ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଦିଲ୍ଲୀକୁ ଯାଉଥିବା ସ୍ପାଇସଜେଟ୍‌ର ବିମାନ ପ୍ରାୟ ସମୟରେ ବିଳମ୍ବିତ ଚାଲୁଛି। ଅନେକ ସମୟରେ ବିମାନ ବାତିଲ୍‌ ବି ହେଉଛି। ଯାହାକି ଯାତ୍ରୀ ଅସନ୍ତୋଷର ଏକ ପ୍ରମୁଖ କାରଣ ପାଲଟିଛି। ପୁଣି ଦିଲ୍ଲୀ ରୁଟ୍‌ରେ ଚାଲୁଥିବା ବିମାନ ସ୍ପାଇସଜେଟ୍‌ର ନିଜସ୍ବ ନୁହେଁ, ବରଂ ତୁର୍କୀର ଏକ ଟୁରିଜିମ୍‌ କମ୍ପାନି କୋରେଣ୍ଡନ୍‌ ଏୟାରଲାଇନ୍ସର ବୋଲି ଜଣାପଡ଼ିଛି। ଯଦିଓ ସ୍ପାଇସଜେଟ୍‌ର ନିଜସ୍ବ ବୋଇଂ ବିମାନଠାରୁ ଏହି ବିମାନର ଅବସ୍ଥା ବେଶ୍‌ ଭଲ, ତଥାପି ସ୍ପାଇସଜେଟ୍‌ ଭିନ୍ନ କମ୍ପାନିର ବିମାନ ଚଳାଚଳ କାହିଁକି କରୁଛି ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସ୍ପାଇସଜେଟ୍‌ର ଷ୍ଟେସନ ମ୍ୟାନେଜରଙ୍କୁ ପଚାରିବାରେ ୱିଣ୍ଟର ସିଡ୍ୟୁଲ୍‌ ପାଇଁ କୋରେଣ୍ଡନ୍‌ ଏୟାରଲାଇନ୍ସର ୧୨ଟି ୧୮୯ ସିଟର ବୋଇଂ ବିମାନ ଲିଜ୍‌ରେ ଅଣାଯାଇଥିବା ଉତ୍ତର ଦେଇଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ରୁଟ୍‌ରେ କେବଳ ସ୍ପାଇସଜେଟ୍‌ ହିଁ ଚଳାଚଳ କରୁଛି।

Advertisment

ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌ରେ ଚାଲୁଥିବା ଏହି ବିମାନ ସକାଳୁ ଦିଲ୍ଲୀରୁ ଲେହ ଲଦାଖକୁ ଯାଉଛି। ଦୈନିକ ଅନ୍ୟୂନ ୬ଟି ଡିପାର୍ଚର ନହେଲେ ବୋଇଂ ବିମାନ ଚଳାଇବା ସମ୍ଭବ ନୁହେଁ ବୋଲି ସ୍ପାଇସଜେଟ୍‌ ପକ୍ଷରୁ କୁହାଯାଇଛି। ଚଳିତ ୱିଣ୍ଟର ସିଡ୍ୟୁଲରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସଜେଟ୍‌ର ବୋମ୍ବାର୍ଡିଅର୍‌ ଏୟାରକ୍ରାଫ୍ଟ ଉଡ଼ାଣ କରିବା ନେଇ ଅନୁମତି ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପାଇସଜେଟ୍‌ ଉକ୍ତ ରୁଟ୍‌ରେ କେବେ ବିମାନ ଚଳାଇବ ତାହା ଘୋଷଣା କରିନାହିଁ। ଚଳିତ ୱିଣ୍ଟର ସିଡ୍ୟୁଲ୍‌ ପୂର୍ବରୁ ସ୍ପାଇସଜେଟ୍‌ ନିକଟରେ ମୋଟ ୨୫ଟି ବୋମ୍ବାର୍ଡିଅର୍‌ ଏୟାରକ୍ରାଫ୍ଟ ରହିଥିଲା। ସେଥିରୁ ଏବେ ୮ଟି କାର୍ଯ୍ୟକ୍ଷମ ରହିଛି। ସୀମିତ ଏୟାରକ୍ରାଫ୍ଟ ଯୋଗୁଁ ସ୍ପାଇସଜେଟ୍‌ ଉକ୍ତ ୨ଟି ନୂଆ ରୁଟ୍‌ରେ ଚଳାଚଳ ଆରମ୍ଭ କରିପାରୁ ନଥିବା ଜଣାପଡ଼ିଛି। ସ୍ପାଇସଜେଟ୍‌ ନିକଟରେ ଏବେ ୨୨ଟି ବୋଇଂ ବିମାନ ବି ରହିଛି। ମାତ୍ର ଏୟାରଲାଇନ୍ସ ‌ଦୈନିକ ୩୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିବାରୁ ବିମାନ ସଙ୍କଟ ଦେଖାଦେଇଛି। ଯାହାର ପ୍ରତିକାର ପାଇଁ ଏହି କୋରେଣ୍ଡନ୍‌ ଏୟାରଲାଇନ୍ସର ବିମାନଗୁଡ଼ିକୁ ଲିଜ୍‌ରେ ନିଆଯାଇଥିବା ସୂଚନା ମିଳିଛି।