ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଗସ୍ତ କରି ଆମଲିପାଲିସ୍ଥିତ ପଡ଼ିଆରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଦୀପାଳି ଏ ମାଟିର ଝିଅ ହୋଇଥିବାରୁ ଝାରସୁଗୁଡ଼ାବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେବେ। ଏହି ଭରସା ଲୋକଙ୍କ ନିକଟରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଥିଲେ। ଏହା ସହ ବିରୋଧୀଙ୍କୁ କଡ଼ା ସମାଲୋଚନା ବି କରିଥିଲେ। ସେ କହିଥିଲେ, ପଦ୍ମପୁର ଉପନିର୍ବାଚନରେ ବାପାଙ୍କୁ ହରାଇଥିବା ଗୋଟିଏ ଝିଅ ପ୍ରତି ବିରୋଧୀ ଦଳ ଯେଭଳି ବ୍ୟବହର କ‌ଲେ, ତାହା ଆପଣମାନେ ଜାଣନ୍ତି। ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେମିତି ବ୍ୟବହାର କରୁଛନ୍ତି, ଗାଳି ଦେଉଛନ୍ତି। ଏହା ମୋତେ ବହୁତ ଦୁଃଖ ଦେଇଛି। ନିର୍ବାଚନରେ ହାର୍‌ଜିତ୍‌ ରହିଛି। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଶାଳୀନତା ରକ୍ଷା କରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିରେ ମା’ମାନଙ୍କୁ ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ ବୋଲି ଚେତାଇ ଦେଇଥିଲେ।

Advertisment

ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ବର୍ଗତ ନବ କିଶୋର ଦାସ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା। ସେ ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ। ତାଙ୍କ ଦାୟିତ୍ବ ନେବା ପାଇଁ ତଥା ସେବା କରିବା ପାଇଁ ତାଙ୍କ ସୁଯୋଗ୍ୟ କନ୍ୟା ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି। ସେ ଜଣେ ଉଚ୍ଚଶିକ୍ଷିତା ଓ ସମାଜସେବାରେ ତାଙ୍କର ରୁଚି ରହିଛି। ମୋର ବିଶ୍ବାସ ସେବା କରିବାର ସୁଯୋଗ ମିଳିଲେ, ସେ ତାକୁ ସାକାର କରିପାରିବେ। ଏହା ପୂର୍ବରୁ ନବୀନ ପଟ୍ଟନାୟକ ନବ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥି ସହିତ ସେ କହିଥିଲେ ଝାରସୁଗୁଡ଼ାର ବିକାଶ ହେଉଛି। ଆପଣମାନେ ବିକାଶରେ ବିଶ୍ବାସ କରନ୍ତି। ବିଜେଡି ମା’ମାନଙ୍କର ବିକାଶରେ ବିଶ୍ବାସ କରେ। ଚାଷୀ ଭାଇଙ୍କ ବିକାଶରେ ବିଶ୍ବାସ କରେ। ଯୁବଶକ୍ତି ଉପରେ ବିଶ୍ବାସ କରେ। ଆପଣମାନେ ଚାହିଲେ ଝାରସୁଗୁଡ଼ା ଏକ ନମ୍ବର ଜିଲ୍ଲା ହୋଇପାରିବ। ନିର୍ବାଚନ ସମୟରେ ଆମେ ସମସ୍ତେ ଶାନ୍ତି ରକ୍ଷା କରିବା ଜରୁରୀ।

ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଥିଲେ, ରାଜ୍ୟରେ ଗରିବୀ ହଟିଛି, କ୍ରୀଡ଼ାର ବିକାଶ ହୋଇଛି, ଯୁବ ଓ ମହିଳା ସଶକ୍ତୀକରଣ ହେଉଛି। ପ୍ରଯୁକ୍ତିବିଦ୍ୟା‌ ଯୋଗୁ ପରିବର୍ତ୍ତନ ବି ହେଉଛି। ଆଉ ଏହି ପରିବର୍ତ୍ତନର ସୂତ୍ରଧର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ଅନ୍ୟତମ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାଙ୍କ ଭାଷଣରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଝାରସୁଗୁଡ଼ାରେ ଏକ ଦୁଃଖଦ ସ୍ଥିତିରେ ଉପନିର୍ବାଚନ ହେଉଛି। ବିରୋଧୀ ଦଳ ମୃତ୍ୟୁକୁ ନେଇ ରାଜନୀତି କରୁଛନ୍ତି। ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ାବାସୀ ଏହାର ଜବାବ୍‌ ଦେବେ। ବିରୋଧୀଙ୍କ ରକ୍ତଚାପ ବଢ଼ିଯାଇଥିବାରୁ ସେମାନେ ବାଉଳିଚାଉଳି ହେଉଛନ୍ତି। ତେଣୁ ସେମାନେ ଶଙ୍ଖ ଫୁଙ୍କନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ। ଦଳର ପ୍ରାର୍ଥୀ ଦୀପାଳି ଦାସ ମଞ୍ଚରେ ଭାବବିହ୍ବଳ ହୋଇ ପଡ଼ିଥିଲେ। ନିଜ ବକ୍ତବ୍ୟ ରଖି ନବ ଦାସ ବଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚାସୀନ ହେବା ଦେଖି ବେଶ୍‌ ଖୁସି ହୋଇଥାନ୍ତେ ବୋଲି କହିଥିଲେ। ତେବେ ସ୍ବର୍ଗତ ନବ ଦାସ ତଥା ତାଙ୍କ ବାପା ଦେଖିଥିବା ସ୍ବପ୍ନକୁ ସେ ପୂରଣ କରିବେ ବୋଲି କହିବା ସହ ଲୋକଙ୍କୁ ଭୋଟ୍‌ ମାଗିଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ଶାରଦା ନାୟକ ଧନ୍ୟବାଦ ଦେଇଥିଲେ। ବିଜେଡି ନେତା କୁନା ତ୍ରିପାଠୀ ଓ ଶ୍ରୀମୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ମଧ୍ୟ ବକ୍ତବ୍ୟ ରଖିଥିଲେ। ଦୀପାଳିଙ୍କ ଭାଇ ବିଶାଳ ଦାସ ମଞ୍ଚାସୀନ ଥିଲେ।

ରବିବାର ଅପରାହ୍‌ଣ ସାଢ଼େ ୪ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ଆମଲିପାଲିସ୍ଥିତ ସଭାସ୍ଥଳକୁ ଆସିଥିଲେ। ସେଠାରେ ପ୍ରଚାର କରିବା ପରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ବର ଫେରିଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସେପଟେ, ମୁଖ୍ୟମନ୍ତ୍ରୀ ମଞ୍ଚାସୀନ ଥିବା ବେଳେ ଝାରସୁଗୁଡ଼ାର କୃଷକ ସଂଗଠନ, ଜିଲ୍ଲା ବିଜେଡି, ଅଘରିଆ ସମାଜ, ତେଲୁଗୁ ସମାଜ, ଓବିସି ମଞ୍ଚ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଗୋଁଡ଼ ସମାଜର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା।