ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବା‌ଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓ କ୍ରିଷ୍ଣା ତିୱାରୀ ଓ ପୁଲିସ୍ ପର୍ଯ୍ୟବେକ୍ଷକ ଭାରତୀୟ ପୁଲିସ ସେବା ଅଧକାରୀ ହମିଦ ଅଖତର ଯୋଗ ଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଉଚିତ ଅନୁପାଳନ ପାଇଁ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି ଭାବରେ ପାଳନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଓ ନିର୍ବାଚନରେ କୌଣସି ଅନିୟମିତତା ବରଦାସ୍ତ କରାଯିବ ନାହିଁ ବୋଲି ପର୍ଯ୍ୟବେକ୍ଷକ ସତର୍କ କରାଇଛନ୍ତି।

Advertisment

ଇତିମଧ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଭୟ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ଦ୍ବିଗୁଣିତ କରାଯାଇଛି। ପୂର୍ବରୁ ଉଭୟ ସ୍କାଡ୍‌ରେ ୮ଟି ଲେଖାଏ ଟିମ୍‌ ଥିବା ବେଳେ ଏବେ ଏହା ୧୬କୁ ବୃଦ୍ଧି କରାଯାଇଛି। ଏ ଦିଗରେ ତଦାରଖକାରୀ ଅଧିକାରୀମାନେ ମଧ୍ୟ ଅଧିକ କ୍ରିୟାଶୀଳ ହେବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି। ସିଆର୍‌ପିସି ଧାରା ୧୦୭, ୧୧୦ର ଅନୁପାଳନ, ସର୍ବସାଧାରଣ ସ୍ଥାନରୁ ଦଳୀୟ ପ୍ରଚାର ପତ୍ର ଓ ବ୍ୟାନର ଅପସାରଣ, ରୋଡ୍‌ କ୍ରସିଂ ବ୍ୟାନର ନ ଲଗାଯିବା, ବିନା ଅନୁମତିରେ ସଭା ସମିତି, ଶୋଭାଯାତ୍ରା ଆୟୋଜନ ତଥା ଡାକବାଜି ଯନ୍ତ୍ରର ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଯାନବାହନଗୁଡ଼ିକୁ ଯାଞ୍ଚ ପୂର୍ବକ ଧାର୍ଯ୍ୟ ପରିମାଣର ଅର୍ଥ ଓ ମଦ ସାଙ୍ଗରେ ନେଉଥିବା ବ୍ୟକ୍ତି  ବିଶେଷଙ୍କୁ ଅଟକ ରଖି ସବିଶେଷ ତଥ୍ୟ ହାସଲ କରିବା, ଅପରାଧିକ ତତ୍ତ୍ୱଙ୍କ ପ୍ରତି ନଜର ରଖିବା, ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡ଼ିକ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି. ପରମାର ଅଧିକାରୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁସାରେ ଅନୁମତି ବିହୀନ କୌଣସି କାର୍ଯ୍ୟକୁ ପ୍ରଶୟ ନଦେବାକୁ ସତର୍କ କରାଇ ନିୟମ ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ, ପ୍ରବନ୍ଧକ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଡେପୁଟି କଲେକ୍ଟର ସୁଚିତା ପୁଷ୍ପାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।