ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠରେ ଚାଲିଥିବା ବହୁଚର୍ଚ୍ଚିତ ମାଟି ଦୁର୍ନୀତି ଘଟଣାର ପ୍ରଶାସନିକ ତଦନ୍ତ ଜାରି ରହିଛି। ତଦନ୍ତର ୨ ଦିନ ପରେ ବି ପ୍ରକୃତରେ କେତେ ମାଟି ଚୋରି ହୋଇଛି ତାହା ଖଣି ବିଭାଗ ବି ଆକଳନ କରିପାରିନି। ସେପଟେ, ଏହି ମାଟି ଚୋରି ଘଟଣାର ଏକ ବଡ଼ ଦିଗ ଏବେ ସାମ୍ନାକୁ ଆସିଛି। ସରକାରୀ ଭାବେ ମାଟି କିଣିଲେ ରେଳବାଇ ଠିକାଦାରଙ୍କୁ ଅଧିକ ଦାମ୍ ପଡୁଥିବାରୁ ମାଫିଆଙ୍କ ସହାୟତାରେ ରୟତି ଜମିରୁ ବେଧଡ଼କ ମାଟି ଉଠାଣ କରୁଛନ୍ତି। ଯଦ୍ବାରା ରେଳବାଇ ଠିକାଦାର ପ୍ରତି ୧୦ ହଜାର ଘନମିଟର ମାଟି ପିଛା ୩ ଲକ୍ଷରୁ ଅଧିକ ଟଙ୍କା ଲାଭରେ ରହୁଥିବାବେଳେ ମାଟି ମାଫିଆ ଓ ଜମି ମାଲିକ ବି ଲାଭବାନ ହେଉଛନ୍ତି। ଲାଭାଂଶର କିଛି ଅଂଶ ସରକାରୀ ଅଧିକାରୀଙ୍କ ପକେଟ୍କୁ ଯାଉଥିବାରୁ ବେଆଇନ୍ ମାଟି ଖନନରେ କୌଣସି ଅସୁବିଧା ଉପୁଜୁ ନଥିବା ଅଭିଯୋଗ ହେଉଛି। ଏଥିପାଇଁ ଏକ ବଡ଼ ସିଣ୍ଡିକେଟ୍ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏ ନେଇ ତହସିଲଦାର ସଦାକର କୁମ୍ଭାରଙ୍କୁ ପଚାରିବାରେ, କୌଣସି ଜମିରୁ ୨ ଫୁଟରୁ ଅଧିକ ମାଟି ଖୋଳିବାକୁ ଅନୁମତି ନାହିଁ। ତେଣୁ ତଦନ୍ତ ଶେଷ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଜିଲ୍ଲା ଖଣି ବିଭାଗରେ ପ୍ରତି ଘନମିଟର ମାଟି ପାଇଁ ୩୫ ଟଙ୍କା ରୟାଲ୍ଟି, ୨୭ ଟଙ୍କା ସର୍ଚାର୍ଜ, ରୟାଲିଟି ଉପରେ ୩୦ ପ୍ରତିଶତ ଡିଏମ୍ଏଫ୍ ଚାର୍ଜ ବାବଦକୁ ୧୦ ଟଙ୍କା ୫୦ ପଇସା, ୫ ପ୍ରତିଶତ ଇଏମ୍ଏଫ୍ ଚାର୍ଜ ବାବଦକୁ ୧ ଟଙ୍କା ୭୫ ପଇସା ନିଆଯାଉଛି। ଅର୍ଥାତ୍ ୧ ଘନ ମିଟର ମାଟି ବାବଦକୁ ସରକାରୀ ଭାବେ ୭୪.୭୫ ପଇସା ପଡୁଛି। କିନ୍ତୁ ଠିକାଦାରମାନେ ମାଟି ମାଫିଆଙ୍କୁ ହାତ କରି ୧ ଏକର ଜମିରୁ ୧ ମିଟର ଗଭୀରତାର ମାଟି ନେବାକୁ ୪୦ ହଜାର ଟଙ୍କାରେ ଡିଲ୍ କରୁଛନ୍ତି। ୧ ଏକର ଅର୍ଥାତ୍ ୪୦୪୬ ବର୍ଗ ମିଟର। ଅର୍ଥାତ୍ ସରକାରୀ ଦରରେ ୪୦୪୬ ଘନମିଟର ମାଟି ନେବାକୁ ସେମାନଙ୍କୁ ୩ ଲକ୍ଷ ୨ ହଜାର ୪୩୮ ଟଙ୍କା ପୈଠ କରିବାକୁ ପଡ଼ୁଛି। ଯେଉଁଠି ଚୋରାରେ ମାଟି ନେଲେ ୧ ଏକର ଜମି ବାବଦକୁ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କାର ଲାଭରେ ରହୁଛନ୍ତି। ସେପଟେ, ମାଟି ମାଫିଆମାନେ ଏଭଳି ସ୍ଥାନରୁ ମାଟି ନେବାକୁ ବାଛୁଛନ୍ତି ଯେଉଁ ଜମି ନିକଟ ଭବିଷ୍ୟତରେ କୌଣସି ପ୍ରକଳ୍ପ ବା କମ୍ପାନି ଦ୍ବାରା ଅଧିଗ୍ରହଣ ହେବାର ରହିଛି।
ଏଥିରେ ଜମି ମାଲିକଙ୍କୁ ୩ ପ୍ରକାର ଲାଭର ପ୍ରଲୋଭନ ଦେଖାଯାଉଛି। ପ୍ରଥମେ, ଜମି ମାଲିକ ମାଟି ବିକି ଟଙ୍କା ରୋଜଗାର କରୁଥିବା ବେଳେ ଉକ୍ତ ଖାଲୁଆ ଜମିରେ ପାଉଁଶ ପୋତିବାକୁ ପାଉଁଶ ମାଫିଆଙ୍କ ସହ ଡିଲ୍ କରି ଏକର ପିଛା ୭୦ ହଜାର ଟଙ୍କା ପାଉଛନ୍ତି। ସେପଟେ, ଜମି ଅଧିଗ୍ରହଣ ହେଲେ କମ୍ପାନି ଦ୍ବାରା ନିର୍ଦ୍ଧାରିତ ଦର ବି ପାଉଛନ୍ତି। ତେବେ ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ଧରଣର ସିଣ୍ଡିକେଟ୍ କାମ କରୁଛି। କେଉଁ ଜମି ଅଧିଗ୍ରହଣ ତାଲିକାରେ ଯିବ ପ୍ରଥମେ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇ ସେ ସବୁ ଜମିକୁ ନିଜର ବ୍ୟବସାୟ ପାଇଁ ବ୍ୟବହାର କରାଯାଉଛି। ଏଥିରେ ରେଳବାଇ ଠିକାଦାର, ମାଟି ମାଫିଆ, ପାଉଁଶ ମାଫିଆ ସିଧାସଳଖ ଲାଭବାନ୍ ହେଉଛନ୍ତି। କିନ୍ତୁ ମାଟିର ରୟାଲ୍ଟି ବାବଦକୁ ସରକାରୀ ପାଣ୍ଠିକୁ ଯେଉଁ ରାଜସ୍ବ ଯିବା କଥା ତାହା ଯାଇପାରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/27/sCyFxeoByZkDlSONtA36.jpg)