ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଇତି ମଧ୍ୟରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ନିଜର ପ୍ରାର୍ଥୀ କରିବ ବୋଲି ବିଜେଡି ଆଗୁଆ ଘୋଷଣା କରିସାରିଛି। କିନ୍ତୁ ମଙ୍ଗଳବାର ସୁଦ୍ଧା ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଉପନିର୍ବାଚନରେ ବିଜେଡି ଦୀପାଳିଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଉଭୟ ଅନୁକମ୍ପା ଓ ମହିଳା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଛକାପଞ୍ଝା ଲାଗିରହିଛି।

Advertisment

ବିଜେପି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ତ୍ରିପାଠୀ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିଲେ ସୁଦ୍ଧା ଗତ ବିଧାନସଭା ନିର୍ବାଚନଠାରୁ ଝାରସୁଗୁଡ଼ା ଆସନରେ ଦଳୀୟ ପ୍ରାର୍ଥୀ ପାଇଁ ଦାବିଦାର ରହିଆସିଛନ୍ତି। ଏପରିକି ଗତ ନିର୍ବାଚନ ସମୟରେ ହୋଇଥିବା ଦଳୀୟ ସର୍ଭେରେ ବି ଶ୍ରୀ ତ୍ରିପାଠୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାବାଦ୍‌ ନବ ଦାସଙ୍କ ଦେହାନ୍ତ ପରଠାରୁ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ବ ନେଇଚାଲିଛନ୍ତି। ମାତ୍ର ଶ୍ରୀ ତ୍ରିପାଠୀ ଜିଲ୍ଲା ବିଜେପିର କୌଣସି ପଦପଦବିରେ ନଥିବା ବେଳେ ସେ ବାହାର ଜିଲ୍ଲାର ହୋଇଥିବାରୁ ଜିଲ୍ଲା ବିଜେପିର କିଛି ପୁରୁଖା ନେତା ତାଙ୍କୁ ବିରୋଧ କରିଆସୁଛନ୍ତି। ଏପରିକି କିଛି ନେତା ଗତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଚିଠି ଲେଖି ଅସନ୍ତୋଷ ଜାହିର କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା। ଦ୍ବିତୀୟରେ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିବା ଦିନେଶ ଜୈନଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି। ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ଅଧିକ ୧୭ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଚଳିତ ନିର୍ବାଚନରେ ବି ତାଙ୍କୁ ଟିକଟ ମିଳିପାରେ ବୋଲି କୁହାଯାଉଛି।

କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ନାଁ ଟିକଟ ପାଇଁ ସାମ୍ନାକୁ ଆସିନି। ଗତକାଲି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍‌ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ। ଟିମ୍‌ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଛି। ଏହି ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚାହେଉଛି। ଗତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ାରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାଏକଙ୍କୁ ଦଳ ଏଥର ଟିକଟ ଦେଇପାରେ ବୋଲି କୁହାଯାଉଛି। ଦ୍ବିତୀୟରେ ପୂର୍ବତନ ବିଧାୟକ ବୀରେନ୍‌ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କ ନାଁ ବି ସାମ୍ନାକୁ ଆସୁଛି। ନିକଟରେ ବୀରେନ୍‌ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍‌ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ତେବେ ମହିଳା ଭୋଟ୍‌ ହାତେଇବା ପାଇଁ ଦଳ ଶେଷରେ ଜଣେ ମହିଳାଙ୍କୁ ବି ପ୍ରାର୍ଥୀ କରିପାରେ ବୋଲି ଦଳୀୟ ମହଲରେ ମତପ୍ରକାଶ ପାଇଛି। ଏପ୍ରିଲ ୨୦ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଛି। ତେଣୁ ହାତରେ ଆହୁରି ଦୁଇ ସପ୍ତାହ ରହିଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ଯଦିଓ ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଛି, କିନ୍ତୁ ଶାସକ ବିଜେଡି ଇତିମଧ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଦେଇଥିବାରୁ ଦୁଇ ଜାତୀୟ ଦଳ ମଧ୍ୟ ନିଜନିଜର ପ୍ରାର୍ଥୀ ମନୋନୟନ ଉପରେ ବେଶ୍‌ ଗୁରୁତ୍ବ ଦେଇଥିବା ପରିଲକ୍ଷିତ ହୋଇଛି।