ଭୁବନେଶ୍ବର / ଝାରସୁଗୁଡ଼ା : ଝାରସୁଗୁଡ଼ା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ବିଶାଳ ବିଜୟ ହାସଲ କରିଛି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି। ଏକଦା ଦୁର୍ଗ ବୋଲି କୁହାଯାଉଥିବା ଏହି ଆସନରେ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଛି ଏବଂ ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେ ଅମାନତ ହରାଇଛନ୍ତି।

Advertisment

ବିଜୁ ଜନତା ଦଳ ପ୍ରାର୍ଥୀ ଦୀପାଳିଙ୍କୁ ମୋଟ ୬୦.୯୩% (୧,୦୭,୧୯୮) ଭୋଟ ମିଳିଥିବା ବେଳେ ବିଜେପିର ଟଙ୍କଧରଙ୍କୁ ୩୩.୨୪% (୫୮ ହଜାର ୪୭୭) ଭୋଟର ସମର୍ଥନ ଜଣାଇଛନ୍ତି। କଂଗ୍ରେସକୁ ମାତ୍ର ୨.୫୬% (୪୪୯୬) ଭୋଟ ମିଳିଛି ଏବଂ ୧.୧୮% (୨୦୭୪) ଭୋଟର ନୋଟାରେ ନିଜ ମତ ସାବ୍ୟସ୍ତ କରିଛନ୍ତି।

୪୮ ହଜାର ୭୨୧ଖଣ୍ଡ ଭୋଟ୍‌ରେ ଦୀପାଳି ବିଜୟୀ
ଦୁଇ ନମ୍ବରରେ ବିଜେପି, ଭୋଟ ପ୍ରତିଶତ ବଢ଼ିଲା
କଂଗ୍ରେସ ଭୋଟ ବାଣ୍ଟିନେଲେ ବିଜେଡି ଓ ବିଜେପି
ପୁଣିଥରେ ଅମାନତ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଗତି ଦଳ ପ୍ରାର୍ଥୀ ଜନ୍ମା ରୋହୀଦାସଙ୍କୁ ୭୧୭ ଖଣ୍ଡ, ଓଡ଼ିଶା ଜନତା ପାର୍ଟିର ମନିଷ ଶର୍ମାଙ୍କୁ
୨୮୬ ଖଣ୍ଡ, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକଙ୍କୁ ୪୨୮ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟ ୩ ସ୍ବାଧୀନ ପ୍ରାର୍ଥୀ ବିଜୟ ଜଲାନ୍, ମହେନ୍ଦ୍ର ଲୁହା ଓ ଜ୍ଞାନେନ୍ଦ୍ର ବେହେରା ଯଥାକ୍ରମେ ୪୫୪, ୮୩୦ ଓ ୯୭୨ ଖଣ୍ଡ ଲେଖାଏ ଭୋଟ୍ ପାଇଛନ୍ତି।

publive-image

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ବିଜେଡିକୁ ବଳ ଦେଇଛି ଏବଂ ପଦ୍ମପୁର ପରେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଶାସକ ଦଳ ବିରୋଧୀଙ୍କୁ ଚାପରେ ରଖିବାକୁ ସମର୍ଥ ହୋଇଛି। ଆଉ ପାଦେ ଆଗକୁ ଯାଇ କହିବାକୁ ଗଲେ ଏକଦା ପଶ୍ଚିମ ଓଡ଼ିଶାରେ ଦବ୍‌ଦବା ରଖିଥିବା କଂଗ୍ରେସ ଏଠାରେ ନିଜ ଉପସ୍ଥିତି ଜାହିର ପାଇଁ ସଂଘର୍ଷ କଲାଣି। କଂଗ୍ରେସ ପଶ୍ଚିମ ଓଡ଼ିଶାରୁ ସଭାପତି (ଶରତ ପଟ୍ଟନାୟକ) ବାଛିଥିଲେ ହେଁ, ସେ ଦଳକୁ ଆଶ୍ବସ୍ତ କରିପାରିନାହାନ୍ତି। ଯଦିଓ ଭୋଟ ହାର ବଢ଼ିଛି, ତଥାପି ବିଜେପିର ନୂଆ ସଭାପତି ବିଜେପି କର୍ମୀଙ୍କୁ ଖୁସି କରିପାରିନାହାନ୍ତି। କର୍ଣ୍ଣାଟକରେ ଶୋଚନୀୟ ପ୍ରଦର୍ଶନ ଓ ଝାରସୁଗୁଡ଼ା କ୍ଷତ ବିଜେପି କର୍ମୀଙ୍କୁ ଆଜି ଏକ ପ୍ରକାର ନିରାଶ କରିଛି।

ଶନିବାର ସକାଳ ୮ଟାରୁ ଝାରସୁଗୁଡ଼ାସ୍ଥିତ ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ୧୪ଟି ଟେବୁଲରେ ମୋଟ ୧୯ ରାଉଣ୍ଡ ଭୋଟ୍ ଗଣତି କରାଯାଇଥିଲା। ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଗଣତି କେନ୍ଦ୍ରକୁ ସିସିଟିଭି ନଜରରେ ରଖିଥିଲା।

ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୭୦୬ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲେ। ୧୮ ରାଉଣ୍ଡ ଶେଷ ବେଳକୁ ଏହି ବ୍ୟବଧାନ ୪୮ ହଜାର ୪୫୯ରେ ପହଞ୍ଚିଥିଲା। ୧୯ତମ ରାଉଣ୍ଡରେ ବଳକା ବୁଥ୍, ପୋଷ୍ଟାଲ୍ ବ୍ୟାଲଟ ଆଦିକୁ ମିଶାଇ ୪୮ ହଜାର ୭୨୧ ଭୋଟ୍‌ରେ ବିଜେଡିକୁ ବିଜୟୀ ଘୋଷଣା କରାଯାଇଥିଲା।

publive-image

ବିଜୟୀ ପ୍ରାର୍ଥୀ ଦୀପାଳି ଦାସ ପ୍ରଥମ ପ୍ରତିକ୍ରିୟାରେ ସମସ୍ତ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘ନବ ଦାସଙ୍କ ନାଁ, ତାଙ୍କ ଅସ୍ତିତ୍ବ ପୁଣିଥରେ ଫେରିଆସିଛି। ଝାରସୁଗୁଡ଼ାର ବିକାଶକୁ କେହି ଅଟକାଇପାରିବେନି।’

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ‘ଆମେ ପରିଶ୍ରମ କରିଛୁ, କିନ୍ତୁ ବିଜେଡିର ପରିଶ୍ରମ ଟିକେ ଅଧିକ ରହିଲା ବୋଲି ସେମାନେ ବିଜୟୀ ହେଲେ।’ ତେବେ ଶ୍ରୀ ତ୍ରିପାଠୀ ଟ୍ବିଟ୍ କରି, ଉପନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବା ୫୮ ହଜାର ୪୭୭ ଭୋଟର ଧନ୍ୟବାଦ ଜଣାଇବା ସହିତ ଓ ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସୁରକ୍ଷିତ, ଭୟମୁକ୍ତ, ସ୍ବଚ୍ଛ, ଶିକ୍ଷିତ ଓ ସମୃଦ୍ଧ ଝାରସୁଗୁଡ଼ା ଗଠନ ପାଇଁ ସଂଗ୍ରାମ ତୀବ୍ରତର ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଥାଉକି, ୧୯୭୧ ମସିହା ପରଠାରୁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ କୌଣସି ଦଳ ୧ ଲକ୍ଷରୁ ଅଧିକ ଭୋଟ୍ ପାଇବାର ରେକର୍ଡ ନଥିଲା। ଚଳିତ ଉପନିର୍ବାଚନରେ ବିଜେଡ଼ି ଏହାକୁ ଭାଙ୍ଗିବାରେ ସଫଳ ହୋଇଛି। କେବଳ ସେତିକି ନୁହେଁ, ସ୍ବର୍ଗତ ନବ ଦାସ ତାଙ୍କ ରାଜନୈତିକ କ୍ୟାରିୟରରେ ପାଇଥିବା ଭୋଟ୍ ରେକର୍ଡକୁ ବି ଭାଙ୍ଗିଛନ୍ତି ଝିଅ ଦୀପାଳି। ୨୦୧୯ ସାଧାରଣ ନିର୍ବାଚନରେ ନବ ଦାସଙ୍କ ସପକ୍ଷରେ ୫୫.୯୭ ପ୍ରତିଶତ ଭୋଟ ପଡ଼ିଥିଲା। ଏହାଠାରୁ ପାଖାପାଖି ୫ ପ୍ରତିଶତ ଅଧିକ ଭୋଟର ଦୀପାଳିଙ୍କୁ ସମର୍ଥନ ଜଣାଇଛନ୍ତି।

ସେପଟେ, ୨୦୧୪ ମସିହାରୁ ଲଗାତାର ଭାବେ ଭାରତୀୟ ଜନତା ପାର୍ଟିର ଭୋଟ୍ ହାର ବୃଦ୍ଧି ପାଉଥିବା ବେଳେ ଚଳିତ ଥର ମଧ୍ୟ ତାହା ଅପରିବର୍ତ୍ତିତ ରହିଛି। ଗତ ନିର୍ବାଚନରେ ବିଜେପିକୁ ୫୨ ହଜାର ୯୨୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଏଥର ୩.୨% (୫,୫୫୬) ବୃଦ୍ଧି ହୋଇଛି। ତେବେ ୨୦୧୪ ପରଠାରୁ କଂଗ୍ରେସର ଭୋଟ୍ ହାର ଖସିବାର ଯେଉଁ ଧାରା ଆରମ୍ଭ ହୋଇଥିଲା, ତାହା ଏବେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଗତଥର କଂଗ୍ରେସ ୧୮,୮୨୩ ଖଣ୍ଡ ଭୋଟ୍ ଅର୍ଥାତ୍ ମୋଟ ପୋଲିଂର ୧୦.୬୮% ଭୋଟ୍ ପାଇଥିଲା। ମାତ୍ର ଚଳିତ ଥର କଂଗ୍ରେସର ଭୋଟ୍ ହାରରେ ପୁଣି ୮.୧୪% ହ୍ରାସ ଘଟିଛି। ଅର୍ଥାତ୍ ପୁଣିଥରେ କଂଗ୍ରେସ ଭୋଟ୍‌କୁ ବିଜେଡି ଓ ବିଜେପି ଭାଗ କରି ନେଇଛନ୍ତି। ଏଥର ଉପନିର୍ବାଚନରେ ମୋଟ ୧ ଲକ୍ଷ ୭୫ ହଜାର ୬୧୬ ଜଣ ମତଦାତା ମତଦାନ କରିଥିଲେ।