ଝାରସୁଗୁଡ଼ା: ୨୦୨୪ ନିର୍ବାଚନରେ ଉଭୟ ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ଆସନରୁ ଟିକଟ ପାଇଁ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଗଲାଣି। ଉଭୟ ଆସନରେ ନୂଆ ଚେହେରା ଟିକଟ ପାଇବା ପାଇଁ ନିଜ ନିଜ ସମର୍ଥକଙ୍କୁ ନେଇ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଗୋଟିଏ ପଟେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ତଥା ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସକ୍ରିୟ ନ ରହିବା କାରଣରୁ ଉକ୍ତ ଆସନ ପାଇଁ ଏକାଧିକ ଦାବିଦାର ବାହାରିଲେଣି। ସେପଟେ, ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଏବେ କାକି ଅଳକା (କାକି ବା ଖୁଡ଼ୀ)ଙ୍କ ବଦଳରେ ନିଜେ ବ୍ରଜରାଜନଗର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅଣ୍ଟା ଭିଡ଼ିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ଆସନ ବିଜେଡି କବ୍ଜାରେ। ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଯଦିଓ ସକ୍ରିୟ ରହୁଛନ୍ତି ତଥାପି ତାଙ୍କୁ ଦଳ, ପ୍ରଶାସନ ଓ କର୍ମୀ ସେତେଟା ଗୁରୁତ୍ବ ପ୍ରଦାନ କରୁନଥିବା ନେଇ ଏବେ ଖୋଦ୍ ଦଳୀୟ ନେତା ଓ କର୍ମୀଙ୍କ ପାଟିରୁ ଶୁଣିବାକୁ ମିଳିଲାଣି। ସ୍ଥିତି ଏପରି ହେଲାଣି ଯେ ଆଗାମୀ ନିର୍ବାଚନରେ ଦୀପାଳି ଟିକଟ ପାଇବେ ନା ନାହିଁ ସେ ନେଇ ବି ଦ୍ବନ୍ଦ୍ବ ସୃଷ୍ଟି ହେଲାଣି। ୫-ଟି ସଚିବ ଝାରସୁଗୁଡ଼ା ଗସ୍ତ ପରେ ଲଇକେରା ସ୍ଥିତ ଜଙ୍ଘା ବଡ଼ଦେଓ ମନ୍ଦିର ଓ ବ୍ରଜରାଜନଗରର ରାମଚଣ୍ଡୀଙ୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ। ରାମଚଣ୍ଡୀ ମନ୍ଦିରର ଉନ୍ନତୀକରଣ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଜଙ୍ଘା ବଡ଼ଦେଓଙ୍କ ମନ୍ଦିର ପାଇଁ କିନ୍ତୁ ପାଣ୍ଠି ମିଳିନାହିଁ।
ସେପଟେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କାର୍ଯ୍ୟରେ ସହଯୋଗ କରୁ ନଥିବା ତଥା ପ୍ରକଳ୍ପ କାଟି ଦେଉଥିବା ନେଇ କୁଆଡ଼େ ବିଧାୟିକା ଗତ ସପ୍ତାହରେ ରାଜଧାନୀରେ ବଡ଼ ନେତାଙ୍କ ନିକଟରେ ଅଭିଯୋଗ କରିଥିବା ଖୋଦ୍ ଦଳୀୟ କର୍ମୀ କହୁଛନ୍ତି। ଜିଲ୍ଲା ବିଜେଡି ସଭାପତିଙ୍କ ଉତ୍ତରାଧିକାରୀ ମଧ୍ୟ ଏବେ ଏହି ଆସନର ଟିକଟ ପାଇଁ ଆଶାବାଦୀ ଅଛନ୍ତି। ଦୀପାଳିଙ୍କର ଯଦି ଟିକଟ କଟେ ତେବେ ନବ ଦାସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଷଡ଼୍ଯନ୍ତ୍ର ରହିଥିବା ଅଭିଯୋଗରୁ ବି ପରଦା ହଟିବା ସମ୍ଭାବନା ସୃଷ୍ଟି ହେବ। ଦ୍ବିତୀୟରେ, ନବ ଦାସଙ୍କୁ ହତ୍ୟା ପରେ ପରେ ପୁଅ ବିଶାଳ ରାଜନୀତି ପ୍ରତି ଆଗ୍ରହ ଦେଖାଇ ନଥିଲେ। ମାତ୍ର ପରବର୍ତ୍ତୀ ସ୍ଥିତିରେ ବିଶାଳଙ୍କୁ ସମ୍ବଲପୁର ସଂସଦୀୟ ଆସନରୁ ଛିଡ଼ା କରାଇବାକୁ ଦଳ କୁଆଡ଼େ ପ୍ରସ୍ତାବ ଦେଇଥିଲା ବୋଲି କହାଯାଉଛି। କିନ୍ତୁ ଝାରସୁଗୁଡ଼ାରେ ନବ ଲିଗାସି ଅପରିବର୍ତ୍ତିତ ରଖିବାକୁ ଏବଂ କିଶୋର ଲିଗାସିକୁ ଶେଷ କରିବାକୁ ବିଶାଳ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ଦୀପାଳି ଓ ବିଶାଳ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ।
ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସକ୍ରିୟ ନରହିବା କାରଣରୁ ଏହି ଆସନ ଉପରେ ଏବେ ସମସ୍ତଙ୍କ ଆଖି। ଖୋଦ୍ ମନ୍ତ୍ରୀ ଶାରଦା ନାୟକ ମାସର ପ୍ରାୟ ୧୦ ଦିନ ବ୍ରଜରାଜନଗରରେ ଉପସ୍ଥିତି ରହି ଛୋଟ ଛୋଟ ପ୍ରକଳ୍ପ ଶିଳାନ୍ୟାସ, ବୈଠକ, ସଭାରେ ଯୋଗ ଦେଉଛନ୍ତି। ଅଳକା ମହାନ୍ତିଙ୍କ ଗୋଷ୍ଠୀର ହାତ ଗଣତି କିଛି ସମର୍ଥକ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଟିକଟ ପାଇଁ ଲବି କରୁଛନ୍ତି। ସେମାନେ ଖୋଲାଖୋଲି ଭାବେ କହିଲେଣି। ଯାହାର ସୁଯୋଗ ନେଇ ବିଶାଳ ବି ଏବେ ଏହି ଆସନ ଉପରେ ନଜର ରଖିଛନ୍ତି। ଝାରସୁଗୁଡ଼ା ଆସନ ହାତରୁ ଖସିଲେ ଅନ୍ତତଃ ବ୍ରଜରାଜନଗର କବ୍ଜା କରି ଜିଲ୍ଲାରେ ନବ ଲିଗାସିକୁ ସକ୍ରିୟ ରଖିହେବ ବୋଲି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।