ଝାରସୁଗୁଡ଼ା କ୍ୟାନସର କେୟାର ସେଣ୍ଟର ବାଟ ଫିଟିଲା

ପରିଚାଳନା କରିବ ଭାଇଜାଗ ହସ୍ପିଟାଲ ଏଣ୍ଡ କ୍ୟାନସର ରିସର୍ଚ ସେଣ୍ଟର, ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ ସ୍ଥିତି ଅସ୍ପଷ୍ଟ

ଭୁବନେଶ୍ବର : ଝାରସୁଗୁଡ଼ାରେ ଏକ କ୍ୟାନସର କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ବାଟ ଫିଟିଛି। ବିଶାଖାପାଟଣାସ୍ଥିତ ଭାଇଜାଗ ହସ୍ପିଟାଲ ଏଣ୍ଡ କ୍ୟାନସର ରିସର୍ଚ ସେଣ୍ଟର(ଭିଏଚ୍‌ସିଆରସି) ପରିଚାଳନା କରିବା ପାଇଁ ଟେଣ୍ଡର ହାତେଇଛି। ରାଜ୍ୟ ସରକାର ୨ ଆବେଦନକାରୀ ସଂସ୍ଥା ମଧ୍ୟରୁ ଭିଏଚ୍‌ସିଆରସିକୁ ଚୟନ କରିଛନ୍ତି। ତେବେ ସଂପୃକ୍ତ ସଂସ୍ଥା ପକ୍ଷରୁ ସହମତି ନ ମିଳିବା ପର୍ଯ୍ୟନ୍ତ ଦ୍ବିତୀୟ ସଂସ୍ଥାକୁ ରିଜର୍ଭରେ ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଝାରସୁଗୁଡ଼ାରେ ହେବାକୁ ଥିବା କାର୍ଡିଆକ୍ କେୟାର ହସ୍ପିଟାଲ ସଂପର୍କରେ ସ୍ଥିତି ଅସ୍ପଷ୍ଟ ରହିଛି।

ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲକୁ ପିପିପି(ସରକାରୀ ଓ ଘରୋଇ ଭାଗିଦାରୀ) ମୋଡ୍‌ରେ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟେଣ୍ଡର ଆହ୍ବାନ କରିବା ପରେ ବେଙ୍ଗାଲୁରୁସ୍ଥିତ ହେଲ୍‌ଥ କେୟାର ଗ୍ଲୋବାଲ ଏଣ୍ଟରପ୍ରାଇଜ୍ ଓ ଭାଇଜାଗ ହସ୍ପିଟାଲ ଓ କ୍ୟାନସର ରିସର୍ଚ ସେଣ୍ଟର ଝାରସୁଗୁଡ଼ା ହସ୍ପିଟାଲକୁ ପରିଚାଳନା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଭାଇଜାଗ ହସ୍ପିଟାଲ ଏଣ୍ଡ କ୍ୟାନସର ରିସର୍ଚ ସେଣ୍ଟର ବାର୍ଷିକ ୭.୨କୋଟି ଟଙ୍କା ସହ ସର୍ବାଧିକ ବିଡର ରହିଥିଲା। ତେଣୁ ରାଜ୍ୟ ସରକାର ଏହାକୁ ଚୟନ କରିଥିଲେ। ଯାହାଫଳରେ କ୍ୟାନସର ହସ୍ପିଟାଲ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି।

ଅପରପକ୍ଷରେ ଝାରସୁଗୁଡ଼ାରେ ହେବାକୁ ଥିବା କାର୍ଡିଆକ୍ କେୟାର ହସ୍ପିଟାଲ ସଂପର୍କରେ ସ୍ଥିତି ଅସ୍ପଷ୍ଟ ରହିଛି। ୫ ଏକରରୁ ଅଧିକ ଜମିରେ ନିର୍ମିତ ଏହି ହସ୍ପିଟାଲ ପାଇଁ ୧୦୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୂର୍ବରୁ କାର୍ଡିଆକ୍ କେୟାର ହସ୍ପିଟାଲର ପରିଚାଳନା ପାଇଁ ଯେଉଁ ସଂସ୍ଥା ଚୟନ ହୋଇଥିଲା ପରବର୍ତୀ ସମୟରେ ସଂସ୍ଥା ଏଥିରୁ ଓହରି ଯାଇଥିଲା। ହସ୍ପିଟାଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ମଧ୍ୟ ଓହରି ଯାଇଥିଲା। ଫଳରେ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ନେତୃତ୍ବରେ ଏକ ଟିମ୍ ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ ସହିତ ଆଲୋଚନା କରିଥିଲେ। ମେଦାନ୍ତ ହସ୍ପିଟାଲ ସହ ଆଲୋଚନା ସଫଳ ହୋଇଥିବା ବେଳେ ସଂପୃକ୍ତ ହସ୍ପିଟାଲର ଏକ ଟିମ୍ ଝାରସୁଗୁଡ଼ା ଆସି ହସ୍ପିଟାଲର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ସଂପୃକ୍ତ ଟିମ୍ ଝାରସୁଗୁଡ଼ାରେ ଏହାର ଯାଞ୍ଚ କରିଥିବା ବେଳେ ହସ୍ପିଟାଲକୁ ପରିଚାଳନା କରିବେ କି ନାହିଁ ତାହା ସଂପର୍କରେ କୌଣସି ସୂଚନା ମିଳିନାହିଁ। ଫଳରେ ଗତବର୍ଷ ଅକ୍ଟୋବର ସୁଦ୍ଧା ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଆଶା ମଉଳି ଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଝାରସୁଗୁଡ଼ା କ୍ୟାନସର ହସ୍ପିଟାଲ ପାଇଁ ଭାଇଜାଗ ହସ୍ପିଟାଲ ସର୍ବାଧିକ ବିଡର ଭାବେ ଚୟନ କରାଯାଇଛି। ତେବେ କାର୍ଡିଆକ୍ କେୟାର ହସ୍ପିଟାଲ ପାଇଁ ପ୍ରଚେଷ୍ଟା ଜାରି ରହିଛି। ମେଦାନ୍ତ ଏହାକୁ ପରିଚାଳନା କରିବା ସଂପର୍କରେ ଅଧିକାରୀ ଜଣକ କିଛି କହିବା ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର