ଭୁବନେଶ୍ବର: ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେଉଛି। ଅପରାହ୍ଣ ଯାଏଁ ଏହା ଜାରି ରହୁଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗାଁଠୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ରହୁଛି।  ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ‌ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ରେ ଉଭୟ ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଅନୁଭୂତ ହୋଇଛି। ସେହିପରି ରାଉରକେଲାରେ ୪୨, କେନ୍ଦୁଝରରେ୪୧.୮, ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫, ବାଲେଶ୍ୱରରେ ୩୯.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୬ ଓ  ପାରାଦ୍ୱୀପ ତାପମାତ୍ରାରେ ୩୩.୯ ଡିଗ୍ରି ରେକର୍ଡ ହୋଇଛି।

publive-image ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଖଣ୍ଡହଥା ଗାଁର ମୁଖ୍ୟରାସ୍ତା ଜନଶୂନ୍ୟ। (ଫଟୋ: ବ୍ରଜାନନ୍ଦ)

ଗ୍ରୀଷ୍ମ ପ୍ରବାହ ଆହୁରି ୫ ଦିନ ଜାରି ରହିପାରେ। ସେଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରି ରହିପାରେ। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଦୁଇ ଦିନ ଭିତରେ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହୋଇପାରେ। 

-ମନୋରମା ମହାପାତ୍ର, ନିର୍ଦ୍ଦେଶିକା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଗ୍ରୀଷ୍ମକଷ୍ଟରେ ପୂରା ଓଡ଼ିଶା ଛଟପଟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ ଆତଙ୍କିତ କଲା ଭଳି ତଥ୍ୟ ଦେଇଛି। ବିଭାଗ ତରଫରୁ ଆଜି ଜାରି ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଲାଗିରହିବ। ପ୍ରଥମ ସପ୍ତାହରେ ସମ୍ଭାବନା ୬୮ ରୁ ୧୦୦% ଥିବା ବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ସମ୍ଭାବନା ରହିଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆହୁରି ସପ୍ତାହେ‌ କିମ୍ବା ୧୦ ଦିନ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍‌ଭର୍ନମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି