ଝାରସୁଗୁଡ଼ା ଉପନିର୍ବାଚନ: ସୁରେଶ ପାଇଥିବା ଭୋଟ୍‌ ରାଧାଙ୍କୁ ମିଳିବ ତ?

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ କଡ଼ା ଟକ୍କର ଦେବାକୁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ସବୁ ରଣକୌଶଳ କରାଯାଇଛି। ତିନି ଦଳ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଏଭଳି ଆତ୍ମବିଶ୍ବାସ କାହାରି ପାଖରେ ନଥିବା ବେଳେ ଉପନିର୍ବାଚନରେ ଫଳ ପାଇଁ ସବୁ ଦଳ ନିଜ ନିଜ ମଧ୍ୟରେ ଅଶାବାଦୀ ହୋଇପଡ଼ିଥିବା ଦେଖାଯାଇଛି। ବିଜେପି ଏହି ନିର୍ବାଚନରେ ଲଢ଼େଇ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି। ବିଜେଡି ରାଜ୍ୟରେ ଶାସନ କରୁଥିବାବେଳେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି ବୋଲି ବିଜେପି ନେତାମାନେ କହିବା ଆରମ୍ଭ କରିଛନ୍ତି। ବିଜେଡି ପ୍ରଚୁର ଟଙ୍କା ଏହି ନିର୍ବାଚନରେ ଖର୍ଚ୍ଚ କରୁଥିବା ବିଜେପି ମଧ୍ୟ ଖର୍ଚ୍ଚ ପାଇଁ ପ୍ରସ୍ତୁତ ବୋଲି ଦଳର ନେତାମାନେ କହୁଛନ୍ତି। ବିଜେଡି ଓ ବିଜେପି ଉଭୟ ଦଳ ଏହି ନିର୍ବାଚନରେ ଜଣେ ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରିଛନ୍ତି।

ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ନିର୍ବାଚନ ନୂଆଁ ନୁହେଁ। ଏହି ଆସନରୁ ସେ ଏକାଧିକ ଧର ଲଢ଼େଇ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ। ଶ୍ରୀମତୀ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ୬୭୯୦ ଭୋଟରେ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। କଂଗ୍ରେସ ଦଳରୁ ଛିଡ଼ା ହୋଇଥିବା କିଶୋର ପଟେଲ ବିଜେଡିଠାରୁ ମାତ୍ର ୫,୭୭୧ ଭୋଟ କମ୍‌ ପାଇଥିଲେ। କଂଗ୍ରେସରୁ କ୍ରମାଗତ ତିନିଥର ବିଜୟୀ ହୋଇଥିବା ଅନୁପ ସାଏ ବିଜେଡିରେ ଯୋଗଦେଇ ପ୍ରତିଦ୍ବନ୍ଦ୍ବିତା  କରି ପରାଜୟ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଅନୁପ ସାଏଙ୍କୁ ଟିକେଟ ଦେଇ ନଥିଲା। କିଶୋର ମହାନ୍ତି ଝାରସୁଗୁଡ଼ା ଆସନ ହରାଇବା ପରେ ତାଙ୍କୁ ବ୍ରଜରାଜନଗରରେ ଥଇଥାନ କରାଯାଇଥିଲା। ଏହି ନିର୍ବାଚନରେ ଅନୁପ ସାଏଙ୍କ ଭୋଟ୍‌ ବ୍ୟାଙ୍କ ବିଜେଡି ଓ ବିଜେପି ମଧ୍ୟରେ ଦୁଇଭାଗ ହୋଇ ଯାଇଥିବା ଅନୁମାନ କରାଯାଉଛି। ଫଳରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ୮୦୧୫୨ ଭୋଟ ପାଇଥିବାବେଳେ ବିଜେପି ୬୮୧୫୩ ଭୋଟ୍‌ ପାଇଥିଲା। କଂଗ୍ରେସ ସିପିଆଇକୁ  ଆସନ ଛାଡ଼ିଥିବା ବେଳେ ସିପିଆଇ ଏହି ନିର୍ବାଚନରେ ମାତ୍ର ୯୩୫୦ ଭୋଟ ପାଇଥିଲା। ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ମିଳିଥିବା ଭୋଟର ସାମଞ୍ଜସ୍ୟ ଆଦୌ ପରିଲକ୍ଷିତ ହୋଇ ନଥିଲା।

ଏଠାରେ ବିଜେପି ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ୯୨, ୬୯୦ ଭୋଟ ପାଇ ରେକର୍ଡ କରିଥିଲେ। ସେ ବିଜେପିର ବିଧାନସଭା ପ୍ରାର୍ଥୀଙ୍କଠାରୁ ୨୪,୫୩୭ ଅଧିକ ଭୋଟ ପାଇଥିଲେ। ବିଜେଡିର ବିଧାନସଭା ପ୍ରାର୍ଥୀ କି‌ଶୋର ମହାନ୍ତି ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କଠାରୁ ୨୪, ୧୭୨ ଅଧିକ ଭୋଟ ପାଇଥିଲେ। ଏହି ୨୪ ହଜାର ଭୋଟ୍‌ ଆଗାମୀ ଉପନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି। ତେବେ ୨୦୧୯ରେ କଂଗ୍ରେସ ଲୋକସଭା ଓ ସିପିଆଇ ବିଧାନସଭା ଆସନରେ ସମାନ ୯ ହଜାର ଭୋଟ ପାଇଥିଲେ। ତେବେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ତାଙ୍କ ଭୋଟ୍‌ ବ୍ୟାଙ୍କ ହାତେଇବା ନେଇ ସମସ୍ତ ଉଦ୍ୟମ କରୁଥିବାରୁ ଏଥର ଭୋଟ ଗଣିତ ଓଲଟପାଲଟ ହେବା ନେଇ ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର