ଝାରସୁଗୁଡା/ସମ୍ବଲପୁର/ଇବଥର୍ମାଲ : ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା (୫୪)ଙ୍କ ରବିବାର ଦିନ ୩ଟାରେ ସମ୍ବଲପୁର କୋଭିଡ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ସେ ଗୃହ ସଂଗରୋଧରେ ରହିଥିଲେ। ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ଗତ ୩୦ ତାରିଖ ଶୁକ୍ରବାର ଦିନ ତାଙ୍କୁ ସମ୍ବଲପୁର କୋଭିଡ ହସପିଟାଲରେ ଭର୍ତ୍ତି କରା ଯାଇଥିଲା। ଶୁଶ୍ରୀ ପଣ୍ଡା ଅବିବାହିତା ଥିଲେ। ତାଙ୍କର ମା’ କାଦମ୍ବିନୀ ପଣ୍ଡା, ୩ ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି। ରବିବାର ସଂଧ୍ୟାରେ ସମ୍ବଲପୁର ଶାନ୍ତିନଗର ସ୍ଥିତ ଶାନ୍ତିଧାମରେ ତାଙ୍କ ଶେଷକୃତ୍ୟ କରାଯାଇଛି। ସାନ ଭାଇ ରୁଦ୍ର ପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ।
କଳ୍ପନା ଗଙ୍ଗାଧର ମେହେର କଲେଜରେ ଶିକ୍ଷା ସମାପ୍ତି ପରେ ପ୍ରଥମେ ସୋହେଲା କଲେଜରେ ଅଧ୍ୟାପନା କରିଥିଲେ। ଏହା ପରେ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ସମ୍ବଲପୁର ଲେଡିଲୁଇସ୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ହୋଇଥିଲେ। ଏହାପରେ ଅତାବିରା ବ୍ଲକ୍ ଶିକ୍ଷା ଅଧିକାରୀ, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାମ କରି ଗତ ୧-୨-୨୦୨୦ରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିଲେ। ସ୍ବଳ୍ପ ସମୟ କାଳ ମଧ୍ୟରେ ନିଜ କାର୍ଯ୍ୟ ଦକ୍ଷତା, ଅମାୟିକ ସ୍ବଭାବ ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ।
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ କତାବଗା ଗାଁରେ କଳ୍ପନାଙ୍କ ଜନ୍ମ। ତାଙ୍କ ବିୟୋଗରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ଓଷ୍ଟା ଝାରସୁଗୁଡ଼ା ଜିଲ୍ଲା ସଭାପତି ସଦାନନ୍ଦ ଦାସ, ସାଧାରଣ ସଂପାଦକ କିଶୋର ମହାନ୍ତି, ଉପସଭାପତି ଉମାକାନ୍ତ ପଣ୍ଡା, ଝାରସୁଗୁଡା ବ୍ଲକ୍ ସଭାପତି ଅନିଲ କୁମାର ପଟେଲ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହେମସାଗର ଚୌଧୁରୀ ଓ ଓଷ୍ଟା ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରା ଯାଇଛି।
ଚିକିତ୍ସା ଅବହେଳା ଅଭିଯୋଗ
ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା ସମ୍ବଲପୁର ଶିକ୍ଷା ମହଲର ଏକ ଜଣାଶୁଣା ନାମ। ସେ ସମ୍ବଲପୁରରେ ଚାକିରି ଜୀବନର ଅଧିକାଂଶ ସମୟ ବିତାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇ ଝାରସୁଗୁଡ଼ା ଯାଇଥିଲେ। ତାଙ୍କ ମୃତ୍ୟୁରେ ସମ୍ବଲପୁର ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି। ତେବେ ସେ ଯେଭଳି ଭାବେ ମୃତ୍ୟୁବରଣ କଲେ ତାହା ହିଁ ସବୁଠୁ ଉଦ୍ବେଗର କାରଣ ପାଲଟିଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁଶ୍ରୀ ପଣ୍ଡା ଉତ୍ତମ ଚିକିତ୍ସା ପାଇବା ଆଶାରେ ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ ଆସିଥିଲେ। ନୂଆ କରି ଖୋଲିଥିବା ଉକ୍ତ ଡାକ୍ତରଖାନାକୁ କଟକର ଅଶ୍ବିନୀ ହସ୍ପିଟାଲ୍ ପରିଚାଳନା କରୁଥିବାରୁ ତଥା ସେଠାରେ ବହୁ ସଂଖ୍ୟାରେ ଭେଣ୍ଟିଲେଟର୍, ଆଇସିୟୁ ଆଦି ଥିବାରୁ ଉତ୍ତମ ଚିକିତ୍ସା ମିଳିବା ଆଶାରେ ସୁଶ୍ରୀ ପଣ୍ଡା ସମ୍ବଲପୁର ଯାଇଥିଲେ। କିନ୍ତୁ ସେଠି ଝାରସୁଗୁଡ଼ା ଜିଲ୍ଲାର ରୋଗୀଙ୍କୁ ଭର୍ତ୍ତି କରାଯାଉ ନଥିବା ଜଣା ପଡ଼ିଥିଲା। ସୁଶ୍ରୀ ପଣ୍ଡା ବରଗଡ଼ ଜିଲ୍ଲା ନିବାସୀ ହୋଇଥିଲାବେଳେ ବରଗଡ଼ ରୋଗୀଙ୍କୁ ବି ଅନୁମତି ନଥିଲା। ତେଣୁ ସେ ତାଙ୍କୁ ଭର୍ତ୍ତି ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସୁଶ୍ରୀ ପଣ୍ଡାଙ୍କୁ ଭର୍ତ୍ତି ପାଇଁ ରାଜି ହୋଇଥିଲେ।
ସେ ଚାଲିଚାଲି ହସ୍ପିଟାଲ୍ ଭିତରକୁ ଯାଇଥିଲେ। କିନ୍ତୁ ପ୍ରବେଶ ସ୍ଥଳରେ ତାଙ୍କୁ ଦେଢ଼ ଘଣ୍ଟା କାଳ ଅଟକାଇ ଦିଆ ଯାଇଥିଲା। ଜିଲ୍ଲାପାଳ କହିଥିବା ସତ୍ତ୍ବେ ତାଙ୍କୁ ଏଠୁ ସେଠିକୁ କରି ୯୦ ମିନିଟ୍ କାଳ ଭିତରକୁ ଛଡ଼ା ଯାଇ ନଥିଲା। ଭିତରକୁ ଯିବା ପରେ ତାଙ୍କୁ ଏକ ସାଧାରଣ ଶଯ୍ୟାରେ ରଖା ଯାଇଥିଲା ଯେଉଁଠି ଅକ୍ସିଜେନ୍ ଆଦି କୌଣସି ବ୍ୟବସ୍ଥା ନଥିଲା। ରାତିରେ ସେ ନିଜ ପରିଜନଙ୍କ ସହ ଏକାଧିକ ବାର କଥାବାର୍ତ୍ତା କରିଥିଲେ। ତାଙ୍କ କଥାବାର୍ତ୍ତାରେ କୌଣସି ଅସ୍ବାଭାବିକତା ନଥିଲା। ଶନିବାର ଦିନ ୧୦ଟା ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଠିକ୍ ଥିବା ହସ୍ପିଟାଲ୍ ସୂତ୍ରରୁ ଜଣା ପଡ଼ିଥିଲା। ହେଲେ ସେତେବେଳକୁ ତାଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ହୋଇ ସାରିଥିଲା। ଆଉ ତାଙ୍କ ସହ କେହି ଯୋଗାଯୋଗ କରିପାରି ନଥିଲେ। ତାଙ୍କ ଅକ୍ସିଜେନସ୍ତର ହ୍ରାସ ପାଇଥିଲା ଓ ସେ ଅକ୍ସିଜେନ୍ ମାଗିଥିଲେ। ହେଲେ ତାଙ୍କୁ ବହୁ ବିଳମ୍ବରେ ଅକ୍ସିଜେନ୍ ଦିଆ ଯାଇଥିବା ଅଭିଯୋଗ ହୋଇଛି। ରବିବାର ଦିନ ପ୍ରାୟ ୨ଟା ୩୦ ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଥିଲା। ତେଣୁ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜଣେ ସରକାରୀ ଅଧିକାରୀଙ୍କ ଯଦି ଏଭଳି ଅବସ୍ଥା ହେଉଛି ତା’ହେଲେ ସାଧାରଣ ଲୋକଙ୍କର କିଭଳି ଚିକିତ୍ସା ହେଉଥିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘରେ ନ ପଶୁଣୁ ମୁଣ୍ଡରେ ଚାଳ
ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ ଆରମ୍ଭ ହେବା ଦିନଠୁ ନାନା ପ୍ରକାର ଅଭିଯୋଗ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ପିତାଙ୍କୁ ନେଇ ଡାକ୍ତରଖାନାକୁ ପଶି ଆସିବାରୁ ସେଠାରେ ତାଙ୍କୁ ଭର୍ତ୍ତି କରାଯାଇ ପାରିବ ନାହିଁ ବୋଲି କହା ଯାଇଥିଲା। ସେହି ସମୟରେ ସେହି ହସ୍ପିଟାଲ୍ ପ୍ରବେଶ ସ୍ଥଳରେ ହିଁ ତାଙ୍କ ପିତା ଅଚେତ ହୋଇ ପଡ଼ି ଯାଇଥିଲେ। ବ୍ୟକ୍ତି ଜଣକ ତାଙ୍କୁ ଟିକିଏ ଦେଖିବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ବହୁ କାକୁତିମିନତି ହେଲେ। କିନ୍ତୁ କେହି ଶୁଣିଲେ ନାହିଁ କି ପାଖକୁ ଆସିଲେ ନାହିଁ। ଫଳରେ ଡାକ୍ତରଖାନା ଦାୟିତ୍ବରେ ଥିବା ଜଣେ ସରକାରୀ ଅଧିକାରୀ ପାଖକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଉଠାଇଥିଲେ। ସେହିପରି ସବୁ ବ୍ୟବସ୍ଥା ଥିବା ଏହି ଡାକ୍ତରଖାନାରେ ରୋଗୀଙ୍କୁ ଭେଣ୍ଟିଲେଟର୍ ତ ଦୂରର କଥା ଠିକ୍ରେ ଅକ୍ସିଜେନ୍ ବି ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହି ଡାକ୍ତରଖାନାରେ ନୂଆପଡ଼ା, ବଲାଙ୍ଗୀର ଆଦି ଜିଲ୍ଲାରୁ ରେଫର୍ ହୋଇ ଆସିଥିବା ରୋଗୀଙ୍କୁ ଭର୍ତ୍ତି କରାଯାଉଛି ହେଲେ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ରୋଗୀଙ୍କୁ ରଖାଯାଉ ନାହିଁ। ସେଥି ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି କହାଯାଉଛି। ହେଲେ ସାଧାରଣ ରୋଗୀଙ୍କ ପକ୍ଷରେ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିବା ସମ୍ଭବ ହେଉନାହିଁ। କେବଳ ସେତିକି ନୁହେଁ ସମ୍ବଲପୁର ଜିଲ୍ଲାର ରୋଗୀ ମଧ୍ୟ ଭର୍ତ୍ତି ହେବା ପାଇଁ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ଏକ ନିର୍ଦ୍ଦିଷ୍ଟ ନମ୍ବରରେ ଫୋନ୍ କରି ନିଜ ସମସ୍ୟା ବିଷୟରେ ଜଣାଇବା ପରେ ଯାଇ ଯଦି ଡାକ୍ତର ଯୋଗ୍ୟ ମନେ କରୁଛନ୍ତି ତା’ହେଲେ ଭର୍ତ୍ତି କରାଯାଉଛି। ହେଲେ କୌଣସି ଗୁରୁତର ରୋଗୀ ବି ସିଧାସଳଖ ଯାଇ ଡାକ୍ତରଖାନାରେ ପହଞ୍ଚିଲେ ତାକୁ ଭର୍ତ୍ତି କରାଯାଉ ନାହିଁ।