ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ହାତଗଣତି ୨ ସପ୍ତାହ ବାକି ରହିଲା। ଏହି ସୀମିତ ସମୟ ମଧ୍ୟରେ କିଭଳି ଭୋଟରଙ୍କୁ ଆକୃଷ୍ଟ କରି ଆସନ ଅକ୍ତିଆର୍‌ କରିହେବ ସେନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ମାତ୍ର ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କଲେ ନଂ. ୧ ସ୍ଥାନ ପାଇଁ ନୁହେଁ ବରଂ ଝାରସୁଗୁଡ଼ା ଉପନିର୍ବାଚନରେ କିଏ ନମ୍ବର ୨ରେ ରହିବ ତାକୁ ନେଇ ଏବେ ରାଜନୈତିକ ଦଳଙ୍କ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିର ବଡ଼ବଡ଼ିଆ ନେତା ଚଳିତ ଉପନିର୍ବାଚନରେ ଜିତିବେ ବୋଲି ଦୃଢ଼ୋକ୍ତି ବାଢୁଥିବା ବେଳେ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ତୁଣ୍ଡରୁ କିନ୍ତୁ ଭିନ୍ନ କଥା ଶୁଣିବାକୁ ମିଳୁଛି। ଦଳ କିଭଳି ଗତ ସାଧାରଣ ନିର୍ବାଚନରେ ପାଇଥିବା ଭୋଟ୍‌ ବା ତଦୁର୍ଦ୍ଧ୍ବ ଭୋଟ୍‌ ପାଇବ ତାକୁ ନେଇ ରଣନୀତି ପ୍ରସ୍ତୁତ କରିଥିବା ଦଳୀୟ ନେତା ଓ କର୍ମୀ କହୁଛନ୍ତି। ସେପଟେ, କଂଗ୍ରେସ କ୍ଷେତ୍ରରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସରେ ଧୀରେଧୀରେ କର୍ମୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏହି ସ୍ଥିତିରେ ଜିଲ୍ଲା କଂଗ୍ରେସ ବି ଗତ ନିର୍ବାଚନରେ ପାଇଥିବା ଭୋଟ୍‌କୁ କିଭଳି ଅପରିବର୍ତ୍ତିତ ରଖିବ ସେନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଖୋଦ୍‌ ଦଳୀୟ ନେତା କହିବାରେ ଲାଗିଲେଣି। ସେପଟେ, ବିଜୁ ଜନତା ଦଳ ମଧ୍ୟ ନିଜ ଭୋଟ୍‌ କଟୁଥିବା ଆଶଙ୍କା ନେଇ ଏବେ ଅନ୍ୟ ଦଳରୁ ନେତା ଓ କର୍ମୀଙ୍କୁ ନିଜ ସହ ମିଶାଇବାକୁ ପ୍ରୟାସ ଜାରି ରଖିଛି।

Advertisment

ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି। ଦଳୀୟ ବିକାଶ, ପ୍ରାର୍ଥୀ, ପ୍ରସଙ୍ଗକୁ ଆଖି ଆଗରେ ରଖି ଭୋଟର ଆସନ୍ତା ୧୦ ତାରିଖ ସେମାନଙ୍କ ରାୟ ଦେବେ। ହେଲେ ‌ଏହା ପୂର୍ବରୁ ଅବୁଝା ଭୋଟରଙ୍କୁ କିଭଳି ବୁଝେଇବେ ସେନେଇ ୩ ପ୍ରମୁଖ ଦଳ ଲାଗି ପଡ଼ିଛନ୍ତି। ଗାଁ ଗାଁ’ରେ ଚା’ ଖଟିରୁ ନେଇ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି ସଭା। ବିଜୁ ଜନତା ଦଳ ପକ୍ଷରୁ ପ୍ରତି ଗାଁରେ ଜଣେ ଲେଖାଏ ବରିଷ୍ଠ ନେତା ପହଞ୍ଚି କର୍ମୀଙ୍କୁ ସଂଗଠିତ କରିବ‌ାରେ ଲାଗିଛନ୍ତି। ସେପଟେ, ସହରରେ ବି ନିର୍ବାଚନ ସଭା ଓ ସମ୍ମିଳନୀ କରି ଭୋଟ୍‌ ମାଗୁଛନ୍ତି ବିଜେଡି ପ୍ରାର୍ଥୀ। ବିଜେପିର ବଡ଼ବଡ଼ିଆ ନେତା ବି ଝାରସୁଗୁଡ଼ାରେ ଡେରା ପକାଇଲେଣି। ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜେ ଗାଁ’କୁ ଗାଁ’ ବୁଲି ଭୋଟ୍‌ ମାଗୁଥିବା ବେଳେ ଦଳୀୟ ନେତା ବିଭିନ୍ନ ସ୍ଥାନରେ କର୍ମୀଙ୍କୁ ଏକଜୁଟ୍‌ କରିବାରେ ଲାଗି ପଡ଼ିଲେଣି। ଯଦିଓ କଂଗ୍ରେସର ପ୍ରଚାର ଏତେଟା ଆଖିଦୃଶିଆ ହେଉନି ତଥାପି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ବି ନିଜ କର୍ମୀଙ୍କୁ ନେଇ ପ୍ରଚାରରେ ବାହାରିଲେଣି। ସ୍ବର୍ଗତ ନବ ଦାସ କ’ଣ କରିଥିଲେ, କ’ଣ ନାହିଁ ତାକୁ ନେଇ ବିଜେଡି ପ୍ର‌ାର୍ଥୀ ଦୀପାଳି ଦାସ ପ୍ରତିଟି ସଭା, ସମିତିରେ କହିବା ସହ ତାଙ୍କ ନାଁ’ରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଓ ବିଜେଡି ସରକାରର ବିଭିନ୍ନ ବିଫଳତାକୁ ଆୟୁଧ କରି ବିଜେପି ପ୍ରାର୍ଥୀ ଟଙ୍କଧର ଭୋଟ୍‌ ମାଗୁଥିବା ଦେଖିବାକୁ ମିଳିଛି। ସେପଟେ, କଂଗ୍ରେସ ପ୍ରାର୍ଥୀ ତରୁଣ ବି ନିଜ ବାପା ସ୍ବର୍ଗତ ବୀରେନ୍‌ ପାଣ୍ଡେ କରିଥିବା କାମକୁ ନେଇ ଲୋକଙ୍କୁ ଭୋଟ୍‌ ମାଗୁଥିବା ଚିତ୍ର ସାମ୍ନାକୁ ଆସିଛି।