ଝାରସୁଗୁଡ଼ା ରାଜନୀତି: ବିଜେପିର ସମାନ୍ତରାଳ ସଙ୍ଗଠନ ନବଙ୍କୁ ସୁହାଉଛି

ଝାରସୁଗୁଡ଼ା, (ପ୍ରଶାନ୍ତ ମିଶ୍ର): ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ା ଓ ବ୍ରଜରାଜନଗର। ଜିଲ୍ଲାରେ ରହିଛି ମୋଟ ୫ଟି ବ୍ଲକ, ୭୮ଟି ପଞ୍ଚାୟତ ଓ ତିନୋଟି ପୌରସଂସ୍ଥା। ଜିଲ୍ଲାରେ ୯ଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି। ଝାରସୁଗୁଡ଼ା ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ଼ ଲୋକସଭା ଆସନ ଅନ୍ତର୍ଭୁକ୍ତ। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ରହିଛି ଝାରସୁଗୁଡ଼ା ପୌରସଂସ୍ଥା, ଲଇକେରା , କିର୍ମିରା, କୋଲାବିରା ଓ ଝାରସୁଗୁଡ଼ା ବ୍ଲକ୍‌ର ୧୨ଟି ପଞ୍ଚାୟତ। ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅଧୀନରେ ଲଖନପୁର ବ୍ଲକ୍‌, ଝାରସୁଗୁଡ଼ା ବ୍ଲକ୍‌ର ୫ଟି ଗ୍ରାମ ପଞ୍ଚାୟତ, ବ୍ରଜରାଜନଗର ପୌରସଂସ୍ଥା ଓ ବେଲପାହାଡ଼ ପୌରସଂସ୍ଥା ରହିଛି। ନବ କିଶୋର ଦାସ ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଭାବରେ ଝାରସୁଗୁଡ଼ା ଜିଲ୍ଲା‌ ରାଜନୀତିରେ ପ୍ରବେଶ କରିଥିଲେ ଓ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାଜିତ ହୋଇଥିଲେ।

ଏହାପରେ କିନ୍ତୁ ନବ ଆଉ ପରାଜୟର ମୁହିଁ ଦେଖି ନଥିଲେ। ୨୦୦୯ ଓ ୧୦୧୪ରେ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ। କଂଗ୍ରେସ ବିଧାୟକ ଥାଇ ମଧ୍ୟ ନବ ଶାସକ ଦଳକୁ ଏଭଳି ଭାବରେ ପରିଚାଳନା କରୁଥିଲେ ଯେ ଏଠାରେ ବିଜେଡି ନିଜକୁ ବିରୋଧୀ ଦଳ ଭାବରେ ବିବେଚନା କରିବାକୁ ପଛାଇ ନଥିଲା। ୨୦୧୯ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ଜିଲ୍ଲାରେ ନବ ଦାସ ଓ କିଶୋର ମହାନ୍ତିଙ୍କ ମଧ୍ୟରେ ରାଜନୈତିକ ବିରୋଧାଭାବ ଲାଗି ରହିଥିଲା। ୨୦୧୯ ସଧାରଣ ନିର୍ବାଚନ ପୂର୍ବରୁ ନବ ବିଜେଡିରେ ଯୋଗ ଦେବା ପରେ ସଂକଟ ଆହୁରି ବଢ଼ିଥିଲା। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କିଶୋର ମହାନ୍ତିଙ୍କୁ ନିର୍ବାଚନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେଉଁଠୁ ଛିଡ଼ା ହେବେ ତାହା ନିଷ୍ପତ୍ତି ହୋଇ ପାରି ନଥିଲା। ଶେଷ ମୁହୂର୍ତ୍ତରେ କିଶୋରଙ୍କୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଟିକଟ୍‌ ଦିଆଯାଇଥିଲା। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପୂର୍ବରୁ କେହି ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ନଥିବା ବେଳେ କିଶୋର ଏଠାରେ ପ୍ରଥମ ଥର ପାଇଁ ଖାତା ଖୋଲିଥିଲେ। ୨୦୧୯ ନିର୍ବାଚନରେ ବିଜୟୀ ହେବା ପରେ ନବଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଥିଲା। ଫଳରେ ସେ ପୂର୍ବ ଅପେକ୍ଷା ଆହୁରି କ୍ଷମତାଶାଳୀ ହୋଇପାରିଛନ୍ତି।

ପୂର୍ବରୁ ନବଙ୍କ ନେତୃତ୍ବାଧୀନ କଂଗ୍ରେସ ଜିଲ୍ଲା ପରିଷଦ ଓ ୫ଟି ବ୍ଲକ୍‌ରେ ବିଜୟ ବାନା ଉଡ଼ାଇ ଆସୁଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଓ ୫ଟି ବ୍ଲକ୍‌ କଂଗ୍ରେସ ଦଳ ଅଧୀନରେ ଥିଲା। କିନ୍ତୁ ନବ ବିଜେଡିରେ ଯୋଗଦାନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିଗୁଡ଼ିକ ନବଙ୍କ ହାତକୁ ଚାଲି ଆସିଥିଲା। ଫଳରେ ଜିଲ୍ଲାରେ ବିଜେଡି ଶକ୍ତଶାଳୀ ହୋଇ ଯାଇଥିଲା। ନବ କଂଗ୍ରେସ ଛାଡ଼ିବା ପରେ ଦଳ ଜିଲ୍ଲାରେ ତାର ଅସ୍ତିତ୍ବ ହରାଇବସିଲା। ନିର୍ବାଚନ ପରେ ମନ୍ତ୍ରୀ ନବ ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ଗରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ଲୋକ‌େ ସବୁବେଳେ ଏକତ୍ର ଦେଖିବାକୁ ପାଇଥିଲେ। ଏହି ତିନି ନେତାଙ୍କ ମଧ୍ୟରେ ଉତ୍ତମ ସଂପର୍କ ଓ ବୁଝାମଣା ଥିବା ଲକ୍ଷ୍ୟ କରାଯାଇଥିଲା। ଏହି ତିନି ନେତା ଜିଲ୍ଲାର ବିକାଶରେ ଏକତ୍ର ରହିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଭିନ୍ନ ସଭା ସମିତିରେ ‌ବାରମ୍ବାର ଘୋଷଣା କରିଥିଲେ। ତିନି କ୍ଷମତାଶାଳୀ ନେତା ଏକତ୍ର ରହିବା ପରେ ଜିଲ୍ଲାର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିବା ସ୍ବାଭାବିକ ଥିଲା। ଏଭଳି ସମୟରେ ବିଜେପି ରାଜ୍ୟ ସଂପାଦକ ଥିବା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ କୁହାଯାଉଥିବା ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ଼ ଜିଲ୍ଲାରୁ ଆସି ଝାରସୁଗୁଡ଼ାରେ ତାଙ୍କର ସଂଗଠନ ଗଢ଼ିବାକୁ ଲାଗିଲେ। ଧୀରେ ଧୀରେ ଟଙ୍କ ଝାରସୁଗୁଡ଼ା ବିଜେପି ରାଜନୀତିରେ ତାଙ୍କର ସ୍ଥିତି ସୁଦୃଢ଼ କରିବାକୁ ଲାଗିଲେ। ଫଳରେ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରି ସମାନ୍ତରାଳ ସଂଗଠନ ଚଳାଉଛନ୍ତି।

ଏଭଳି ପରିସ୍ଥିତିରେ ଅସହାୟ ମନେ କରି କିଛି ପୁରୁଣା ବିଜେପି ନେତା ଦଳଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରୁଥିବା କହୁଛନ୍ତି। ଗତ ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଜିଲ୍ଲା ବିଜେଡି ସଭାପତି ଥିବା ସ୍ବର୍ଗତ ମହାନ୍ତିଙ୍କ ଉତ୍ତରାଧିକାରୀ ବା ତାଙ୍କ ସ୍ଥାନ ପୂରଣ କରିବା ଭଳିଆ ନେତା କେହି ନଥିବା ଦୃଷ୍ଟିରୁ ବ୍ରଜରାଜନଗର ଦାୟିତ୍ବ ମନ୍ତ୍ରୀ ନବ ଦାସଙ୍କ ହାତକୁ ଆସିବା ସ୍ବାଭାବିକ। ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଗାମୀ ଦିନରେ ହେବାକୁ ଥିବା ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ‌େ ଓ କେମିତି ନିର୍ବାଚନ ପରିଚାଳନା ହେବ ତାହା ନବଙ୍କ ଉପରେ ନିର୍ଭର କରୁଥିବାରୁ ଜିଲ୍ଲା ରାଜନୀତିରେ ନବ ଏବେ ଆହୁରି କ୍ଷମତାଶାଳୀ ହୋଇ ଉଠିଛନ୍ତି। ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବେଳେ ବିଜେପିର ଅସଜଡ଼ା ସ୍ଥିତି ଓ କଂଗ୍ରେସର ଦୁର୍ବଳ ନେତୃତ୍ବ ବିଜେଡିକୁ ଅଧିକ ସୁହାଇବା ସହିତ ନବଙ୍କୁ ଟକ୍କର ଦେବା ଅନ୍ୟ ଦଳ ପାଇଁ କାଠିକର ପାଠ ହେବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା।

ସମ୍ବନ୍ଧିତ ଖବର