ଝାରସୁଗୁଡ଼ା: ଏମ୍ସିଏଲ୍ର ଲଖନପୁର କୋଇଲା ଖଣି ସାଇଡିଂରେ ଲାଗିଥିବା ରେଳ ୱାଗନ୍ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ଉକ୍ତ ଶବକୁ ଏକ ଅଖାବସ୍ତାରେ ପୂରାଇ କେହି ୱାଗନ୍ ଭିତରକୁ ଫିଙ୍ଗି ଦେଇଥିବା ବେଳେ ଆଜି କୋଇଲା ଲୋଡିଂ ବେଳେ ଉକ୍ତ ଘଟଣା ଜଣାପଡ଼ିଥିଲା। ଏ ନେଇ ଝାରସୁଗୁଡ଼ା ଜିଆର୍ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳାଙ୍କ ଆନୁମାନିକ ବୟସ ପ୍ରାୟ ୩୫ ବର୍ଷ ହୋଇଥିବା ବେଳେ ତାଙ୍କର ପରିଚୟ ମିଳିନାହିଁ। ତେବେ କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ଛତିଶଗଡ଼ର ଚାମ୍ପା ଜିଲ୍ଲା ଅକଲତାରା ସାଇଡିଂରୁ ଆଜି ସକାଳ ସାଢ଼େ ୬ଟା ବେଳେ ଏକ ଖାଲି ମାଲ୍ଗାଡ଼ି ଆସି ଏମ୍ସିଏଲର କୋଇଲା ଖଣି ସାଇଡିଂରେ ପହଞ୍ଚିଥିଲା। ମାଲ୍ଗାଡ଼ିରେ କୋଇଲା ଲୋଡିଂ ପୂର୍ବରୁ ହେଉଥିବା ଯାଞ୍ଚ ସମୟରେ ଇଞ୍ଜିନକୁ ଲାଗି ରହିଥିବା ୱାଗନ୍ ଭିତରେ ଜଣେ ମହିଳାଙ୍କ ମୃତଦେହ ଏକ ଅଖାବସ୍ତାରେ ବାନ୍ଧି ପକାଯାଇଥିବା ଦେଖିବାକୁ ମିଳିଥିଲା। ରେଳ କର୍ମଚାରୀଙ୍କ ସୂଚନା ଆଧାରରେ ଜିଆର୍ପି ଓ ବନହରପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ବସ୍ତା ଖୋଲାଯାଇ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ମୃତ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। ମହିଳାଙ୍କ ପାଖରୁ କୌଣସି ଜିନିଷ ଜବତ କରାଯାଇନଥିବାରୁ ତାଙ୍କର ପରିଚୟ ଜାଣିବା ଏବେ ଜିଆର୍ପି ପୁଲିସ୍ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ମହିଳାଙ୍କ ହାତରେ ‘ଓବିଏମ୍କେଏସ୍’ ଲେଖାଥିବା ଏକ ଟାଟୁ ରହିଛି। ସେପଟେ, ଗତକାଲି ରାତିରେ ହିଁ ଅକଲତାରା ସାଇଡିଂରୁ ଏହି ମାଲ୍ଗାଡ଼ି ବାହାରିଥିବାରୁ ବାଟରେ ହିଁ କୌଣସି ସ୍ଥାନରେ ମହିଳାଙ୍କ ଶବକୁ ୱାଗନ୍ରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି।