ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ: ଆଶା ମଉଳିଲା

ସୁନ୍ଦରଗଡ଼ : ଝାରସୁଗୁଡ଼ା-ସୁନ୍ଦରଗଡ଼-ଅମ୍ବିକାପୁର ରେଳପଥ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର  ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ବହୁ ଦାବି ସତ୍ତ୍ବେ ପ୍ରକଳ୍ପଟି କେବଳ ପ୍ରସ୍ତାବରେ ଅଟକି ରହିଛି। ସୁନ୍ଦରଗଡ଼ର ପୂର୍ବ ପ୍ରଶାସକ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଭାବେ ରେଳ ମନ୍ତ୍ରାଳୟ ଦାୟିତ୍ବ ନେବା ପରେ ପ୍ରକଳ୍ପ ଫଳବତୀ ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଚଳିତ ବଜେଟ୍‌ରେ ତାହା ସ୍ଥାନ ନପାଇବା ସୁନ୍ଦରଗଡ଼ବାସୀଙ୍କୁ ନିରାଶ କରିଛି।

ସୂଚନାଯୋଗ୍ୟ, ବହୁଦିନରୁ ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଥିବା ବେଳେ ଝାରସୁଗୁଡ଼ା-ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳପଥ ପ୍ରସ୍ତାବ ଯଶପୁରର ରାଜା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗତ ଦୁଲୀପ ସିଂ ଜୁଦେବ ଦେଇଥିଲେ। ସୁନ୍ଦରଗଡ଼ ପାଇଁ ଏହା ସୁଖଦ ପ୍ରସ୍ତାବ ଥିଲା। ତାକୁ ପୂର୍ଣ୍ଣମତେ ସୁନ୍ଦରଗଡ଼ ସମର୍ଥନ କଲା। କେନ୍ଦ୍ରକୁ ଏ ନୂଆ ରେଳପଥର ପ୍ରସ୍ତାବ ପଠାଗଲା। ତତ୍କାଳୀନ ଲୋକସଭା ସଦସ୍ୟ  ହେମାନନ୍ଦ ବିଶ୍ବାଳ ବଜେଟ୍‌ ଆଲୋଚନା ବେଳେ ଉପା ସରକାରର ରେଳମନ୍ତ୍ରୀଙ୍କୁ ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥର ସ୍ଥିତି ସମ୍ପର୍କରେ ପଚାରିଥିଲେ। ସେ ସମୟରେ ରେଳମନ୍ତ୍ରୀ ରେଳପଥ ସର୍ଭେ ଲାଗି ଅର୍ଥ ଦିଆଯାଇଥିବା ଓ ୨୦୧୩ ସୁଦ୍ଧା ସର୍ଭେ କାମ ଶେଷ ହେବ ବୋଲି ଜଣାଇଥିଲେ। ୨୦୧୩ରେ ପ୍ରାଥମିକ ସର୍ଭେ କାମ ମଧ୍ୟ ଶେଷ ‌ହୋଇ ଯାଇଥିବା ସୂଚନା ରହିଛି। ପରବର୍ତ୍ତୀ ସମୟରେ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳ ବଜେଟ୍‌ରେ ଅର୍ଥ ମିଳିବ ବୋଲି ଆଶା କରାଯାଉଥିଲା। ୨୦୧୪ରେ ଉପା ସରକାର ପରାଜିତ ହୋଇ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଆସିବା ପରେ ଏ ଆଶା ଦ୍ବିଗୁଣିତ ହୋଇଥିଲା। କାରଣ ବିଜେପି ସାଂସଦ ଦୁଲୀପ ସିଂ ଜୁଦେବ ଏହି ରେଳପଥ ପାଇଁ ପ୍ରଥମେ ପ୍ରସ୍ତାବ ଆଣିଥିଲେ,  ତେଣୁ ବିଜେପି ଏହାକୁ ଅଗ୍ରାଧିକାର ଦେଇ ନୂଆ ରେଳପଥ ନିର୍ମାଣକୁ ଆଗକୁ ନେବେ ବୋଲି ସୁନ୍ଦରଗଡ଼ବାସୀ ଭାବିଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ରେଳପଥ ସମ୍ପର୍କରେ ପୂରା ନିରବ ରହିଲେ। ଏପରିକି ତତ୍କାଳୀନ ରାଜ୍ୟସଭା ସଦସ୍ୟ ହକି ତାରକା ଦିଲୀପ ତିର୍କୀ ବାରମ୍ବାର ରେଳ ମନ୍ତ୍ରାଳୟକୁ ପତ୍ର ଲେଖି ତୁରନ୍ତ ଏ ରେଳପଥ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ, କିନ୍ତୁ ରେଳ ମନ୍ତ୍ରାଳୟରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।

ତେବେ ସୁନ୍ଦରଗଡ଼ର ପୂର୍ବତନ ପ୍ରଶାସକ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଭାବେ କେନ୍ଦ୍ର ରେଳ ମନ୍ତ୍ରାଳୟ ଦାୟିତ୍ବ ନେବା ପରେ ସୁନ୍ଦରଗଡ଼ବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା।  କିନ୍ତୁ ବିଡ଼ମ୍ବନା, ବଜେଟ୍‌ ବେଳେ ସୁନ୍ଦରଗଡ଼ର ଏ ସ୍ବପ୍ନର ପ୍ରକଳ୍ପ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ମନେପଡ଼ିନାହିଁ।

ସମ୍ବନ୍ଧିତ ଖବର