ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଆସିବା ପାଇଁ ଜିଲ୍ଲାପାଳ ସରୋଜ ସାମଲ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ କାଲି ସମ୍ବଲପୁରୀ ଦିନ୍ ଅବସରରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପ୍ରତିମାସ ଦ୍ବିତୀୟ ଓ ଚତୁର୍ଥ ଶୁକ୍ରବାର ଦିନ ସମସ୍ତ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଆସିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଏହି ଚିଠି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି। ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୩ ମସିହାରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖ ଦିନ ପାଳିତ ହୋଇ ଆସୁଥିବା ‘ସମ୍ବଲପୁରୀ ଦିନ୍’ କ୍ରମେ ଏକ ସାର୍ବଜନୀନ ମହୋତ୍ସବର ରୂପ ନେଇଛି। ସଂସ୍କୃତିର ସହର ସମ୍ବଲପୁରରେ ଏହା ମହାଆଡ଼ମ୍ବରରେ ପାଳିତ ହୋଇଥିଲାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଉତ୍ସାହର ସହ ପାଳନ କରାଯାଉଛି। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାଳେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଭଳି ଜିଲ୍ଲାରେ କାର୍ଯ୍ୟକ୍ରମକୁ ନେଇ ସରକାରୀ ନିର୍ଦ୍ଦେଶନାମା ଏହି ମହୋତ୍ସବକୁ ଏକପ୍ରକାର ସରକାରୀ ସ୍ବୀକୃତି ଦେଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସମ୍ବଲପୁରରେ ମୁଖ୍ୟ କାର୍ଯ୍ୟକ୍ରମ ସହ ରାଜ୍ୟର ୨୦ରୁ ଅଧିକ ସ୍ଥାନରେ ଏକକାଳୀନ ସମ୍ବଲପୁରୀ ଦିନ୍ ପାଳନ କରାଯାଇଛି। ସେହିପରି ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ପ୍ରଥମ ଥର ପାଇଁ ଏହାକୁ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରା ଯାଇଥିଲା।

ସମ୍ବନ୍ଧିତ ଖବର