ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଝାରସୁଗୁଡ଼ା : ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ, ଏକତା ଓ ଜାତୀୟ ସଂହତିକୁ ବଜାୟ ରଖିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ, ସମ୍ବିଧାନ ପ୍ରଦତ୍ତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ ପୂର୍ବକ ଦେଶ ପ୍ରଗତିରେ ସହଯୋଗ ପାଇଁ ୭୪ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ ଅବସରରେ ଜିଲ୍ଲାପାଳ ସରୋଜ ସାମଲ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ସାମଲ  ସମବେତ ଜନତା ଓ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଦେଶ ପ୍ରଗତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମଲ ଏହି ଅବସରରେ ରାଜ୍ୟ ତଥା ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ।

ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଭୂମିକା ସମ୍ପର୍କରେ ଉଲ୍ଲେଖ ପୂର୍ବକ ଜିଲ୍ଲାପାଳ ବୀର ସୁରେନ୍ଦ୍ର ସାଏ , କରୁଣାକର ସିଂ, ଚିନ୍ତାମଣି ପୂଜାରୀ, ଗଣେଶ ରାମ ଉପାଧ୍ୟାୟ ପ୍ରମୁଖଙ୍କ ସ୍ମୃତି ଚାରଣ କରିଥିଲେ। ଜିଲ୍ଲାସ୍ତରୀୟ ପରେଡ୍‌ରେ ପୁଲିସ ବ୍ୟାଣ୍ଡ ସହ ସ୍କୁଲ କଲେଜର ମୋଟ୍‌ ୨୧ଟି ଦଳ ଅଂଶଗ୍ରହଣ କରିଥିଲେ। ସିନିଅର ଡିଭିଜନରେ ଏଲ୍‌ ଏନ୍‌ କଲେଜ ଆର୍ମି ଉଇଙ୍ଗ, ଜୁନିଅର ଡିଭିଜନରେ ଜବାହର ନବୋଦୟ ବିଦ୍ୟାଳୟ ଓ ସବ୍ ଜୁନିଅର ସ୍ତରରେ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ଶ୍ରେଷ୍ଠ ପରେଡ଼ ଦଳ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ପ୍ରଜ୍ଞାପନ ମେଢ଼ରେ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଆଦିବାସୀ ନୃତ୍ୟ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ କନ୍ୟା ସନ୍ତାନ ମେଢ଼ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଜ୍ଞାପନ ମେଢ଼ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସରସ୍ୱତୀ ବିଦ୍ୟା ମନ୍ଦିର, ତରେଇକେଲା ପ୍ରଥମ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଦ୍ଵିତୀୟ ଓ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୭୪ତମ ଜିଲ୍ଲା ସ୍ତରୀୟ ପରେଡ୍‌ ପରିଚାଳନା କରିଥିଲେ ରିଜର୍ଭ ଇନ୍‌ସପେକ୍ଟର ନୀଳମାଧବ ସ୍ୱାଇଁ ଓ ସର୍ଜେଣ୍ଟ ବିଜୟ ମୁଦୁଲି। ଏହି ଅବସରରେ ଜିଲ୍ଲାର ମାଣ୍ଡିଆ ଚାଷୀ କିର୍ମିରାର ଯତୀନ୍ଦ୍ର ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଜିଲ୍ଲାର ୫ଜଣ ଗ୍ରାମ ରୋଜଗାର ସେବକ ଓ ୮ଟି ସ୍କୁଲକୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଓ ଦୁର୍ଘଟଣାଗସ୍ତ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୨ଜଣଙ୍କୁ ଗୁଡ୍‌ ସାମାରିଟାନ ପୁରସ୍କାର ସହ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଲାୟନ୍ସ କ୍ଲବ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉପକାରାଗାରରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ସହ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକ, ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe