ଝାରସୁଗୁଡ଼ା: ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଝାରସୁଗୁଡ଼ାରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ଉ ହୋଇଛି। ଶୁକ୍ରବାର ଅପରାହ୍ଣରେ ଆୟକର ବିଭାଗର ୧୦ ରୁ ଅଧିକ ଟିମ୍ ସହରର ନାମୀ ହୋଟେଲ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କାର୍ଯ୍ୟାଳୟ, ପ୍ରାୟ ୪ ଜଣ ବ୍ୟାବସାୟିକ ସହଯୋଗୀଙ୍କ ଘରେ ଚଢ଼ଉ କରିଛି। ଏପରିକି ହୋଟେଲ ମେ’ ଫେୟାର୍ଠାରେ ବିଶାଳ ଦାସ, ତାଙ୍କ କର୍ମଚାରୀଙ୍କୁ ମଧ୍ୟ ଆୟକର ବିଭାଗର ଟିମ୍ ଦୀର୍ଘ ୩ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡ଼ିଥିଲା। ଖବର ଲେଖାହେବା ଯାଏ ଏହି ଚଢ଼ଉରେ ଆୟକର ବିଭାଗକୁ କିଛି ମିଳିଛି ନା ନାହିଁ ତାହା ସ୍ପଷ୍ଟ ହୋଇନି। ସେପଟେ, ଗଣମାଧ୍ୟମକୁ ଉତ୍ତର ଦେଇ ନିର୍ବାଚନ ପରିପ୍ରେକ୍ଷୀରେ ଆୟକର ବିଭାଗର ଏହା ଏକ ଛୋଟ ସର୍ଭେ ଥିଲା ବୋଲି ବିଜେଡି ନେତା ସନ୍ଦୀପ ଅବସ୍ତି କହିଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ୩ଟାରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଏକ ହୋଟେଲରେ ପ୍ରଥମେ ଆୟକର ବିଭାଗର ଟିମ୍ ଚଢ଼ଉ କରିଥିଲା।
ଏଥିରେ ସମ୍ବଲପୁର, ରାଉରକେଲା ଓ ଭୁବନେଶ୍ବରର ଟିମ୍ ସାମିଲ୍ ଥିଲେ। ତେବେ ଅପରାହ୍ଣ ସାଢ଼େ ୪ଟାରୁ ହୋଟେଲ ମେ’ ଫେୟାରରେ ଶ୍ରୀ ଦାସଙ୍କୁ ଆୟକର ବିଭାଗର ଟିମ୍ ପଚରାଉଚରା କରିବା ପରେ ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିଲା। ପରେ ପରେ ଜିଲ୍ଲା ବିଜେଡି ସଭାପତି ରବି ସିଂ, ସନ୍ଦୀପ ଅବସ୍ତି, ତାପସ ରାୟ ଚୌଧୁରୀ ପ୍ରମୁଖ ମଧ୍ୟ ହୋଟେଲ ଭିତରକୁ ଯାଇଥିଲେ। ତେବେ ଦୀର୍ଘ ସମୟର ପଚରାଉଚରା ପରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ଶ୍ରୀ ଦାସ ହୋଟେଲରୁ ବାହାରି ଚାଲିଯାଇଥିଲେ। ସେପଟେ, କୋଲାବିରା ବ୍ଳକ କୋଲାବିରାରେ ରହୁଥିବା ଶ୍ରୀ ଦାସ କାର୍ଯ୍ୟାଳୟର କର୍ମଚାରୀ ଆଶିଷ ଦାସ, ଅର୍ଡାର ସହଯୋଗୀ ମଳୟ ସାହୁଙ୍କ ଘରେ, କୋଲାବିରାରେ ଥିବା ଏକ କାରଖାନାରେ ମଧ୍ୟ ଆୟକର ବିଭାଗର ଚଢ଼ଉ ହୋଇଛି। ଏହାବ୍ୟତୀତ ଆଉ କିଛି ବ୍ୟବସାୟିକ ସହଯୋଗୀ ମଧ୍ୟ ଆୟକର ବିଭାଗର ରାଡାର୍ରେ ରହିଥିବା ସୂଚନା ମିଳିଛି।