ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ (୦୮୧୬୯) ଟ୍ରେନ ସଂଧ୍ୟାରେ ସଂକର୍ମା ଲାଇନ୍‌ଚ୍ୟୁତ ହୋଇଛି। ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ସମୟରେ ଟ୍ରେନ ଭିତରକୁ ଏକ ମଇଁଷି ପଶିଯିବାରୁ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ମଇଁଷିର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ରେଳ ବିଭାଗ ଡିଆରଏମ ବିନିତ ସିଂ ସୂଚନା ଦେଇଛନ୍ତି।

Advertisment

ଘଟଣାରୁ ପ୍ରକାଶ ଯେ, ଆଜି ସଂଧ୍ୟା ପାଖାପାଖି ୬ଟା୨୫ ମି. ସମୟରେ ଟ୍ରେନ୍‌ ଝାରସୁଗୁଡ଼ା ପଟରୁ ସମ୍ବଲପୁରକୁ ଆସୁଥିବା ସମୟରେ ଏକ ମଇଁଷିକୁ ଧକ୍କା ଦେଇଥିଲା। ଟେନ୍‌ ଚାଳକ ବ୍ରେକ୍‌ ଦଉ ଦଉ ମଇଁଷି ୪ ନଂ ବଗି ଯାଏ ଚାଲିଯାଇଥିଲା। ଏହପାରେ ୪ନଂ ବଗିଟି ଲାଇନ୍‌ଚ୍ୟୁତ ହୋଇଥିଲା। ଡିଆରଏମଙ୍କ ସୂଚନା ଅନୁସାରେ, ଟ୍ରେନ୍‌ରେ ପ୍ରାୟ ୨ଶହ ଯାତ୍ରୀ ଯାତ୍ରା କରିଥିବାବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ। ରେଳ ବିଭାଗ ଟିମ୍‌ ପହଞ୍ଚିବା ପୂର୍ବରୁ ବହୁ ଯାତ୍ରୀ ନିଜ ନିଜ ବ୍ୟବସ୍ଥାରେ ଘରକୁ ଚାଲିଯାଇଥିଲେ। ତେବେ ଏହାର ତଦନ୍ତ ଚାଲିଥିବା ଡିଆରଏମ କହିଛନ୍ତି।

ଟ୍ରେନ ଲାଇନଚ୍ୟୁତ ହେବାରୁ ସମ୍ବଲପୁର ପଟରୁ ଝାରସୁଗୁଡ଼ାକୁ ଯିବାକୁ ଥିବା ମେମୁ ଟ୍ରେନକୁ ଆଜି ବାତିଲ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ବଗିକୁ ଲାଇନ ଉପରୁ ଉଠାଇଯାଇଥିଲା। ଟ୍ରାକରେ କଣ ସବୁ କ୍ଷତି ହୋଇଛି ତାହାର ଯାଞ୍ଚ ଚାଲିଛି। ଘଟଣାସ୍ଥଳରେ ଡିଆରଏମଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବଗିକୁ ଟ୍ରାକରୁ ହଟାଇବା କାର୍ଯ୍ୟ ଚାଲିଥିଲା। ଘଟଣାସ୍ଥଳକୁ ଉଦ୍ଧାରକାରୀ ଟେନ୍‌ ପହଞ୍ଚିବା ସହ ସମ୍ବଲପୁର ପୁଲିସର ବରିଷ୍ଠ ଅଧିକାରୀମାନେ ଯାଇ ଉପସ୍ଥିତ ଥିଲେ।