ଭିଜିଲାନ୍ସ ଜାଲରେ ଝାରସୁଗୁଡା ଆର୍‌ଟିଓର କୋଟିପତି ଏଏସ୍‌ଆଇ

ଜବତ ହେଲା ୨.୧୫ କୋଟିର ଆୟ ବହିର୍ଭୂତ ସମ୍ପତ୍ତି, କଟକ, ବ୍ରହ୍ମପୁର, କୃଷ୍ଣପ୍ରସାଦରେ କୋଠା

କଟକ : ଝାରସୁଗୁଡା ଆରଟିଓ ଅଫିସରେ କାମ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ ଶୁକ୍ରବାର ଦିନ ଭିଜିଲ‌ାନ୍‌ସ ଜାଲରେ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ୍ ବଳରେ ଏହି ଚଢଉ କରାଯାଇଥିଲା। କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ୬ଟି ସ୍ଥାନରେ ଚଢଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ହରେକୃଷ୍ଣ ତାଙ୍କ ଚାକିରି କାଳରେ ବିପୁଳ ପରିମାଣରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି। ତାଙ୍କ ଘରୁ ପୁଳା ପୁଳା ଟଙ୍କା, ୩ଟି କୋଠା, ଏକାଧିକ ପ୍ଲଟ ଏହିଭଳି ମୋଟ ମୋଟ ୨କୋଟି ୧୫ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ଟିମ୍ ହରେକୃ୍ଷ୍ଣଙ୍କ କଟକ ମଙ୍ଗଳାବାଗରେ ଥିବା ଦୁଇ ମହଲା କୋଠା, ପୁରୀ କୃଷ୍ପପ୍ରସାଦ ବ୍ଲକ, ମାଲୁଦରେ ଥିବା ଦୁଇ ମହଲା କୋଠା, ବ୍ରହ୍ମପୁର, କମାପଲ୍ଲୀ ଛକରେ ଥିବା ଦୁଇ ମହଲା କୋଠା, ଝ‌ାରସୁଗଡା ବିଜୁନଗରରେ ଥିବା ଭଡ଼ାଘର, ଲାଂଜିପଲ୍ଲୀ ବ୍ରହ୍ମପୁରରେ ଥିବା ସଂପର୍କୀୟଙ୍କ ଘର, ଝାରସୁଗୁଡା ଆରଟିଓ ଅଫିସରେ ଚଢଉ କରିଥିଲା। ଭିଜିଲାନ୍ସର ୬ଟି ଟିମରେ ୩ଜଣ ଡିଏସପି, ୧୦ ଜଣ ଇନସପେକ୍ଟର ଚଢଉରେ ସାମିଲ ଥିଲେ। ଶ୍ରୀ ନାୟକଙ୍କର ମଙ୍ଗଳାବାଗ, ଫ୍ରେଣ୍ଡସ କଲୋନିରେ ୬୧.୪ଲକ୍ଷ ଟଙ୍କା ମୂଲ୍ୟର ଦୁଇ ମହଲା କୋଠା, ମାଲୁଦରେ ଥିବା ୭୦ଲକ୍ଷ ଟଙ୍କାର ଦୁଇ ମହଲା କୋଠା, ରାମନଗର, କମ‌ାପଲ୍ଲୀରେ ଥିବା ୩୭.୯୯ ଲକ୍ଷ ଟଙ୍କାର ଘର, ୫ଟି ପ୍ଲଟ୍‌, କଟକରେ ଦୁଇଟି ପ୍ଲଟ୍, ବ୍ରହ୍ମପୁରର ୧ଟି ପ୍ଲଟ, କୃଷ୍ଣପ୍ରସାଦରେ ୨ଟି ପ୍ଲଟ ରହିଥିବା ଜଣା ପଡିଛି। ଏଥି ସହିତ ୧୮.୧୨ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୪.୪୬ ଲକ୍ଷ ନଗଦ ଟଙ୍କା, ୯.୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର, ୪ଟି ଦୁଇ ଚକିଆ ଗାଡି ଜବତ କରାଯାଇଛି। ଚଢଉ ଜାରି ରହିଥିବା ଭିଜିଲାନସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର