ଝାରସୁୁଗୁଡ଼ା ଉପନିର୍ବାଚନ: ବିଜେପିରୁ ପ୍ରାର୍ଥୀ କିଏ ହେ‌ବେ?

ପ୍ରସ୍ତୁତ ରହିବାକୁ କହିଛି ଦଳ: ରାଧାରାଣୀ

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ତାରିଖ ଘୋଷଣାପରେ ଝାରସୁଗୁଡ଼ା ରଜନୀତି ସରଗରମ ହେବାରେ ଲାଗିଛି। କୌଣସି ଦଳ ପ୍ରାର୍ଥୀ ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନ ଥିବାବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ମନ୍ତବ୍ୟ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ରହିଥିବାକୁ ଦଳ ତାଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି।

ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଚଳିତ ମେ’୩୧ରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଗତକାଲି ତାରିଖ ଘୋଷଣା ପରଠାରୁ ରାଜନୈତିକ ଉଷ୍ମତା ଜୋର୍‌ ଧରିଥିବାବେଳେ ପ୍ରାର୍ଥିତ୍ବକୁ ନେଇ କୌଣସି ଦଳ ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଛି। ଏପଟେ ବିଜେପିରେ ମଧ୍ୟ ଦୁଇ ଜଣଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବିଜେପିରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ସହିତ ଏବେ ନୂଆ ଚେହେରା ସୁଜିତ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ସୁଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଥିବା ବେଳେ ‌ସେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ରହିଥିବା ଜଣାଯାଇଛି। ଏ ନେଇ ସୁଜିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳ ଯାହା ନିର୍ଦ୍ଦେଶ ଦେବ ଓ ଯାହାଙ୍କୁ ଟିକେଟ ଦେବ ସେ ତାଙ୍କ ପାଇଁ କାମ କରିବେ। ତେବେ ତାଙ୍କୁ ଟିକେଟ ଦେବାପାଇଁ ଭୁବନେଶ୍ବର ସାଂସଦ ଓ ପଶ୍ଚିମ ଓଡ଼ିଶାର ଜଣେ ସାଂସଦ ତାଙ୍କ ପାଇଁ ଲବି କରୁଥିବା କଥାକୁ ସେ ଖଣ୍ଡନ କରିଛନ୍ତି। ଅପର‌ପକ୍ଷେ ଶ୍ରୀମତୀ ପଣ୍ଡା ଆଜି ଗଣମାଧ୍ୟମରେ କହିଛନ୍ତି, ପ୍ରାର୍ଥୀ ହେବାକୁ ଦଳ ତାଙ୍କୁ ପ୍ରସ୍ତୁତ ରହିବାକୁ କହିଛି। ପାର୍ଟି ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିବାରୁ ସେ ସିଧାସଳଖ କହିବା ଠିକ୍‌ ହେବନାହିଁ ବୋଲି କହିଛନ୍ତି। ପାର୍ଟିରେ ଅନେକ ଆଶାୟୀ ଥିଲେ ମଧ୍ୟ ଯଦି ତାଙ୍କୁ ଟିକେଟ ମିଳେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର