ଝାରସୁଗୁଡା ଉପନିର୍ବାଚନ: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

ଭୁବନେଶ୍ୱର/ଝାରସୁଗୁଡା:ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଝାରସୁଗୁଡା ଫଳାଫଳ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ । ଏ ନେଇ ସୂଚନା ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ । ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଙ୍ଗ କଲେଜରେ ହୋଇଛି ମତଗଣନା କେନ୍ଦ୍ର । ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ ।

ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ । ସନ୍ଧ୍ୟା ୪ଟା ରୁ ୬ଟା ଭିତରେ ଫଳାଫଳ ଆସିଯାଇପାରେ | ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି ।

ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୁଲିସ ଓ ଓଡ଼ିଶା ପୁଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।

ସମ୍ବନ୍ଧିତ ଖବର