ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ଗ୍ରହଣକୁ ଆଉ ୧୦ ଦିନ ରହିଲା। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ବି ଜୋର୍ସୋରରେ ଚାଲିଛି। ଏହାରି ଭିତରେ ଗତ ବିଧାନସଭା ଓ ପୌର ନିର୍ବାଚନ ଭୋଟ୍କୁ ଅନୁଶୀଳନ କରିବା ସହ ୩ ଦଳ ସହରୀ ଭୋଟର୍ଙ୍କ ଉପରେ ବିଶେଷ ଆସ୍ଥା ପ୍ରକଟ କରିଛନ୍ତି। ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ରାଜନୈତିକ ପାଣିପାଗ ବିଜେଡିକୁ ଚିନ୍ତାରେ ପକାଇ ଦେଇଛି। ପୌରାଞ୍ଚଳର ଅନେକ ୱାର୍ଡରେ ବିଜେଡି ପ୍ରାର୍ଥୀ ବିରୋଧୀ ହାୱା ପ୍ରବାହ ଆରମ୍ଭ ହୋଇଛି। ସ୍ଥିତି ଏପରି ହେଲାଣି ଯେ, ଅଧିକ ତ ଦୂରର କଥା ବରଂ ଗତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ମ୍ୟୁନିସିପାଲଟିରୁ ବିଜେଡିକୁ ମିଳିଥିବା ଭୋଟ୍ ଏଥର ମିଳିବ ନା ନାହିଁ, ଦଳ ସଂଶୟରେ ରହିଛି। ତେଣୁ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୨୪ଟି ୱାର୍ଡରେ ଥିବା ୭୧ ହଜାର ୧୧୩ ଜଣ ଭୋଟରଙ୍କୁ କିଭଳି ପ୍ରଭାବିତ କରିହେବ, ସେନେଇ ଅଙ୍କକଷା ଜାରି ରହିଛି।
ସୂଚନା ଅନୁସାରେ, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ପ୍ରାୟ ୩୦ ପ୍ରତିଶତ ଭୋଟର ସହରାଞ୍ଚଳରେ ରୁହନ୍ତି। ମୋଟ୍ ୨ ଲକ୍ଷ ୨୧ ହଜାର ୩୧ ଜଣ ଭୋଟରଙ୍କ ମଧ୍ୟରୁ ଏହି ସହରୀ ଭୋଟରଙ୍କ ସଂଖ୍ୟା ୭୧ ହଜାର। ଗତ ବିଧାନସଭା ନିର୍ବାଚନର ତଥ୍ୟକୁ ଅନୁଶୀଳନ କଲେ ଏହି ସହରୀ ଭୋଟର୍ ହିଁ ସ୍ବର୍ଗତ ନବ ଦାସଙ୍କ ବିଜୟର ପ୍ରମୁଖ କାରଣ ପାଲଟିଥିଲେ। ଏହାକୁ ବାଦ୍ ଦେଲେ ଗତ ପୌର ନିର୍ବାଚନ ସମୟରେ ମଧ୍ୟ ବିଜେପି- ବିଜେଡି- କଂଗ୍ରେସ ଭୋଟ୍ରେ ଦେଖାଦେଇଥିବା ପରିବର୍ତ୍ତନ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ।
/sambad/media/post_attachments/wp-content/uploads/2023/05/jharsuguda-election-750x430.jpg)
ଗତ ସାଧାରଣ ନିର୍ବାଚନ ସମୟରେ ଝାରସୁଗୁଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ପ୍ରାୟ ୧୦ ହଜାର ଭୋଟ୍ ଅଧିକ ହାତେଇବାରେ ସକ୍ଷମ ହୋଇଥିଲା। ସେହି ସମୟରେ ବିଜେଡି ଖାତାକୁ ୨୭ ହଜାର ୧୨୯ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିଜେପି ଖାତାକୁ ୧୬,୦୮୧ ଖଣ୍ଡ ଭୋଟ୍ ଯାଇଥିଲା। ମାତ୍ର, ଗତ ପୌର ନିର୍ବାଚନ ବେଳକୁ ସ୍ଥିତି ବଦଳି ଯାଇଥିଲା। ଯଦିଓ ବିଜେପି ମାତ୍ର ୩ଟି ୱାର୍ଡ ଦଖଲ କରିଥିଲା ବଳକା, ୨୧ଟି ୱାର୍ଡ ବିଜେଡି ଖାତାକୁ ଯାଇଥିଲା। ସେହି ୨୧ଟି ୱାର୍ଡରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଯେଉଁଠି ବିଜେଡିକୁ ମୋଟ ୨୬,୭୨୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ନିଜ ଭୋଟ୍ ସଂଖ୍ୟା ବୃଦ୍ଧି କରି ୨୦ ହଜାର ୫୬୭ରେ ପହଞ୍ଚିଥିଲା। ସେପଟେ, କଂଗ୍ରେସ ସାଧାରଣ ନିର୍ବାଚନ ତୁଳନାରେ ପୌର ନିର୍ବାଚନ ବେଳକୁ ନିଜର ଅସ୍ତିତ୍ବ ହରାଇ ବସିଥିଲା।
ପୌରାଞ୍ଚଳରେ ବିଜେପିର ବର୍ଦ୍ଧିତ ଜନମତ ବିଜେଡିକୁ ଚିନ୍ତାରେ ପକାଇଛି। ସେପଟେ, ନବ ଦାସଙ୍କ ଦେହାନ୍ତ ପରେ ସହରରେ ଥିବା ପ୍ରାୟ ବ୍ୟବସାୟୀ ଭୋଟର୍ ଏବେ ବିଜୁ ଜନତା ଦଳ ବିରୋଧରେ ଭୋଟିଂ କରିବାକୁ ଖୋଲାଖୋଲି ଭାବେ କହିଲେଣି। ସହର ଉପକଣ୍ଠ ଅଞ୍ଚଳରେ ବିଜେଡିର ଦବ୍ଦବା ଜାରି ରହଛି। ମାତ୍ର, ସହର ଭିତରେ ସ୍ଥିତି କିଛି ଭିନ୍ନ ରହିଥିବା ଆଲୋଚନା ହେଉଛି। ୱାର୍ଡ ନଂ ୩, ୧୯, ୧୩ ଯେଉଁଠି ପୌର ନିର୍ବାଚନରେ ବିଜେପିକୁ ଅଭୂତପୂର୍ବ ସଫଳତା ମିଳିଥିଲା, ସେପରି ୱାର୍ଡ ଏବେ ବିଜେଡି ପାଇଁ ମୁଣ୍ଡବିନ୍ଧା ସାଜିଛି।
ନିର୍ବାଚନୀ ସଭାରେ ନାଚିଲେ ଦୀପାଳି, ବର୍ଷା
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତିଲେଇମାଲ୍ ପଞ୍ଚାୟତ ମଧୁପୁର ଗାଁରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ସଭା ଚାଲିଥିଲା। ଏହି ସମୟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ପଦ୍ମପୁର ବିଧାୟିକା ବର୍ଷାରାଣୀ ସିଂହ ବରିହା ସ୍ଥାନୀୟ ଆଦିବାସୀଙ୍କ ସହ ନାଚୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ ବିଜେଡି ନେତାମାନେ ସେଠାରେ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jharsuguda-dd.jpg)