ଝାରସୁଗୁଡ଼ା, ସୋନପୁର ଦେଶରେ ଉତ୍ତପ୍ତ: ୪୪ ଡିଗ୍ରି ଛୁଇଁଲା ଝାରସୁଗୁଡ଼ା, ୧୨ ସହର ୪୦ଡିଗ୍ରି ପାର୍‌

ଦିଲ୍ଲୀରେ ପ୍ରବଳ ଗରମ, ପାରଦ ୪୯ ଟପିଲା

alalamtv.net

ଭୁବନେଶ୍ବର: ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା। ଚଳିତ ଗ୍ରୀଷ୍ମ ସମୟରେ ପ୍ରଥମ ଥର ଲାଗି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୪୪ ଡିଗ୍ରିରେ ପହଞ୍ଚିଛି। ଏଥିସହ ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ପରିଗଣିତ ହୋଇଛି। ସୋନପୁର ମଧ୍ୟ ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଏପ୍ରିଲ ପ୍ରଥମ ସପ୍ତାହରେ ଟିଟିଲାଗଡ଼ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ଝାରସୁଗୁଡ଼ା ଓ ସୋନପୁର ଆଜି ସବୁ ରେକର୍ଡ ଭାଙ୍ଗିଛନ୍ତି। କେବଳ ଝାରସୁଗୁଡ଼ା କି ସୋନପୁର ନୁହେଁ, ରାଜ୍ୟର ୧୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଡେଇଁଯାଇଛି। ଦେଶର ଦ୍ବିତୀୟ ଉତ୍ତପ୍ତ ସହର ସୋନପୁରରେ ୪୩.୯ ଡିଗ୍ରି ରେକର୍ଡ‌ ‌କରାଯାଇଥିବା ବେଳେ ବଲାଙ୍ଗୀରରେ ୪୩.୨, ଟିଟିଲାଗଡ଼ରେ ୪୩, ଅନୁଗୁଳରେ ୪୨.୬, ବୌଦ୍ଧରେ ୪୨, ସମ୍ବଲପୁର ଓ ତାଳଚେରରେ ୪୧.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୧.୫, ପାରଳାଖେମୁଣ୍ଡିରେ ୪୦.୫, ହୀରାକୁଦରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି। ବାଲେଶ୍ବରରେ ୩୯.୮, ଚାନ୍ଦବାଲି, ଭଦ୍ରକ ଓ ନୟାଗଡ଼ରେ ୩୯ ଡିଗ୍ରି ରହିଥିଲା। ଗୋଟିଏ ଦିନରେ ରାଜ୍ୟର ଅଧାରୁ ଅଧିକ ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି ଚଳିତବର୍ଷ ରାଜ୍ୟର ପ୍ରଥମ ଘଟଣା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ ଆକଳନ ହେଉଛି ‌ଯେ ଏଭଳି ଗ୍ରୀଷ୍ମ ପ୍ରବାହ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଅଧିକ ରହିବ। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ରଜ୍ୟର ଆଉ କିଛି ଜିଲ୍ଲାରେ କାଳ‌ବୈଶାଖୀ ଜନିତ ବର୍ଷା ଲାଗିରହିବ। ତେଣୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟ‌ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବା ସହ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହୁଥିବାରୁ ସର୍ବାଧିକ ତାପମାତ୍ରା କମ୍‌ ରହୁଛି। ମାତ୍ର ଗୁରୁବାରଠାରୁ ରାଜ୍ୟକୁ ଉତ୍ତର ପଶ୍ଚିମା ଗରମ ପବନ ସିଧା ପ୍ରଭାବିତ ହେବା ସହ ତାପମାତ୍ରା ବଢ଼ିବ। ୧୮ ତାରିଖଠାରୁ ପୁଣିଥରେ ଉପକୂଳରେ ସାମୁଦ୍ରିକ ପବନ ବହିବା‌ ଯୋଗୁଁ ଗରମ କିଛି ମାତ୍ରାରେ କମିବ। ୧୫ ଓ ୧୬ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିପାରେ। ୧୮, ୧୯ ତାରିଖ ‌ବେଳକୁ ପୁଣିଥରେ ୩୭ ଡିଗ୍ରିକୁ ଖସି ଆସିବ। ୧୯ରୁ ୨୧ ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ଏବଂ ୨୨ରୁ ପୁଣି ଗରମ ବଢ଼ିବ। ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଗରମ ହେବ। ୧୮ ଓ ୧୯ ତାରିଖରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ରହିପାରେ। ଅଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇ ୧୭ ତାରିଖରେ ସବୁଠାରୁ ଅଧିକ ରହିବ। ୧୮ରେ ସାମାନ୍ୟ କମିବ। ୨୧ରେ କୁଆପଥର ବର୍ଷା‌ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe