ନୂଆ ବର୍ଷରେ ନୂଆ ବସ୍‌ଷ୍ଟାଣ୍ଡ, ଆଖି ଝଲସିଲା ଭଳି ହେବ ବସ୍‌ଷ୍ଟାଣ୍ଡର ରୂପରେଖ

ଝାରସୁଗୁଡ଼ା: ଆଖି ଝଲସି ଗଲା ଭଳି ହେବ ଝାରସୁଗୁଡ଼ାର ନୂତନ ବସ୍‌ଷ୍ଟାଣ୍ଡ। ଝାରସୁଗୁଡ଼ାରେ ରାଜ୍ୟର ସର୍ବ ପୂରାତନ ରେଳ ଷ୍ଟେସନ ପ୍ରତିଷ୍ଠା ହୋଇଥିଲା। ଏହା ପରେ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦର ଭାବେର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସ୍ଥାନିତ ହୋଇସାରିଛି। ଏବେ ଝାରସୁଗୁଡ଼ାବାସୀଙ୍କ ବହୁ ଦିନର ଆଶା ନୂତନ ବସଷ୍ଟାଣ୍ଡ ନୂଆ ବର୍ଷରେ ଲୋକାର୍ପଣ ହେବା ପ୍ରାୟ ନିଶ୍ଚିତ ହୋଇଯାଇଥିବା ଜଣାଯାଇଛି। ଯଦି ପ୍ରାଶାସନିକସ୍ତରରେ ନିର୍ମାଣ କାର୍ଯ୍ୟ ଉଚ୍ଚକୋଟୀର ହୋଇଥିବ ତେବେ ଏହି ବସ୍‌ଷ୍ଟାଣ୍ଡ ରାଜ୍ୟର ଏକ ପ୍ରମୁଖ ବସ୍‌ଷ୍ଟାଣ୍ଡର ମାନ୍ୟତା ପାଇବ। ଅଦ୍ୟାବଧି ବସ୍‌ଷ୍ଟାଣ୍ଡ ନିର୍ମାଣରେ ମୋଟ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇ ସାରିଛି।

ପ୍ରଥମ ପର୍ଯ୍ୟୟରେ ବେଦାନ୍ତ ଓ ଏମ୍‌ସିଏଲ୍‌ ‌ପକ୍ଷରୁ ଦିଆଯାଇଥିବା ସାଢ଼େ ୭ କୋଟି ଟଙ୍କାରେ ନିର୍ମାଣ ଅଧାପନ୍ତରିଆ ହୋଇ ଦୀର୍ଘ ବର୍ଷ ଧରି ପଡ଼ି ରହିଥିଲା। ପରେ ଗତ ବର୍ଷ ଏହି ଅଧୁରା ପ୍ରକଳ୍ପକୁ ଜିଲ୍ଲା ଖଣିଜ ପାଣ୍ଠିରୁ ୭ କୋଟି ୭୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇ କାମକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବସ୍‌ଷ୍ଟାଣ୍ଡ ନିର୍ମାଣ କାମ ପୂର୍ତ୍ତ ବିଭାଗ ଦ୍ବାରା ଚାଲିଥିବା ବେଳେ ଏହାର ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ନାଥ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ଏକ ବସ୍‌ଷ୍ଟାଣ୍ଡର ଅଭାବ ଥିଲା। ରେଲୱେ ବିଭାଗର ଜମିରେ ଏବେ  ସହର ଭିତରେ ଚାଲିଥିବା ବସ୍‌ଷ୍ଟାଣ୍ଡଟି ସହର ବଢ଼ିବା ସାଙ୍ଗକୁ ଏହା ସଙ୍କୁଚିତ ହୋଇ ଯାଇଛି। ଏହା ସାଙ୍ଗକୁ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହା ଶୋଚନୀୟ ହୋଇପଡ଼ିଛି। ଝାରସୁଗୁଡ଼ାବାସୀଙ୍କ ପାଇଁ ଏକ ନୂତନ ବସ୍‌ଷ୍ଟାଣ୍ଡର ପରିକଳ୍ପନା କରାଯାଇ ୨୦୧୨ ମସିହା‌ରେ ବାଲିଯୋରିଠାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ତେବେ ବିଭିନ୍ନ କାରଣ ଯୋଗୁଁ ଏହା ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା। ତେବେ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ପାଇଁ ଥିବା ୮. ୩୬ ଏକର ଜମିରୁ ଏବେ ୭.୧ ଏକର ଜମିରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ଟର୍ମିନାଲ ବିଲ୍‌ଡିଂ ଯେଉଁଥିରେ ତଳ ମହଲା, ପ୍ରଥମ ମହଲା, ୱାର୍କସପ୍‌, ଟଏଲେଟ ବ୍ଲକ ଏରିଆ, ଫିୁଡ୍‌ କିଓକ୍ସ ଏରିଆ ପାଇଁ ମୋଟ ୪୦୪୪.୧୭ ବର୍ଗମିଟର ସ୍ଥାନରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଗ୍ରାଉଣ୍ଡ କଭରେଜ, ବସ୍‌ ପାର୍କିଂ ଏରିଆ, ଭିଜିଟର୍ସ ପାର୍କିଂ ଏରିଆ, ଲ୍ୟାଣ୍ଡସ୍କାପ ଏରିଆ ରହିଛି। ବସ୍‌ଷ୍ଟାଣ୍ଡରେ ୧୬ ଟି ଅଚଳ ବସ୍‌ ରଖିବା ଭଳି ସ୍ଥାନ, ୧୪ଟି ନିୟମିତ ବସ୍‌ ପାଇଁ ସ୍ଥାନ, ୯ଟି ନାଇଟ୍‌ ବସ୍‌ ପାଇଁ ସ୍ଥାନ ରହିଛି। ଦୁଇ ଚକିଆ ପାର୍କିଂ ପାଇଁ ସ୍ଥାନ, ୬୬ଟି ତିନି ଚକିଆ ପାର୍କିଂ ଓ ୬୬ ଟି ଚାରି ଚକିଆ ପାର୍କିଂ ପାଇଁ ସ୍ଥାନ ରହିଛି। ୮ଟି ଫୁଡ୍‌ କିଓସ୍କ, ଗୋଟିଏ ଡର୍ମିଟେରି, ୮ଟି ଦୋକାନ, ଗୋଟିଏ ପୁଲିସ ଆଉଟପୋଷ୍ଟ, ୬ଟି ଟିକେଟ କାଉଣ୍ଟର, ଗୋଟିଏ ଲେଖାଏଁ ଅଫିସ, ପୁରୁଷ ଓ ମହିଳା ଶୌଚାଳୟ, ବିଶ୍ରାମ ସ୍ଥାନ, ଗୋଟିଏ ଲେଖାଏଁ କେୟାର, ପେଣ୍ଟ୍ରି, ୩ଟି ସୁଟ୍‌, ୱେଟିଂ ଲାଉଞ୍ଜ, ୨ଟି କମନ୍‌ ଡର୍ମିଟେରି, ଗୋଟିଏ ଡର୍ମିଟେରି, ଗୋଟିଏ ୱାର୍କସପ୍‌, ୩ଟି ସୁରକ୍ଷା ଗୃହ ଓ ଗେଟ୍‌, ବାହ୍ୟ ସର୍ବସାଧାରଣ ଶୌଚାଳୟ, ଇଲେକଟ୍ରିକ ରୁମ୍, ବସ୍‌ ଡ୍ରାଇଭ ୱେ ପ୍ରଭୃତି ନିର୍ମାଣ ହୋଇଛି। ସଂପ୍ରତି ନିର୍ମାଣକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ନୂଆବର୍ଷରେ ନୂଆ ବସ୍‌ଷ୍ଟାଣ୍ଡ ‌ଲୋକାର୍ପଣ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର