ଝାରସୁଗୁଡ଼ା-ଦିଲ୍ଲୀ ବିମାନ ସେବା ବନ୍ଦ ହେବନି, ଡିଭିଆର୍‌ ସିଷ୍ଟମ ପରୀକ୍ଷଣ ଶେଷ

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିଲ୍ଲୀ ଉଡ଼ାଣ କରୁଥିବା ସ୍ପାଇସ୍‌ ଜେଟ୍‌ ବିମାନ ସେବା ଆସନ୍ତା ୨୫ରୁ ବନ୍ଦ ହେବା ନେଇ କିଛି ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଏହାକୁ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ.ଚୌହାନ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏ ସଂପର୍କରେ ସ୍ପାଇସ ଜେଟ୍‌ କିମ୍ବା ଏଏଆଇ ପକ୍ଷରୁ କୌଣସି ନିର୍ଦ୍ଦେଶ ନଥିବା ଶ୍ରୀ ଚୌହାନ କହିଛନ୍ତି। ଅତି ଅଳ୍ପ ଦିନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଏକ ପ୍ରମୁଖ ବିମାନବନ୍ଦର ପାଲଟିବାକୁ ଯାଉଥିବା ବେଳେ ଉଡ଼ାନ ଯୋଜନାରେ ଦେଶରେ ପ୍ରତିଷ୍ଠା ହୋଇଥିବା ବିମାନବନ୍ଦରଗୁଡ଼ିକ ମଧ୍ୟରେ ଏହା ଶ୍ରେଷ୍ଠ ୫ ତାଲିକାରେ ରହିଛି। ସେହିପରି ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌ ଏକ ବ୍ୟସ୍ତବହୁଳ ରୁଟ୍‌ରେ ପରିଣତ ହୋଇଛି। ଏହା କିଛି ଦିନ ତଳେ ଟିକେଟ ବୁକିଂ ଏଜେନ୍ସି ମେକ୍‌ ମାଇଁ ଟ୍ରିପ୍‌ ତାର ସର୍ଭେ ରିପୋର୍ଟରେ ପ୍ରକାଶ କରିଥିଲା। ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀ ଚୌହାନ କହିଛନ୍ତି ଯେ, ଦିଲ୍ଲୀ- ଝାରସୁଗୁଡ଼ା ବିମାନ ମାର୍ଗ ସବୁଠାରୁ ଅଧିକ ସଫଳ ରୁଟ୍‌ରେ ପରିଣତ ହୋଇଛି। ପୂର୍ବରୁ ଏହି ରୁଟ୍‌ରେ ୮୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ କରୁଥିଲା। ଯାତ୍ରୀ ସଂଖ୍ୟାରେ ବୃଦ୍ଧି ଯୋଗୁଁ ସ୍ପାଇସ ଜେଟ୍‌ ଏହି ରୁଟ୍‌ରେ ବୋଇଂ ୭୩୭ ଉଡ଼ାଣ ଆରମ୍ଭ କରିଥିଲା। ପ୍ରତିଦିନ ବିମାନ ଯାତ୍ରୀ ସଂଖ୍ୟା ୯୫ ପ୍ରତିଶତରୁ ଅଧିକ ହେଉଥିବାରୁ ଦିଲ୍ଲୀ- ଝାରସୁଗୁଡ଼ା ସେବା ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ଚୌହାନ କହିଛନ୍ତି।

ପାଗ ଖରାପ ଥିବା ବେ‌ଳେ ବିମାନ ଅବତରଣ ଓ ଉଡ଼ାଣରେ ହେଉଥିବା ଅସୁବିଧା ଦୂର କରାଯିବାକୁ ଆଇଏଲ୍‌ଏସ୍‌ ବ୍ୟବସ୍ଥା କରାଯାଉଥିବା ବେଳେ ଆଜି ଡିଭିଆର୍‌ ସିଷ୍ଟମର ପରୀକ୍ଷା ମଧ୍ୟ ହୋଇ ଯାଇଛି। ଖୁବ୍‌ଶୀଘ୍ର ଏହି ସିଷ୍ଟମ ଚାଲୁ ହୋଇଯିବ। ଏହା ଯୋଗୁଁ ଭିଜିବିଲିଟିରେ ଅନେକ ଉନ୍ନତି ହେବ ଓ ଆଜି ସ୍ପାଇସ ଜେଟ୍‌ ବିମାନରେ ଏହାକୁ ସଫଳ ଭାବରେ ପରୀକ୍ଷଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର