ଭାଇ ନାହିଁ ତ କିଛି ନାହିଁ, ଯଦି ମରିବୁ ସାଥିହୋଇ ମରିବୁ

ପାରିବାରିକ ସଂପର୍କ କେତେ ନିବିଡ଼ ହୋଇପାରେ। ଜଣଙ୍କ ପାଇଁ ଆଉ ଜଣେ ନିଜ ମୂଲ୍ୟବାନ ଜୀବନ ଦେବାକୁ ତିଳେ ହେଲେ ସଂକୋଚ କରେନାହିଁ। ଆଜିର ସ୍ୱାର୍ଥପର ଦୁନିଆଁରେ ସଭିଏଁ ନିଜ ସ୍ୱାର୍ଥ ଓ ଉଦ୍ଦେଶ୍ୟ ପୁରା କରିବାରେ ବ୍ୟସ୍ତ । ଅନେକ ବିଡ଼ମ୍ବନାକୁ ନେଇ ଏଇ ଜୀବନ, ନିୟତି ବି କେତେ କ୍ରୁର ହୋଇପାରେ। ନିଜର ସବୁଠାରୁ ପ୍ରିୟ ବ୍ୟକ୍ତି ବା ବନ୍ଧୁଙ୍କୁ ହରାଇ ଦେବା ଭଳି ପରିସ୍ଥିତି ବି ଜୀବନରେ ଆସେ। ତା’ ପାଇଁ ସବୁକିଛି ବାଜି ଲଗାଇ ହାରିଗଲା ପରେ ଚାରିଆଡ଼େ ଦେଖାଯାଏ କେବଳ ଘନ ଅନ୍ଧକାର। ଆତ୍ମ ବିଶ୍ୱାସର ଭିତ୍ତି ଦୋହଲି ଯାଏ। ପରିସ୍ଥିତିରୁ ମୁକୁଳିବା ଅସମ୍ଭବ ଲାଗେ । ତା’ପରେ ସବୁକିଛି ଭାସିଯାଏ ଭାବପ୍ରବଣତର ସୁଅରେ….. ଝାରସୁଗୁଡ଼ା ଲହଣ୍ଡାବୁଡ଼ ବିଶ୍ୱାଳ ପରିବାର ଜଣେ ସଦସ୍ୟଙ୍କୁ ହରାଇ ସମସ୍ତେ ଜୀବନହାରି ଦେବାକୁ ସଂକଳ୍ପ କଲେ। ଦୁନିଆଁର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟ ଏମାନଙ୍କ ଆଗରେ ତୁଚ୍ଛ ହୋଇ ଯାଇଥିଲା। ଦୁଃଖରେ ଏତେ ମ୍ରିୟମାଣ ହୋଇପଡ଼ିଥିଲେ ଯେ, କାହା ଆଶ୍ବାସନା ଶୁଣିବା ପୂର୍ବରୁ ସାମୁହିକ ବିଷପାନ କଲେ। ଝାରସୁଗୁଡ଼ାରୁ ପ୍ରଶାନ୍ତ ମିଶ୍ରଙ୍କ ରିପୋର୍ଟ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଏକ ଭଡ଼ା ଘରେ ରହୁଥିଲେ ବିଶ୍ୱାଳ ପରିବାର। ପରିବାରରେ ଥିଲେ ମାଁ ପୁଷ୍ପାବତୀ ବିଶ୍ୱାଳ(୬୦), ଝିଅ ଲିଲି, ବନ୍ଦିତା, ପିଙ୍କି, ଭାଇ ଶ୍ରୀକାନ୍ତ ଓ ଦୀପକ। ପିତା ଗୋଲକ ବିହାରୀ ବିଶ୍ୱାଳଙ୍କ କିଛି ବର୍ଷ ପୂର୍ବରୁ ବିୟୋଗ ହୋଇଥିଲା। ସ୍ବର୍ଗତ ବିଶ୍ୱାଳଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁସବଗା ନିକଟ ଲକ୍ଷ୍ମୀପୁର ଗ୍ରାମରେ। ସେ ଏମ୍‌ସିଏଲ୍‌ କୋଇଲା ଖଣିବେ କାର୍ଯ୍ୟ କରୁଥିବାରୁ ପରିବା‌ର ନେଇ ବନ୍ଧବାହାଲ ଠାରେ ରହୁଥିଲେ। ସେଠାରେ ସେ ଅବସର ନେବାପରେ ଗାଁରେ ଏକ ଛୋଟ ଘର ନିର୍ମାଣ କରିଥିଲେ । ହେଲେ ସେଠାରେ ତାଙ୍କ ପରିବାର ଓ ସଂପର୍କିୟଙ୍କ ସହ ଭଲ ତାଳମେଳ ନଥିବା କାରଣରୁ ରହିନଥିଲେ। ତେଣୁ ଝାରସୁଗୁଡ଼ା ଆସି ଲହଣ୍ଡାବୁଡ଼ ଠାରେ ଏକ ଭଡ଼ାଘରେ ରହୁଥିଲେ। ଗୋଲକ ବିହାରୀଙ୍କ ବିୟୋଗ ପରେ ପରିବ‌ାର ସଦସ୍ୟ ମାନେ ଏକାଠି ରହୁଥିଲେ। ୨୦୧୮ ମସିହାରେ ବିଟେକ୍‌ ପଡ଼ୁଥିବା ସାନପୁଅ ଦୀପକ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲା। ବହୁ ଚିକିତ୍ସା ପରେ ମଧ୍ୟ ସେ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିନଥିଲା। ଦୀପକ ପିଛାରେ ସାରା ପରିବାର ଏକ ହୋଇ ଘରେ ଥିବା ସବୁ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ବାପା ଅବସର ପରେ ପାଇଥିବା ଟଙ୍କା ମଧ୍ୟ ଚିକତ୍ସାରେ ଖର୍ଚ୍ଚ ହୋଇ ସାରିଥିଲା। ପ୍ରାୟ ୩୦ ଲକ୍ଷ ଟଙ୍କା ଦୀପକର ଚିକିତ୍ସାରେ ପରିବାର ଲୋକେ ଖର୍ଚ୍ଚ କରି ସାରିଥିଲେ। ଦୁର୍ଘଟଣା ପରେ ଦୀପ ସ୍ମରଣଶକ୍ତି ହରାଇଥିଲେ। ଘରେ ଦୁଇ ଭଉଣୀ ଓ ମା ବ୍ୟତୀତ ଆଉ କାହାକୁ ସେ ଚିହ୍ନି ପାରୁନଥିଲେ। ସମସ୍ତେ ଅସୁସ୍ଥ ଭାଇଙ୍କୁ ଜୀବନ କରିଥିଲେ। ଭାଇ ଅସୁସ୍ଥ ହେବା ପରେ ଭୁବନେଶ୍ବରରେ ଏକ ଫାଇନାନ୍‌ସ ଇଷ୍ଟିଚ୍ୟୁଟରେ କାମ କରୁଥିବା ବଡ଼ ଭଉଣୀ ଲିଲି ଓ ଏକ ଘରୋଇ ନର୍ସିଂ ହୋମରେ ଫିଜିଓଥେରାପିଷ୍ଟ ଭାବରେ କାମ କରୁଥିବା ବନ୍ଦିତା ଚାକିରି ଛାଡ଼ି ପଳାଇ ଆସିଥିଲେ। ସାନ ଝିଅ ପିଙ୍କି ଉଚ୍ଚ ଶିକ୍ଷା ସାରି ଘରେ ଥିଲେ। ଦୁଇପୁଅ ସାନ। ବଡ଼ପୁଅ ଶ୍ରୀକାନ୍ତ ବିଟେକ୍‌ ପରେ ସୁନ୍ଦରଗଡ଼ ଏନ୍‌ଟିପିସିର ଏକ ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସାନପୁଅ ଦୀପକ ବ୍ଲାକ୍‌ ଡାଇମଣ୍ଡ କଲେଜରେ ବିଟେକ୍‌ ପଢ଼ୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ସୋମବାର ଦିନ ଅସୁସ୍ଥ ଥିବା ଦୀପକ ମୃତ୍ୟୁବରଣ ପରେ ସାରା ପରିବାର ଦୁଃଖରେ ଏତେ ଭାଙ୍ଗି ପଡ଼ିଥିଲେ‌ ଯେ, ସମସ୍ତେ ସାମୁହିକ ବିଷପାନ କରିଥିଲେ।

News18

ଯଦି ମରିବୁ ସାଥିହୋଇ ମରିବୁ
ଗତକାଲି ମୁଖ୍ୟ ଚିକିତ୍ସାଳୟରେ ସାମାନ୍ୟ ସୁସ୍ଥ ଥିବା ବେଳେ ମଝିଆ ଝିଅ ବନ୍ଦିତା କହିଥିଲେ ଯେ, ଯଦି ମରିବୁ ସାଥିହୋଇ ମରିବୁ ଏମିତି ସଂକଳ୍ପ ପିଲା ଦିନରୁ ନେଇଥିଲୁ । ଭାଇ ଦୀପକ ଆମ ସମସ୍ତଙ୍କ ଜୀବନ ଥିଲା ତାକୁ ଆମେ ସମସ୍ତେ ଭାରି ଭଲ ପାଉଥିଲୁ । ସେ ଆମକୁ ଛାଡ଼ି ଗଲାପରେ ଆମେ ବି ତା ସହିତ ଯିବାକୁ ନିଷ୍ପତ୍ତି ନେଇ ବିଷ ପିଇ ଦେଇଛୁ ବୋଲି କହିଥିଲେ।

ଫିନାଇଲ ସହିତ ପାରାକ୍ବେଟ୍‌ ପିଇଥିଲେ
ସୋମବାର ସନ୍ଧ୍ୟାରେ ଦୀପକର ସ୍ୱାସ୍ଥ୍ୟ ବିଗିଡ଼ି ଥିଲା । ତାକୁ ଡାକ୍ତରଖାନା ନେବାକୁ ପରିବାର ଲୋକ‌େ ପ୍ରସ୍ତୁତ ହେଲେ । ବଡ଼ଭାଇ ଶ୍ରୀକାନ୍ତ ଓ ତାର ଦୁଇ ଜଣ ସାଙ୍ଗ ଦୀପକକୁ ଏକ ଘରୋଇ ନର୍ସିଂ ହୋମ୍‌କୁ ନେଇଥିଲେ। ସେଠ‌ାରେ ସେ ମୃତ୍ୟୁବରଣ କରିଥିଲା। ରାତ୍ରରେ ମୃତ ଦେହ ଘରକୁ ଆଣିବା ପରେ ଘରେ ଦୀପକର ମା, ୩ ଭଉଣୀ ଓ ଭାଇ ଶ୍ରୀକାନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିଛି ବୁଝିବା ଆଗରୁ ସମସ୍ତେ ହିତାହିତ ଜ୍ଞାନ ଭୁଲି ଜୀବନ ହାରି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଘରେଥିବା ଫିନାଇଲ ଓ ପାରାକ୍ବେଟ ମିଶେଇ ସମସ୍ତେ ପିଇ ଦେଇଥିବା କୁହାଯାଇଛି। ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ କହିଛନ୍ତି ଯେ, ସେମାନେ କୋଣାର୍କ ଫିନାଇଲ ଓ ପାରାକ୍ବେଟ ପିଇଥିବା ଜଣାପଡ଼ୁଛି। ସାଇଣ୍ଟିଫିକ୍‌ ଟିମ୍‌ ଅନୁସନ୍ଧାନ ବେଳେ ଘରେ ଗୋଟିଏ ଲିଟରର କୋଣାର୍କ ଫିନାଇଲ ବୋତଲ ଓ କାପିକ୍‌ ପାରାକ୍ବେଟ୍‌ ଡାଇକ୍ଲୋରାଇଡ୍‌ ୨୪ ପରସେଣ୍ଟ ଏସ୍‌ଏଲ୍‌ ୨୫୦ ଏମ୍‌ଏଲ୍‌ ବୋତଲ ପାଇଥିଲେ।

Deccan Chronicle

ପ୍ରଥମେ ବଡ଼ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ଭାଇର ମୃତ ଦେହ ଘରେ ପହଞ୍ଚିବା ପରେ ବଡ଼ ଭଉଣୀ ଲିଲି ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିବା ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ। ଲିଲି ପ୍ରଥମେ ଲୁଗା ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ପରେ ସାମୁହିକ ବିଷପାନ କରିଥିଲେ। ଲିଲିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ଗତକାଲି ସକାଳେ ବୁର୍ଲା ନିଆଯାଇଥିଲା।

ଏକମାତ୍ର ରୋଜଗାରିଆ ପୁଅ ଆଖି ବୁଜିଲା ଶ୍ରୀକାନ୍ତ
ଭାଇ ମୃତରେ ଭାଙ୍ଗି ପଡ଼ିଥିବା ଶ୍ରୀକାନ୍ତର ଅବସ୍ଥା ଗୁରୁତର ହେବାରୁ ଗତ କାଲି ରାତିରେ ପୁଲିସ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲା। ଆଜି ସକାଳ ସାଢ଼େ ୭ ରେ ଶ୍ରୀକାନ୍ତକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରି ଝାରସୁଗୁଡ଼ା ପଠାଇ ଦେଇଥିଲା। ଶ୍ରୀକାନ୍ତ ପିଲା ଦିନରୁ ଭଲ ପାଠ ପଢ଼ୁଥିବା ବେଳେ ଭୂବନେଶ୍ବର ଠାରେ ‌କୌଣସି ଏକ ଶିକ୍ଷାନୁଷ୍ଠାନରୁ ବିଟେକ୍‌ ପାସ୍‌ କରିଥିବା କୁହାଯାଉଛି। ସୁନ୍ଦରଗଡ଼ ଏନ୍‌ଟିପିସିର ଏକ ଠିକା କମ୍ପାନୀରେ କାମ କରି ଯାହା ରୋଜଗାର କରୁଥିଲା ସେଥିରେ ଘର ଓ ଭାଇର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରୁଥିବା ତାର ବନ୍ଧୁ ମାନଙ୍କ ଠାରୁ ପ୍ରକାଶ।

ବୁର୍ଲାରେ ମା ଓ ତିନି ଝିଅ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି
ଗତ କାଲି ବିଷପାନ କରିବା ସତ୍ତ୍ବେ ଝିଅ ବନ୍ଦିତା ଓ ପିଙ୍କି ସାମାନ୍ୟ ସୁସ୍ଥ ଥିଲେ। ଗଣମାଧ୍ୟମ ପ୍ରତିନିଧି, ପୁଲିସ ଓ ଡାକ୍ତରଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଥିଲେ। ତେବେ ଆଜି ସକାଳେ ହଠାତ୍‌ ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ଦିନ ସାଢ଼େ ୧୧ ଟାରେ ଦୁଇ ଝିଅ ଓ ମାଙ୍କୁ ବୁର୍ଲା ପଠାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଚିକତ୍ସାଳୟ ଯାଇ ଚିକତ୍ସା ସଂପର୍କରେ ବୁଝିବା ସହିତ ୨୦ ହଜାର ଟଙ୍କା ଜିଲ୍ଲା ରେଡ୍‌କ୍ରସ୍‌ ସଂସ୍ଥାରୁ ପ୍ରଦାନ କରିଛନ୍ତି। ବୁର୍ଲାରେ ସାନ ଝିଅ ପିଙ୍କି ଓ ମା ପୁଷ୍ପାବତୀ ଗୁରୁତର ହୋଇ ପଡ଼ି ଥିବାରୁ ଉଭୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମଝିଆ ଝିଅ ବନ୍ଦିତା ମଧ୍ୟ ଗୁରୁତର ହୋଇ ପଡ଼ିଥିବା ବେଳେ ବନ ଝିଅ ଲିଲି ଏବେ ମଧ୍ୟ ଅଚେତ ହୋଇ ରହିଥିବା ଜଣାଯାଇଛି।

ଦୁଇ ଭାଇଙ୍କ ଶବ ମର୍ଗ ହାଉସରେ, ଶେଷକୃତ୍ୟ ହୋଇ ପାରିନି
ଦୁଇ ଭାଇ ଶ୍ରୀକାନ୍ତ ଓ ଦୀପକ ଉଭୟଙ୍କ ଶବ ଏବେ ଝାରସୁଗୁଡ଼ା ମର୍ଗ ହାଉସରେ ରଖାଯାଇଛି। ମୃତକଙ୍କ ପରିବାର ଲୋକ‌ କେହି ନଥିବାରୁ ତାଙ୍କର ଶେଷକୃତ୍ୟ କରିବାରେ ବିଳମ୍ବ ହେଉଥିବା ପୁଲିସ କହିଛି। ଏତେ ବଡ଼ ଏକ ହୃଦୟ ବିଦାରକ ଘଟଣା ଘଟିଥିଲେ ମଧ୍ୟ ତାଙ୍କ ସଂପର୍କିୟ କେହି ଆସି ନାହାନ୍ତି। ଧରାକୋଟ ଥାନା ଲକ୍ଷ୍ମୀପୁର ଠାରେ ରହୁଥିବା ବଡ଼ବାପା ଏକ ଭିଡ଼ିଓ ବାର୍ତ୍ତାରେ କେହି ଯାଇ ପାରିବେ ନାହିଁ ବୋଲି ଜଣାଇଥିବା ପୁଲିସ କହିଛି। ଗତକଲି ଠାରୁ ଦୀପକର ଶବ ରଖାଯାଇଥିବା ବେଳେ ଆଜି ବୁର୍ଲାରେ ମୃତ୍ୟୁବରଣ କରିଥିବା ଶ୍ରୀକାନ୍ତର ଶବ ମଧ୍ୟ ଅଣାଯାଇ ଏଠାରେ ରଖାଯାଇଛି। ତେବେ ପରିବାରର କିମ୍ବା ସଂପର୍କିୟ ଲୋକ କେହି ନଥିବାରୁ ଶବ ଶତ୍କାର କରିବା‌ରେ ସମସ୍ୟା ରହୁଛି ବୋଲି ଆଇଆଇସି ସାବିତ୍ରୀ ବଳ କହିଛନ୍ତି।

ସମ୍ବନ୍ଧିତ ଖବର