ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ: ଜନଜୀବନ ପ୍ରଭାବିତ

ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ଝାରସୁଗୁଡ଼ା: ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ଟାରୁ ଅପରାହ୍ଣ ୨ ଟା ଯାଏଁ ୮ ଘଣ୍ଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁ ନାହାନ୍ତି। ମମିତା ମେହେର ହତ୍ୟାକାଣ୍ଡକୁ ଚାପିବା ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି।

ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି। କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଆଜି ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି।
ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି।

ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଂପାଦକ ବିମଳେନ୍ଦୁ ଭୋଳ, ନରେଶ ନାୟକ ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ କର୍ମକର୍ତ୍ତା ଓ କର୍ମୀ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରୁଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କୋର୍ଟରେ ଶୁଣାଣି ବନ୍ଦ ପାଇଁ ଓକିଲ ସଂଘ ପକ୍ଷରୁ ବିଚାରପତିମାନଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର