ଝାରସୁଗୁଡ଼ା ରାଜନୀତିରେ ମାଷ୍ଟର କାର୍ଡ ଖେଳିଲା ବିଜେଡି

ବିଜୁ ଜୟନ୍ତୀରେ କିଶୋରଙ୍କ ପୁଅକୁ ସାମ୍ନାକୁ ଆଣିଲା ବିଜେଡି

ପୌର ନିର୍ବାଚନକୁ ଆଖି, ଉପନିର୍ବାଚନରେ ବି ପ୍ରାର୍ଥୀ ହୋଇପାରନ୍ତି

ଝାରସୁଗୁଡ଼ା : ବିଜୁ ବାବୁଙ୍କ ଜୟନ୍ତୀରେ ଆଜି ଝାରସୁଗୁଡ଼ା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହିତ ସ୍ବର୍ଗତ କିଶୋର ମହାନ୍ତିଙ୍କ ପୁତ୍ର ପୁରୁଷୋତ୍ତମ ମହାନ୍ତିଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗକୁ ପୌର ନିର୍ବାଚନ ରହିଛି। ଏହା ପରେ ଯେ କୌଣସି ସମୟରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଠିକ୍ ଏତିକି ‌ବେଳେ ଦଳୀୟ କାର୍ଯ୍ୟକ୍ରମରେ ପୁରୁଷୋତ୍ତମଙ୍କ ଉପସ୍ଥିତି ରାଜନୈତିକ ପରିବେଶକୁ ଉଷ୍ମ କରିଛି। କିଶୋରଙ୍କ ସ୍ଥାନରେ ତାଙ୍କ ପୁଅ ରାଜନୈତିକ ମଙ୍ଗ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଜେ ନବ ଦାସ ପୁରୁଷୋତ୍ତମଙ୍କୁ ସାଙ୍ଗରେ ଧରି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।

ଝାରସୁଗୁଡ଼ା ତଥା ରାଜ୍ୟ ବିଜେଡିରେ ସ୍ବର୍ଗତ ମହାନ୍ତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଡିସେମ୍ବର ୩୦ ତାରିଖ ଦିନ ତାଙ୍କର ଆକସ୍ମିକ ବିୟୋଗ ପରେ ଝାରସୁଗୁଡ଼ା ବିଜେଡି ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସ୍ବର୍ଗତ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ଓ ବ୍ରଜରାଜନଗରରୁ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭା ବାଚସ୍ପତି, ରାଜ୍ୟସଭା ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦମଣ୍ଡନ କରିଥିଲେ କିଶୋର।

ଝାରସୁଗୁଡା ରାଜନୀତିରେ ଉଭୟ ନବ-କିଶୋରଙ୍କ ଭୂମିକା ସମସ୍ତେ ଜାଣନ୍ତି। ନବ କଂଗ୍ରେସରେ ଥାଇ କିଶୋରଙ୍କୁ ଏକାଧିକବାର ପରାଜିତ କରିଥିଲେ। ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଦୀର୍ଘ ବର୍ଷର ଶତ୍ରୁତା ଥିଲା। ୨୦୧୯ରେ ନବ ବିଜେଡିକୁ ଆସିବା ପରେ କିଶୋରଙ୍କୁ ଦଳ ବ୍ରଜରାଜନଗର ଆସନ ଦେଇଥିଲା। ଏହା ପରେ ଉଭୟଙ୍କ ସଂପର୍କରେ କିଛିଟା ସୁଧାର ଆସିଥିଲା। ହଠାତ କିଶୋରଙ୍କ ପରଲୋକ ପରେ ତାଙ୍କ ସମର୍ଥକମାନେ କିନ୍ତୁ ଭାଙ୍ଗିପଡ଼ିଥିଲେ। ଏଭଳି ସମୟରେ ପଞ୍ଚାୟତ ନିର୍ବାଚନ ଦଳ ସାମ୍ନା କରିଛି। ଯେହେତୁ ପୂର୍ବରୁ ବି ଗ୍ରାମାଞ୍ଚଳରେ ନବଙ୍କ ପତିଆରା ଟିକେ ଅଧିକ ଥିଲା, ଏଣୁ ଦଳ ସମସ୍ତ ୯ଟି ଆସନରେ ବିଜୟ ଲାଭ କରିଛି। ହେଲେ ପୌରପାଳିକାରେ କିଶୋରଙ୍କ ପଲା ଟିକେ ଭାରିଥାଏ। ଏହି ପରିପ୍ରେକ୍ଷୀରେ ନବଙ୍କ ସହିତ ପୁରୁଷୋତ୍ତମଙ୍କ ଆବିର୍ଭାବ ବିଜେଡି ଶିବିରଙ୍କୁ ଟିକେ ଆଶ୍ବସ୍ତ କରିଛି। ଠିକ ସମୟରେ ବିଜେଡି ରଣନୀତିକାରମାନେ ଏହି କାର୍ଡ ଖେଳିଛନ୍ତି। ଏହାଦ୍ବାରା କିଶୋରଙ୍କ ଭୋଟ ବ୍ୟାଙ୍କ ଅନ୍ୟ ଦଳକୁ ଯିବ ନାହିଁ, ବରଂ ପୁରୁଷୋତ୍ତମଙ୍କୁ ସଶକ୍ତ କରିବ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ଏଇଥିପାଇଁ ଯେ ଜିଲ୍ଲା ରାଜନୀତିରେ ଇତିମଧ୍ୟରେ ଗୋଟିଏ ନୂଆ ସମୀକରଣ ସୃଷ୍ଟି ହୋଇଛି। ଚଳିତ ପୌର ନିର୍ବାଚନ ପୂର୍ବରୁ କିଶୋରଙ୍କ ମୁଖ୍ୟ ସମର୍ଥକ ଥିବା ତଥା ବିଜେଡି ଝାରସୁଗୁଡ଼ା ନଗରପାଳ ଆସନ ପାଇଁ ଦାବିଦାର ଥିବା ତ୍ରିନାଥ ଗୁଆଲ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। କେବଳ ସେତିକି ନୁହେଁ, ନବଙ୍କ ସମର୍ଥକଙ୍କୁ ନୂଆ ବିଜେଡି ଓ କିଶୋର ସମର୍ଥକଙ୍କୁ ପୁରୁଣା ବିଜେଡି ବୋଲି କର୍ମୀମାନେ କୁହାକୁହି ହେଉଥିବା ବେଳେ ଆଜି ନବଙ୍କ ସହିତ କିଶୋରଙ୍କ ପୁଅ ପୁରୁଷୋତ୍ତମ ବୁଲିବା ବିଜେଡି ରାଜନୀତିରେ ଏହି ଅସନ୍ତୋଷକୁ ପ୍ରଶମିତ କରିବାରେ ଗୋଟିଏ ବଡ ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି।

ଉଲ୍ଲେଖଥାଉକି, କିଶୋରଙ୍କ ପୁଅ ପୁରୁଷୋତ୍ତମ ଇଲେକ୍ଟ୍ରିକାଲ ବିଭାଗରେ ଭୁବନେଶ୍ୱର ଏକ ଘରୋଇ ପ୍ରତିଷ୍ଠାନରେ ବିଟେକ୍‌ କରିଛନ୍ତି। ଆଗକୁ କିଶୋରଙ୍କ ଉତ୍ତରାଧିକାରୀ ଭାବେ ସେ ନିର୍ବାଚନୀ ମଇଦାନରେ ଉଭା ହେବେ। ନବ ଦାସ ମଧ୍ୟ ଉତ୍ତରାଧିକାରୀ ପ୍ରସ୍ତୁତ କରିସାରିଲେଣି। ନବଙ୍କ ପୁତ୍ର ବିଶାଳ ୨୦୧୯ରେ କଂଗ୍ରେସ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିଲେ। ହେଲେ ନବ ବିଜେଡିକୁ ଯିବା ପରେ ବିଶାଳ ରାଜନୀତି କରିବାକୁ ଆଉ ଇଚ୍ଛା କରିନାହାନ୍ତି। ବରଂ ନବଙ୍କ ଝିଅ ଦୀପାଳି  ଏବେ ରାଜନୀତିରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର