ଝାରସୁଗୁଡ଼ା : ଘର ଆଗରେ ବ୍ୟାରିକେଡ୍ କରାଯାଇଛି। ବ୍ୟାରିକେଡ୍ ବାହାରେ ବଫର ଜୋନ୍ ଆଉ ଭିତରେ କଣ୍ଟେନ୍ମେଣ୍ଟ ଜୋନ୍। ଏଠାରେ ରହୁଥିବା ଅଧିବାସୀ ମାନଙ୍କୁ କିନ୍ତୁ ଜଣାନାହିଁ ସରକାରଙ୍କ ଏହି ଦୁଇଟି ଇଂରାଜୀ ଶବ୍ଦର ଅର୍ଥ। ଝାରସୁଗୁଡ଼ା ସହରର ମଧ୍ୟ ଭାଗରେ ବେହେରାମାଲ ଠାରେ ରହିଛି ରେଲୱେ ଓଭର ବ୍ରିଜ୍। ଓଭର ବ୍ରିଜ୍ ତଳେ ରହିଛି ଏକ ଛୋପଡ଼ପଟି ଅଞ୍ଚଳ। ଯେଉଁଠାରେ ଅନେକ ଛୋଟ ଛୋଟ ବ୍ୟବସାୟୀ ରହନ୍ତି। ଏମାନେ ଆଖୁପଣା, ଗୁପଚୁପ୍, ଚାଟ୍, ଦହିବରା ଆଳୁଦମ୍ ବିକ୍ରି କରି ଗୁଜରାଣ ମେଣ୍ଟାଉଥିବା ବେଳେ ଏଠାରେ ଥିବା ଛୋଟ ଛୋଟ ଚାଳିଆରେ ଛୁଆପିଲା ନେଇ ରହି ଆସୁଛନ୍ତି। ତେବେ ଏହି ଅଞ୍ଚଳରେ ଗତ ୫ ତାରିଖ ଦିନ ଜଣେ ଅଧିବାସୀଙ୍କ କରୋନା ପଜିଟିଭ୍ ବାହାରିବା ପରେ ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ପ୍ରଶାସନ ପକ୍ଷରୁ ଝୁମ୍ପୁଡ଼ି ଘର ଆଗରେ ରାସ୍ତା ସାଇଟ୍ରେ ବାଉଁଶ ବାଡ଼ ଦିଆଯାଇଥିଲା। ତେବେ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ଅଣ ଓଡ଼ିଆ ପରିବାର ଅଟନ୍ତି। ଜବରଦଖଲ ହୋଇଥିବା ଏହି ବସ୍ତିରେ କାହାରି ଘରେ ପାଇଖାନା ନାହିଁ। କିଏବା କେମିତି ବରପାଲି ପାଇଖାନାଟିଏ କରିଛି। ନାମକୁ ମାତ୍ର କଣ୍ଟେନ୍ମେଣ୍ଟ୍ ଜୋନ୍ କରାଯାଇ ଘର ଆଗରେ ବାଉଁଶ ସିନା ବାନ୍ଧି ଦିଆ ଯାଇଛି। ମାତ୍ର ବାଉଁଶ ଡେଇଁ ବାହାରକୁ ନଆସିଲେ ଏମାନଙ୍କ ଶୌଚାଦି ବନ୍ଦ। ଫଳରେ ଏମାନେ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି।
ସକାଳ ପାହିଲେ ଝୁମ୍ପୁଡ଼ି ଭିତରୁ ବାହାରକୁ ବାହାରି ଛୋଟ ଛୋଟ ଛୁଆ ବାହାରେ ଖେଳୁଥିବା ଦେଖା ଯାଉଛି। ପୂର୍ବରୁ କଣ୍ଟେନ୍ମେଣ୍ଟ ଜୋନ୍ ଆଗରେ ପୁଲିସ ପ୍ରହରା ରହୁଥିଲା। ଏବେ କର୍ମଚାରୀ ଅଭାବ ଦର୍ଶାଇ ଆଉ ପୁଲିସ ବ୍ୟବସ୍ଥା କରାଯାଉ ନାହିଁ। ସହର ଭିତରେ ଏବେ ଅନେକ ସ୍ଥାନରେ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି। ପ୍ରତିଦିନ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ଓ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଉଛି। ମାତ୍ର ଭିତର ଲୋକ ବାହାରେ ବିନା ପ୍ରତିବନ୍ଧକରେ ଘୁରି ବୁଲୁଛନ୍ତି। କେବଳ କଣ୍ଟେନ୍ମେଣ୍ଟ ଜୋନ୍ କରାଯିବା ପାଇଁ ଅଯଥା ବାଉଁଶ ବାଡ଼ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ସାର ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/jharsuguda.jpg)