ଝାରସୁଗୁଡ଼ା: ଝାରସୁଗୁଡ଼ାର ‘ଝାର୍’ ବା ଜଙ୍ଗଲ ପରିବର୍ତ୍ତେ ଏବେ କେବଳ ‘ଖାର୍’ ବା ପାଉଁଶ ଦେଖିବାକୁ ମିଳୁଥିବାରୁ ଲୋକେ ତାଚ୍ଛଲ୍ୟ କରି ‘ଝାରସୁଗୁଡ଼ା’କୁ ‘ଖାର୍ସୁଗୁଡ଼ା’ ବୋଲି ବି କହିବାକୁ ଲାଗିଲେଣି। ଏହାସତ୍ତ୍ବେ ବି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଲିଖିତ ଅଭିଯୋଗ ଅପେକ୍ଷାରେ ରହିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି। ୪୯ ନମ୍ବର ଜାତୀୟ ରାଜପଥର ଏଚ୍. କଟାପାଲିସ୍ଥିତ ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ ଜମିରେ ହେଉ ବା ବିଜୁ ଏକ୍ସପ୍ରେସ୍-ୱେ କଡ଼ରେ ହେଉ, ଗତ କିଛିଦିନ ହେବ ମନଇଚ୍ଛା ପାଉଁଶ ଡମ୍ପିଂ କରାଯାଉଥିବାର ଚିତ୍ର ସାମ୍ନାକୁ ଆସୁଛି। ଏମିତିକି, ଝାରସୁଗୁଡ଼ାରେ ଆଉ ପାଉଁଶ ପକାଇବାକୁ ଜାଗା ନଥିବାରୁ ଏଠାରୁ ପଡ଼ୋଶୀ ଜିଲ୍ଲା ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀରକୁ ମଧ୍ୟ ପାଉଁଶ ଚାଲାଣ କରାଯାଉଥିବା ଜଣାପଡ଼ିଛି। ତେବେ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଆଦି ସ୍ଥାନକୁ ପାଉଁଶ ନେଇ ଫିଙ୍ଗିବା ବ୍ୟୟ ବହୁଳ ହୋଇଥିବାରୁ ରାତିଅଧିଆ ରାସ୍ତା କଡ଼ରେ ପାଉଁଶ ଭର୍ତ୍ତି ହାଇୱାକୁ ଖାଲି କରିଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ, ସାମାନ୍ୟ ପବନରେ ବି ପାଉଁଶ ଉଡ଼ି ରାସ୍ତାରେ ଯାଉଥିବା ଲୋକଙ୍କ ଶରୀରରେ ପଡ଼ିବା ସହିତ ସେମାନଙ୍କ ଶ୍ବାସକ୍ରିୟା ଯୋଗେ ଶରୀର ଭିତରକୁ ପ୍ରବେଶ କରୁଛି।
ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ବେଆଇନ ପାଉଁଶ ଡମ୍ପିଂ ଯୋଗୁଁ କେବଳ ଯେ ମୃତ୍ତିକା ପ୍ରଦୂଷଣ ହେଉଛି ତାହା ନୁହେଁ। ବରଂ, ଜଳ ଓ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି। ସାଧାରଣତଃ ଶ୍ବାସକ୍ରିୟା ପାଇଁ ବ୍ୟବହାରଯୋଗ୍ୟ ବାୟୁରେ ପିଏମ୍ ୨.୫ ସ୍ତରର ପ୍ରଦୂଷଣର ମାତ୍ରା ପ୍ରତି ଘନମିଟର ପିଛା ୨୫ ମାଇକ୍ରୋଗ୍ରାମ୍ ରହିବା କଥା। ଝାରସୁଗୁଡ଼ାରେ ଏହି ପ୍ରଦୂଷଣର ମାତ୍ରା ପାଖାପାଖି ୩ ଗୁଣା ଅର୍ଥାତ୍ ୭୧ ମାଇକ୍ରୋଗ୍ରାମ୍ ରହିଛି। ଅର୍ଥାତ୍ ଏହି ବାୟୁକୁ ସିଧାସଳଖ ଭାବେ ଶ୍ବାସକ୍ରିୟାରେ ଗ୍ରହଣ କରିବା ଦୈନିକ ୩ଟି ସିଗାରେଟ୍ ଟାଣିବା ସହ ସମାନ। ଏହି ପାଉଁଶମିଶା ବାୟୁ ଯେ ମନୁଷ୍ୟ ଶରୀର ଭିତରେ କେବଳ କ୍ଷତି କରୁଛି ତାହା ନୁହେଁ, ବରଂ ଆସ୍ ପରିବହନ ହେଉଥିବା ରୁଟ୍ରେ ରହୁଥିବା ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ନେଇ ବି ଅଭିଯୋଗ ସାମ୍ନାକୁ ଆସୁଛି। ତଥାପି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେତା ପଶୁନଥିବା ବେଳେ ଲିଖିତ ଅଭିଯୋଗ ପରେ ଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀ କହିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକଙ୍କୁ ପଚାରିବାରେ, ଲିଖିତ ଅଭିଯୋଗ କେହି ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ବୋଲି କହିଛନ୍ତି।