ଜୁଲାଇ ୫ରେ ଖୋଲିପାରେ ଝାରସୁଗୁଡ଼ା ବିମାନବନ୍ଦର

ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଉଡ଼ାନ୍‌ ଯୋଜନାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଆପାତତଃ ଶେଷ ହୋଇଛି। ଆସନ୍ତା ଜୁଲାଇ ୫ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍‌ ୨୦ରେ ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀକୁ ନଜରରେ ରଖି ଜୁଲାଇ ୫ରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ। ୯୦୯.୨୨ ଏକରରେ ନିର୍ମିତ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ୧୭୫କୋଟି ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ସରକାର ଏଥିପାଇଁ ୫୦କୋଟି ଦେଇଛନ୍ତି। ବିମାନବନ୍ଦରଟି ୩୨୦ ଏୟାର ବସ୍‌ ପର୍ଯ୍ୟନ୍ତ ବିମାନ ଉଡ଼ାଣ ପାଇଁ ସକ୍ଷମ ହେବ ବୋଲି କୁହାଯାଇଛି।

ଏୟାର ଓଡ଼ିଶା ଉଡ଼ାନ୍‌ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ ଥିବାବେଳେ ଏଠାରୁ ଭୁବନେଶ୍ୱର, ରାଞ୍ଚି ଓ ରାୟପୁରକୁ ବିମାନ ଉଡ଼ାଣ କରିବ। ଏଥିପାଇଁ ଏୟାର ଏସିଆ ୨୧ସିଟ୍‌ ବିଶିଷ୍ଟ ଦୁଇ ଇଞ୍ଜିନର ବିଚ୍‌କ୍ରାଫ୍ଟ ଏୟାରକ୍ରାଫ୍ଟ (୧୯୯୦ଡି)କିଣିଛି। ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ନେଇ ତାରିଖ ଆପାତତଃ ସ୍ଥିର ହୋଇଥିବାବେଳେ ରାଉରକେଲା ବିମାନବନ୍ଦରକୁ ମଧ୍ୟ ଏହି ସମୟରେ ଉଦ୍‌ଘାଟନ କରିବାକୁ ଯୋଜନା ହେଉଛି। ଅପରପକ୍ଷେ ଉଡ଼ାନ୍‌ ଯୋଜନାରେ ଅନ୍ୟ ଦୁଇ ଏୟାରଷ୍ଟ୍ରିପ୍‌ ଉତ୍‌କେଲା ଓ ଜୟପୁରରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଜୟପୁର ଏୟାରଷ୍ଟ୍ରିପ୍‌ ପାଇଁ ଭୁବନେଶ୍ୱର ବିମାନବନ୍ଦରର ଜଣେ ପୂର୍ବତନ ଅଧିକାରୀଙ୍କୁ ଓଏସ୍‌ଡି ଭାବେ ଦାୟିତ୍ୱ ଦିଆଯାଇଛି। ଉତ୍‌କେଲା ଏୟାରଷ୍ଟ୍ରିପ୍‌ରେ ରନେଓ୍ଵ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ପ୍ରଶାସନିକ ବିଲଡିଂ, ଟର୍ମିନାଲ ବିଲଡିଂ ପାଇଁ ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଏହାକୁ ତୁରନ୍ତ ସମାଧାନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର