ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଅନେକ କୁଖ୍ୟାତ ଓ ଅାନ୍ତଃରାଜ୍ୟ ଅପରାଧୀ ରହୁଛନ୍ତି। ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଉପକାରାଗାରରୁ ଜିଲ୍ଲା କାରଗାରକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଏହି ଜେଲ୍ରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଉନାହିଁ। ମୁଣ୍ଡ ଉପରେ ପାର୍ବଣ ଋତୁ ଥିବାରୁ ପୁଲିସ ଫେରାର ଥିବା ତଥା ଏକାଧିକ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରୁଛି। ଫଳସ୍ବରୂପ ଜେଲ୍ରେ କଏଦୀଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜିକାର ସ୍ଥିତି ଅନୁସାରେ, ଜେଲ୍ରେ ନିର୍ଦ୍ଧାରିତ କ୍ଷମତାରୁ ୪୫ ଜଣ ଅଧିକ କଏଦୀ ରହିଛନ୍ତି। କଏଦୀ ସଂଖ୍ୟା ଏଭଳି ବଢ଼ି ଚାଲିଲେ ଜେଲ୍ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ଚିନ୍ତା କରିବାକୁ ପଡ଼ିବ। ଏ ସଂପର୍କରେ ଜେଲ୍ ଅଧୀକ୍ଷକ ଅମୀୟ ବେହେରାଙ୍କ କହିବା କଥା, କିଛି କଏଦୀଙ୍କୁ ସମ୍ବଲପୁର ସର୍କଲ ଜେଲ୍କୁ ସ୍ଥାନାନ୍ତର ପାଇଁ ଡିଆଇଜିଙ୍କୁ ଚିଠି ଲେଖାଯାଇଛି। ଆବଶ୍ୟକ ପଡ଼ିଲେ ଜେଲ୍ ହସ୍ପିଟାଲ୍ରେ ୱାର୍ଡ ଖୋଲି ସେଠାକୁ କଏଦୀଙ୍କୁ ସ୍ଥାନାନ୍ତର କରାଯିବ।
ତଥ୍ୟ ଅନୁସାରେ ଜେଲ୍ର କ୍ଷମତା ୩୨୪ ଥିବାବେଳେ ଏବେ ୩୬୯ ଜଣ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି। ପୁରୁଣା ସ୍ଥିତି ଅନୁସାରେ ଜେଲ୍ରେ ୱାର୍ଡର ପଦ ୨୦ଟି ରହିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଦୀର୍ଘଦିନ ହେବ ଅନୁପସ୍ଥିତ ଅଛନ୍ତି ଓ ୬ଟି ପଦ ଫାଙ୍କା ପଡ଼ିଛି। ଏଭଳି ସ୍ଥିତିରେ ୧୩ ଜଣ ୱାର୍ଡର ୩ଟି ସିଫ୍ଟରେ ୩୬୯ ଜଣ କଏଦୀଙ୍କୁ ଜଗୁଛନ୍ତି। ପ୍ରତି ସିଫ୍ଟରେ ୪ ଜଣ ଲେଖାଏଁ ୱାର୍ଡର ଜଗୁଛନ୍ତି। ଅର୍ଥାତ୍ ଜଣେ ୱାର୍ଡରଙ୍କ ଉପରେ ୯୨ ଜଣ କଏଦୀଙ୍କ ଦାୟିତ୍ବ ରହୁଛି। ଏହି ଜେଲ୍ରେ ଅନେକ କୁଖ୍ୟାତ ଅପରାଧୀ ଅଛନ୍ତି। କର୍ମଚାରୀ ଅଭାବରୁ ସୁରକ୍ଷା ବ୍ୟବସ୍ଥା ଢିଲା ପଡ଼ିଯାଇଛି। ଏପରିକି ଜେଲ୍ର ୪ଟି ଯାକ ୱାଚ୍ ଟାୱାର୍ ଖାଲି ପଡ଼ୁଛି। ସେଠାରେ ଜଗିବା ପାଇଁ ଜଣେ ହେଲେ ୱାର୍ଡର ନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଜେଲ୍ର ଜଣେ ମଧ୍ୟ କର୍ମଚାରୀଙ୍କ ନିକଟରେ ବନ୍ଧୁକ ନାହିଁ। ଏବେ ଜେଲ୍ରେ ଥିବା ୧୦ଟି ୱାର୍ଡ, ୪ଟି ସେଲ୍ରେ ହିଁ କଏଦୀଙ୍କୁ ରଖାଯାଉଛି। ଏଭଳି ସ୍ଥିତିରେ ପ୍ରତି ୱାର୍ଡରେ ଜଗିବାକୁ ଜଣେ ଲେଖାଏଁ ୱାର୍ଡର ନାହାନ୍ତି। ମୁଖ୍ୟ ଫାଟକରେ ଜଣେ ୱାର୍ଡର ରହୁଥିବାବେଳେ ବଳକା ୩ ଜଣ ୱାର୍ଡର ସମସ୍ତ ୱାର୍ଡ ଓ ସେଲ୍ ଦାୟିତ୍ବରେ ରହୁଛନ୍ତି। ଏବେ ପୁଣି ମେଡିକାଲରେ ୨ଟି ୱାର୍ଡ ଖୋଲାଗଲେ ୱାର୍ଡରଙ୍କ ଉପରେ କାର୍ଯ୍ୟଚାପ ବଢ଼ିବା ସହ କଏଦୀଙ୍କ ଉପରୁ ନିୟନ୍ତ୍ରଣ ଚାଲିଯିବା ଆଶଙ୍କା ଦେଖାଦେଲାଣି। ଏହାଛଡ଼ା କୁଖ୍ୟାତ ଅପରାଧୀଙ୍କୁ ହସ୍ପିଟାଲ, କୋର୍ଟ ଆଦିକୁ ନେବା ସମୟରେ ୱାର୍ଡରଙ୍କୁ ନିରସ୍ତ୍ର ହୋଇ ଯିବାକୁ ପଡ଼ୁଛି। ସେହିଭଳି ଜେଲ୍ରେ କଏଦୀଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ କିଭଳି ସାମିଲ କରାଯିବ, ସେ ନେଇ ସଂଶୋଧିତ ଜେଲ୍ ମାନୁଆଲ ୨୦୨୦ରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ମାତ୍ର ଝାରସୁଗୁଡ଼ା ଜେଲ୍ରେ କଏଦୀଙ୍କୁ ଶିକ୍ଷାଦାନ ପାଇଁ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ଏଭଳି ସ୍ଥିତିରେ ଜେଲ୍ରେ କଏଦୀଙ୍କୁ ପାଠପଢ଼ା ଆଦୌ ହେଉନାହିଁ କହିଲେ ଚଳେ। କଏଦୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବାର ନିୟମ ରହିଥିଲେ ହେଁ, ଝାରସୁଗୁଡ଼ା ଜେଲ୍ରେ ମାତ୍ର ଗୋଟିଏ କମ୍ପ୍ୟୁଟର ରହିଛି। ବର୍ଷର ପ୍ରାୟ ସବୁ ସମୟରେ ଜେଲ୍ରେ କଏଦୀଙ୍କ ସଂଖ୍ୟା ୩୦୦ରୁ ଅଧିକ ରହୁଥିବାରୁ ଗୋଟିଏ କମ୍ପ୍ୟୁଟରରେ ସମସ୍ତଙ୍କୁ ଶିକ୍ଷାଦାନ ସମ୍ଭବ ହୋଇ ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/untitled-15-2025-09-10-07-14-45.jpg)