ଝାରସୁଗୁଡ଼ା: ଗତ ଦଶହରା ସମୟରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ତେବେ ସେତେବେଳେ ଅଳକା ନେଇଥିବା ପଦକ୍ଷେପର ଏବେ ପ୍ରତିଶୋଧ ନେବାକୁ ଯାଇ ଦୀପାଳିଙ୍କ ସମର୍ଥିତ ଗୋଷ୍ଠୀର ଜଣେ ନେତାଙ୍କୁ ବ୍ରଜରାଜନରଗରେ ଦଳୀୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଉଠାଯାଉଥିବା ଚର୍ଚ୍ଚା ହେଉଛି। ନୂଆପିଢ଼ିରେ ନବ-କିଶୋର ବିବାଦର ଦ୍ବିତୀୟ ପର୍ଯ୍ୟାୟ ଏବେ ଝାରସୁଗୁଡ଼ା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ଦୀପାବଳି ଓ ଛଟ୍‌ ପୂଜା ପାଇଁ ଏବେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବ୍ରଜରାଜନଗର, ବେଲପାହାଡ଼ ଓ ଲଖନପୁରରେ ବିଧାୟିକା ଅଳକା ମହାନ୍ତିଙ୍କ ଶୁଭେଚ୍ଛା ପୋଷ୍ଟର ଲାଗିଛି। ଯେଉଁ ସ୍ଥାନରେ ବିଧାୟିକା ଅଳକା ମହାନ୍ତିଙ୍କ ପୋଷ୍ଟର ଲାଗିଛି, ଠିକ୍ ସେହି ସ୍ଥାନଗୁଡ଼ିକରେ ବ୍ରଜରାଜନଗର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ଦୀକ୍ଷିତଙ୍କ ପୋଷ୍ଟର ଲଗାଯାଇଛି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଅଳକାଙ୍କ ସ୍ବର କ୍ଷୀଣ ହେବାକୁ ଯାଉଥିବାବେଳେ ଏହି ଆସନ ଉପରେ ନବଗୋଷ୍ଠୀଙ୍କର ପୂର୍ବରୁ ମଧ୍ୟ ଆଖି ରହିଥିଲା।

Advertisment

ଏବେ ପୁଣି ପ୍ରତିଶୋଧ ନେବାକୁ ଯାଇ ନବଗୋଷ୍ଠୀ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଅଳକାଙ୍କ ପ୍ରତିଦ୍ବନ୍ଦ୍ବୀ କରି ଗଢ଼ି ତୋଳିବାର ଅଭିଯାନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଜଣେ ପରେ ଜଣେ ନୂଆ ଦାବିଦାର ସାମ୍ନାକୁ ଆସିଛନ୍ତି। ଶ୍ରୀ ଦୀକ୍ଷିତଙ୍କର ଏହି ପ୍ରଚାର ପୋଷ୍ଟରରେ ସୀମିତ ନାହିଁ ବରଂ ତାଙ୍କୁ ଲୋ‌କାଲ ନେତା ଭାବରେ ମଧ୍ୟ ଉପସ୍ଥାପିତ କରାଯାଇଥିବା ଦେଖିବାକୁ ମିଳିଛି। ଶ୍ରୀ ଦୀକ୍ଷିତଙ୍କର ଏହି ପୋଷ୍ଟର ବ୍ରଜରାଜନଗର ଓ ବେଲପାହାଡ଼ରେ ଲଗାଯାଇଥିବା ବେଳେ ଏଥିରେ ତାଙ୍କୁ ‘ଇ ମାଟିର ପୁଓ’ ଆଖ୍ୟା ଦିଆଯିବା ସହିତ ପରୋକ୍ଷରେ ଅଳକା ମହାନ୍ତିଙ୍କୁ ବାହାର ନେତା ବୋଲି ଦର୍ଶାଯାଇଛି।

ସେପଟେ ଝାରସୁଗୁଡ଼ା ରାଜନୀତିରେ ଗତକାଲି ଯାଏଁ ବିଧାନସଭା ଆସନ ପାଇଁ ଦାବିଦାର ମଧ୍ୟ ନ ଥିବା ଶ୍ରୀ ଦୀକ୍ଷିତଙ୍କର ହଠାତ୍‌ ପ୍ରଚାର ପଛରେ ନବଗୋଷ୍ଠୀଙ୍କର ପ୍ରଚ୍ଛଦ ସମର୍ଥନ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଶ୍ରୀ ଦୀକ୍ଷିତ ବିଜେପି ଛାଡ଼ି ସ୍ବର୍ଗତ କିଶୋର ମହାନ୍ତିଙ୍କ ନେତତ୍ବରେ ବି‌ଜେଡିରେ ସାମିଲ୍‌ ହୋଇଥିଲେ। ମାତ୍ର କିଶୋରଙ୍କ ଦେହାନ୍ତ ପରେ ସେ ନବଗୋଷ୍ଠୀରେ ସାମିଲ୍‌ ହୋଇ ଯାଇଥିଲେ। ଏପରିକି ନବ ଦାସଙ୍କୁ ଗୁଳିକାଣ୍ଡ ଦିନ ଗାନ୍ଧୀଛକରେ ହେବାକୁ ଥିବା କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ମଧ୍ୟ ଶ୍ରୀ ଦୀକ୍ଷିତଙ୍କ ଉପରେ ନ୍ୟସ୍ତ ଥିଲା। ତେଣୁ ଅଳକାଙ୍କୁ ଚେକ୍‌ମେଟ୍‌ ଦେବାକୁ ଯାଇ ନବଗୋଷ୍ଠୀ ନିଜର ଜଣେ ପ୍ରାର୍ଥୀଙ୍କୁ ନୂଆ ଦାବିଦାର ଭାବରେ ଛିଡ଼ା କରିବାକୁ ଉଦ୍ୟମ କରୁଥିବା ଜୋର୍‌ସୋର ଆଲୋଚନା ହେଉଛି।