବା ଯୋଗାଉଥିବା ବେ‌ଳେ ଏବେ ଚେନ୍ନାଇ, ମୁମ୍ବାଇ, ପାଟନା ବିମାନ ସେବା ବନ୍ଦ ହୋଇଯାଇଛି।

ମୁମ୍ବାଇ, ବାଙ୍ଗାଲୁର ବିମାନ ସେବା ୧୨.୧.୨୨ରେ ଆରମ୍ଭ ହୋଇଥିବା ବେଳେ ମାତ୍ର କିଛିଦିନ ଚାଲିବା ପରେ ମୁମ୍ବାଇ ବିମାନ ବନ୍ଦ ହୋଇଯାଇଥିଲା। ସେହିପରି ପାଟ୍‌ନା ଦେଇ ଗୌହାଟି ଯାଉଥିବା ବିମାନ ସେବା ୧.୫.୨୧ରେ ଆରମ୍ଭ ହୋଇ କିଛି ଦିନ ପରେ ବନ୍ଦ ହୋଇ ଯାଇଥିଲା। ଚେନ୍ନାଇ ବିମାନ ସେବା ମଧ୍ୟ ୨.୪.୨୧ରେ ଆରମ୍ଭ ହୋଇ କିଛିଦିନ ପରେ ବନ୍ଦ ହୋଇ ଯାଇଥିଲା। ଏଲାଏନ୍‌ସ ଏୟ‌ାର ପକ୍ଷରୁ  ୭୦ ସିଟ୍‌ ବିଶିଷ୍ଟ ଗୋଟିଏ ଛୋଟ ବିମାନ କୋଲକାତାରୁ ଆସି ଭୁବନେଶ୍ବର, ଭୁବନେଶ୍ବରରୁ ଆସି ରାୟପୁର, ରାୟପୁରରୁ ଆସି ପୁଣି କୋଲକାତା ଫେରିଯାଉଛି। ‌

ଝାରସୁଗୁଡ଼ାରୁ ଭୁବନେଶ୍ବର ଯିବା ପାଇଁ ବହୁଯାତ୍ରୀ ଥିବା ବେଳେ ବିମାନ ସେବା ସମୟ ଠିକ୍‌ ନଥିବାରୁ ଏହା ଯାତ୍ରୀମାନଙ୍କୁ ଆକୃଷ୍ଟ କରି ପାରୁନାନିଁ। ଝାରସୁଗୁଡ଼ାଠାରୁ ସକାଳେ ଭୁବନେଶ୍ବର ଓ ଭୁବନେଶ୍ବରଠାରୁ  ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ସେବା ଥିଲେ ବହୁଯାତ୍ରୀ ଭୁବନେଶ୍ବର ଯାଇ ଗୋଟିଏ ଦିନ କାମ କରି ଫେରି ଆସନ୍ତେ। ତେବେ ଭୁବନେଶ୍ବରକୁ  ଅପରାହ୍ନରେ ବିମାନ ଯାଉଥିବା ଓ ଅଧଘଣ୍ଟା ପରେ ଫେରି ଆସୁଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ସୁବିଧାଜନକ ହେଉ ନାହିଁ। ସେହିପରି ପଶ୍ଚିମ ଓଡ଼ିଶାରୁ ବେଙ୍ଗାଲୁରୁ ବିମାନ ସେବା ସପ୍ତାହକୁ  ୩ ଦିନ ଥିବା ବେଳେ ଏହା ମଧ୍ୟ ବାତିଲ ହୋଇ ଯାଉଛି। ଆଜି ମଧ୍ୟ ଅଳ୍ପ ସଂଖ୍ୟକ ଯାତ୍ରୀ ଥିବାରୁ ବେଙ୍ଗାଲୁରୁ ବିମାନ ବାତିଲ ହୋଇ ଯାଇଥିଲା।

ବହୁ ଦିନରୁ ଟିକେଟ୍‌ ବୁକିଂ କରି ଯାତ୍ରୀମାନେ ବିଭିନ୍ନ ଜରୁରୀ କାମରେ ବେଙ୍ଗାଲୁରୁ ଯିବାକୁ ବାହାରିଥିବା ବେଳେ ହଠାତ୍‌ ବିମାନ ସେବା ବାତିଲ ଯାତ୍ରୀଙ୍କୁ ଗୁରୁତର ଅସୁବିଧାରେ ପକାଉଛି। ବହୁ ଛାତ୍ରଛାତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା, ନୂଆ ଚାକିରିରେ ଯୋଗଦାନ, ବିଭିନ୍ନ ମେଡିକାଲରେ ଅପରେସନ ପାଇଁ ଦିନ ଧାର୍ଯ୍ୟ ଭଳି ଜରୁରୀ କାର୍ଯ୍ୟ ଥିବାବେଳେ ବିମାନ ବାତିଲ ଯାତ୍ରୀଙ୍କୁ ଅଡ଼ୁଆରେ ପକାଉଛି। କେବଳ ଯେ ବେଙ୍ଗାଲୁରୁ ନୁହେଁ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଭଳି ସହରକୁ ଚଳାଚଳ କରୁଥିବା ବିମାନ ବାତିଲ ହୋଇ ଯାଉଛି।

ଝାରସୁଗୁଡ଼ା ବିମାନ ବନ୍ଦର ଉପରେ ସାରା ପଶ୍ଚିମ ଓଡ଼ିଶା ସମେତ, ଛତିଶଗଡ଼ର କିଛି ଅଞ୍ଚଳ ଓ ଝାରଖଣ୍ଡରୁ ଯାତ୍ରୀ ନିର୍ଭର କରିଥା’ନ୍ତି। ମାତ୍ର ବାରମ୍ବାର ବିମାନ ବାତିଲ ଯୋଗୁଁ  ଏବେ‌ ଏହି ବିମାନବନ୍ଦର ଉପରେ ଯାତ୍ରୀଙ୍କ ଆସ୍ଥା ଦିନକୁ ଦିନ ତୁଟି ଯିବାରେ ଲାଗିଛି। ଏଥିଯୋଗୁଁ  ଯାତ୍ରୀ ସଂଖ୍ୟା କମିବା ସ୍ବାଭାବିକ। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୮ ଓ ୯ ତାରିଖରେ ଦିଲ୍ଲୀ, ବେଙ୍ଗାଲୁରୁ, ୧୦ ତାରିଖରେ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ୧୧ ତାରିଖରେ କୋଲକାତା, ୧୨ ତାରିଖରେ ବେଙ୍ଗାଲୁରୁ, ୧୩  ତାରିଖରେ ଦିଲ୍ଲୀ ଓ ବେଙ୍ଗାଲୁରୁ, ୧୪ ତାରିଖରେ ବେଙ୍ଗାଲୁରୁ, ୧୬ ତାରିଖରେ କୋଲକାତା, ୧୭ ତାରିଖରେ କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁରୁ, ୧୮, ୧୯, ୨୦, ୨୨ ଓ ୨୩ ତାରିଖରେ ବେଙ୍ଗାଲୁରୁକୁ ଏବଂ ୨୧ ତାରିଖରେ ହାଇଦ୍ରାବାଦ ଓ ୨୨ ତାରିଖରେ ଦିଲ୍ଲୀକୁ ସ୍ପାଇସଜେଟ୍‌ର ବିମାନ ବାତିଲ ହୋଇଛି।

ଏକଦା କୋଭିଡ ସମୟରେ ଲକ୍‌ଡାଉନ୍‌ ଥିବା ସତ୍ତ୍ବେ ଝାରସୁଗୁଡ଼ା ବିମାନବନ୍ଦରରୁ ଯାତ୍ରୀ ସେବା କମି ନଥିବା କାରଣରୁ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ାଠାରେ ଅନୁଷ୍ଠିତ ଉଡ଼ାନ ଉତ୍ସବରେ ପ୍ରଶଂସା କରିଥିବା ବେଳେ ଏବେ ଗୋଟିଏ ପରେ ପରେ ଗୋଟିଏ ବିମାନସେବା ବନ୍ଦ ସହିତ ହଠାତ ବାତିଲ ଯାତ୍ରୀ ଓ ଏହି ଅଞ୍ଚଳର ଲୋକଙ୍କୁ ବ୍ୟଥିତ କରିଛି। ଆସନ୍ତା ମାର୍ଚ୍ଚ ପହିଲାରୁ ମୁମ୍ବାଇ ଓ ଦିଲ୍ଲୀକୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ ବୋଲି କୁହାଯାଉଛି। କିଛିଦିନ ତ‌ଳେ ଇଣ୍ଡିଗୋ ମଧ୍ୟ ଏଠାରୁ ବିମାନସେବା ଯୋଗାଇ ଦେବାକୁ ସ୍ଲଟ ବୁକ୍‌ କରିଥିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଥିଲେ। ଅଧିକ ବିମାନ ରହିବା ପାଇଁ ମଧ୍ୟ ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ବିମାନ ସେବାରେ ଅନିୟମିତତା ଯୋଗୁଁ  ବିମୁଖ ହୋଇ ରାୟପୁର ମୁହାଁ ଯାତ୍ରୀଙ୍କ ବିଶ୍ବାସଭାଜନ ହେବା ଓ ବିମାନ ସେବା ନିୟମିତ କରିବା ପାଇଁ  ସ୍ଥାନୀୟ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ଏହା ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର