ଝାରସୁଗୁଡ଼ା: ଦକ୍ଷିଣ-ପୂର୍ବ-ମଧ୍ୟ ରେଳବାଇର ଝାରସୁଗୁଡ଼ା-ବିଳାସପୁର ୨୦୬ କିମିର ନୂଆ ରେଳ ଲାଇନ୍‌ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ୨୦୧୯ ମସିହାରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପର ସମୟ ସୀମା ପୁଣିଥରେ ବୃଦ୍ଧି କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୭ ବର୍ଷ ମଧ୍ୟରେ ଏହି ୨୦୬ କିମି ରେଳପଥରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୭୫ କିମି କାମ ସରିଛି। ମାଲ୍‌ ପରିବହନ ପାଇଁ ସବୁବେଳେ ବ୍ୟସ୍ତବହୁଳ ରହୁଥିବା ଏହି ରୁଟ୍‌ର ନୂତନ ରେଳପଥ କାମ ଶେଷ ହେଉ ନଥିବାରୁ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ପ୍ରାୟ ସବୁ ସମୟରେ ବିଳମ୍ବିତ ହୋଇ ଚାଲିଛି। ଏ ସଂକ୍ରାନ୍ତରେ ଚକ୍ରଧରପୁର ଡିଭିଜନ୍‌ ବରିଷ୍ଠ ଡିସିଏମ୍‌ ଗଜରାଜ ସିଂଙ୍କୁ ପଚାରିବାରେ, ୨୦୨୪ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି। ତେବେ ପ୍ରକଳ୍ପ ବିଳମ୍ବିତ ହେବାର କାରଣ ସମ୍ପର୍କରେ ଜାଣି ନଥିବା ସେ ଉତ୍ତର ଦେଇଛନ୍ତି।

Advertisment

୨୦୧୬ରେ ମଞ୍ଜୁରି ପରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୬ କିମି ରେଳପଥ ମଧ୍ୟରେ ୧୦ରୁ ଅଧିକ ଛୋଟ-ବଡ଼ ପୋଲ ମଧ୍ୟ ରହିଛି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୭୫ କିମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜାମଗା-ହେମଗିର ୨୦.୫ କିମି ରେଳପଥ ଗତ ଜୁଲାଇ ମାସରେ ଶେଷ ହୋଇଥିବା ବେଳେ ଶକ୍ତି- ଝାରଡିହ ୧୦ କିମି କାର୍ଯ୍ୟ ଶେଷ ହେବା ଉପରେ। କିନ୍ତୁ ବଳକା ୧୩୧ କିମିର କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରି ନାହିଁ। ଏହି ପ୍ରକଳ୍ପ ୨୦୧୯ ସୁଦ୍ଧା ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପରେ ଏହାକୁ ବୃଦ୍ଧି କରାଯାଇ ୨୦୨୦ କରାଗଲା। ମାତ୍ର କରୋନା ଯୋଗୁ କାର୍ଯ୍ୟରେ ବିଳମ୍ବ, କ୍ଲିୟରାନ୍ସ ମିଳିବାରେ ବିଳମ୍ବ ଆଦି କାରଣରୁ କାମ ଠପ୍‌ ହୋଇଯାଇଥିବା ବେଳେ ଏବେ ୨୦୨୪ ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ରେଳବାଇ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏବେ ହେମଗିରରୁ ରାୟଗଡ଼, ରାୟଗଡ଼ରୁ ରବର୍ଟସନ, ଝାରଡିହରୁ ଚାମ୍ପ‌ା, ଚାମ୍ପାରୁ ବିଳାସପୁର ଯାଏ କାମ ଜାରି ରହିଛି। କିଛି ସ୍ଥାନରେ ରେଳ ଲାଇନ୍‌ ବିଛାଇବା ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବଡ଼ ପୋଲ ନିର୍ମାଣ ଜାରି ରହିଛି। ବିଶେଷକରି କେଲୋ ନଦୀ ଉପରେ ନିର୍ମାଣ ଚାଲିଥିବା ପୋଲ କାମ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରିନି।

୨୦୧୭-୧୮ରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ବେଳକୁ ବ୍ୟୟ ଅଟକଳ ୧୯୭୩ କୋଟି ଟଙ୍କା ରହିଥିଲା। ଯାହା ବୃଦ୍ଧି ପାଇ ଏବେ ୨୧୩୫.୩୪ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ୫୬୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ୧୪୮୮.୭ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ମାଲ୍‌ ପରିବହନ ଯୋଗୁ ଏହି ରେଳ ଲାଇନ୍‌ ଦେଶର ଅନ୍ୟତମ ବ୍ୟସ୍ତ ରୁଟ୍‌ ଭାବେ ପରିଗଣିତ। କିନ୍ତୁ ଚତୁର୍ଥ ଲାଇନ୍‌ କାମ ଶେଷ ହେବାରେ ବିଳମ୍ବ ହେଉଥିବାରୁ ପ୍ରତିଦିନ ସୁପରଫାଷ୍ଟ, ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବରେ ଚାଲୁଛି। ଗତକାଲି ରେଳବାଇ ଏହି ପ୍ରକଳ୍ପ ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ମଧ୍ୟ ପ୍ରଦାନ କରିଛି।