ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ମଇଁଷି ପଶିଯିବାରୁ ଦୁର୍ଘଟଣା, ୨୦୦ ଯାତ୍ରୀ ଟ୍ରେନରେ ଥିଲେ

ଘଟଣା ସ୍ଥଳରେ ଡିଆରଏମ, ସମ୍ବଲପୁର ପଟୁ ଯିବାକୁ ଥିବା ମେମୁ ଟ୍ରେନ ବାତିଲ

ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ (୦୮୧୬୯) ଟ୍ରେନ ସଂଧ୍ୟାରେ ସଂକର୍ମା ଲାଇନ୍‌ଚ୍ୟୁତ ହୋଇଛି। ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ସମୟରେ ଟ୍ରେନ ଭିତରକୁ ଏକ ମଇଁଷି ପଶିଯିବାରୁ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ମଇଁଷିର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ରେଳ ବିଭାଗ ଡିଆରଏମ ବିନିତ ସିଂ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଆଜି ସଂଧ୍ୟା ପାଖାପାଖି ୬ଟା୨୫ ମି. ସମୟରେ ଟ୍ରେନ୍‌ ଝାରସୁଗୁଡ଼ା ପଟରୁ ସମ୍ବଲପୁରକୁ ଆସୁଥିବା ସମୟରେ ଏକ ମଇଁଷିକୁ ଧକ୍କା ଦେଇଥିଲା। ଡିଆରଏମଙ୍କ ସୂଚନା ଅନୁସାରେ, ଟ୍ରେନ୍‌ରେ ପ୍ରାୟ ୨ଶହ ଯାତ୍ରୀ ଯାତ୍ରା କରିଥିବାବେଳେ ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ରେଳ ବିଭାଗ ଟିମ୍‌ ପହଞ୍ଚିବା ପୂର୍ବରୁ ବହୁ ଯାତ୍ରୀ ନିଜ ନିଜ ବ୍ୟବସ୍ଥାରେ ଘରକୁ ଚାଲିଯାଇଥିଲେ। ତେବେ ଏହାର ତଦନ୍ତ ଚାଲିଥିବା ଡିଆରଏମ କହିଛନ୍ତି। ଟ୍ରେନ ଲାଇନଚ୍ୟୁତ ହେବାରୁ ସମ୍ବଲପୁର ପଟରୁ ଝାରସୁଗୁଡ଼ାକୁ ଯିବାକୁ ଥିବା ମେମୁ ଟ୍ରେନକୁ ଆଜି ବାତିଲ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ବଗିକୁ ଲାଇନ ଉପରୁ ଉଠାଇଯାଇଥିଲା। ଘଟଣାସ୍ଥଳରେ ଡିଆରଏମଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବଗିକୁ ଟ୍ରାକରୁ ହଟାଇବା କାର୍ଯ୍ୟ ଚାଲିଥିଲା।

ସମ୍ବନ୍ଧିତ ଖବର