ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ତେବେ ଅନ୍‌ଲାଇନରେ ଏହି ୩ ପ୍ରାର୍ଥୀଙ୍କ ସତ୍ୟପାଠ ଅପ୍‌ଲୋଡ୍‌ ହେବାପରେ ପ୍ରାର୍ଥୀଙ୍କ ବିଷୟରେ ଜାଣିବାକୁ ଜନତା ବେଶ୍‌ ଆଗ୍ରହୀ ଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଅନ୍ୟ ୨ ପ୍ରତିଦ୍ବନ୍ଦ୍ବୀ ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କଠାରୁ ଶିକ୍ଷା, ସମ୍ପତ୍ତିରେ ଆଗୁଆ ରହିଛନ୍ତି। ଦୀପାଳିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ ହୋଇଥିବା ବେଳେ ଟଙ୍କଧରଙ୍କର ବିଏ, ଏଲଏଲ୍‌ବି ରହିଛି। ତରୁଣ ବିଇ ପାଠ୍ୟକ୍ରମ ଅଧାରୁ ଛାଡ଼ିଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ତିନି ପ୍ରାର୍ଥୀଙ୍କ ସମ୍ପତ୍ତି ଦେଖିଲେ ଦୀପାଳି ଅନ୍ୟ ୨ ଜଣଙ୍କଠାରୁ ଆଗୁଆ ରହିଛନ୍ତି। ଗତ ଆର୍ଥିକ ବର୍ଷରେ ଦୀପାଳିଙ୍କ ଆୟ ୭୨ ଲକ୍ଷ ୮୭ ହଜାର ୯୪୦ ଟଙ୍କା ରହିଥିଲା। ଏହା ସହିତ ତାଙ୍କ ମାଙ୍କ ଆୟ ୪ କୋଟି ୬୮ ଲକ୍ଷ ୬୭ ହଜାର ୬୬୦ ଟଙ୍କା ଥିଲା। ଦୀପାଳିଙ୍କ ହାତରେ ୨ ଲକ୍ଷ ୮୫ ହଜାର ଟଙ୍କା ଥିବା ବେଳେ ତାଙ୍କ ନାଁରେ କେବଳ ଗୋଟିଏ ଏକ୍ସାଭେଟର ରହିଛି। ଦୀପାଳିଙ୍କର ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୮୮ ଲକ୍ଷ ୬ ହଜାର ୪୩୬ ଟଙ୍କା ରହିଛି। ତାଙ୍କ ନାଁରେ ୨୬ ଲକ୍ଷ ୭୧ ହଜାର ୬୬୩ ଟଙ୍କାର ଋଣ ରହିଥିବା ନେଇ ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ଦୀପାଳିଙ୍କ ମାଙ୍କ ହାତରେ ୮ ଲକ୍ଷ ୬୦ ହଜାର ଟଙ୍କା ଥିବା ବେଳେ ୮୧ଟି ଗାଡ଼ି ରହିଛି।

Advertisment

ଦୀପାଳି ମା’ଙ୍କ ପାଖରେ ୮୧ ଗାଡ଼ି

ଗତ ଆର୍ଥିକ ବର୍ଷରେ ଟଙ୍କଧରଙ୍କ ରୋଜଗାର ୯ ଲକ୍ଷ ୩୮ ହଜାର ୩୩୦ ଟଙ୍କା ରହିଥିଲା। ତାଙ୍କ ହାତରେ ଏବେ ୧ ଲକ୍ଷ ୮୭ ହଜାର ଟଙ୍କା ଥିବାବେଳେ ତାଙ୍କ ନାମରେ ୨ଟି କାର୍ ଓ ଗୋଟିଏ ଓମନି ବସ୍‌ ରହିଛି। ତାଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫୧ ଲକ୍ଷ ୯୫ ହଜାର ୨୪୯ ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତରୁଣଙ୍କ ଗତ ଆର୍ଥିକ ବର୍ଷରେ ୪ ଲକ୍ଷ ୬୪ ହଜାର ୭୪୦ ଟଙ୍କା ଆୟ ହୋଇଥିଲା। ତାଙ୍କ ହାତରେ ଏବେ ୫୦ ହଜାର ଟଙ୍କା ଥିବା ବେଳେ ତାଙ୍କ ନାମରେ ଗୋଟିଏ କାର୍‌ ଓ ଗୋଟିଏ ଆକ୍ଟିଭା ରହିଛି। ତେବେ ତରୁଣଙ୍କ ନାମରେ ମୋଟ ୧୧ ଲକ୍ଷ ୬୬ ହଜାର ୬୨୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସେ ଦର୍ଶାଇଛନ୍ତି। ଏହାବାଦ୍‌ ତରୁଣଙ୍କ ନାଁରେ ୧୨ ଲକ୍ଷ ଟଙ୍କାର ଋଣ ବି ରହିଛି।
ସୁନା ଗହଣା ମାମଲାରେ ଦୀପାଳି ପଛୁଆ ରହିଛନ୍ତି। ଦୀପାଳି ତାଙ୍କ ନିକଟରେ କୌଣସି ଗହଣା ରଖି ନ ଥିବା ନେଇ ସତ୍ୟପାଠରେ ଦର୍ଶାଇଥିବା ବେଳେ ଟଙ୍କଧର ନିଜ ପାଖରେ ୫୭ ଗ୍ରାମ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ୧୮୯ ଗ୍ରାମ ସୁନା ରହିଥିବା ଦର୍ଶାଇଛନ୍ତି। ତରୁଣଙ୍କ ନିକଟରେ ୨୦ ଗ୍ରାମ ଓ ତାଙ୍କ ପରିବାର ଲୋକଙ୍କ ନିକଟରେ ୫୦ ଗ୍ରାମର ସୁନା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଟଙ୍କଧରଙ୍କ ନାଁରେ ୯ଟି ମାମଲା ଥିବାବେଳେ ଦୀପାଳିଙ୍କ ନଁାରେ ଗୋଟିଏ ମାମଲା ରହିଛି। କିନ୍ତୁ ତରୁଣଙ୍କ ନାମରେ କୌଣସି ମାମଲା ନ ଥିବା ସତ୍ୟପାଠରୁ ଜଣାପଡ଼ିଛି।