ଝାରସୁଗୁଡ଼ା: ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍ଡାଉନ୍ ଲାଗୁ ହେବା ଫଳରେ ଝାରସୁଗୁଡ଼ାର ଶତାଧିକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସି ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ କୋଚିଂ ନେଉଥିଲେ। ତେବେ ଲକ୍ଡାଉନ୍ ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଥିବା ବେଳେ ସେଠାରୁ ଫେରିବାର କୌଣସି ଉପାୟ ନଥିଲା।
ଏଭଳି ପରିସ୍ଥିତିରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଏଠାରେ ପଢ଼ୁଥିବା ୬୫ ଜଣ ଛାତ୍ରଛାତ୍ରୀଙ୍କୁ କୋଟାରୁ ଝାରସୁଗୁଡ଼ା ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଯାଇଥିବା ବେଳେ ଶୁକ୍ରବାର ସକାଳେ ଦୁଇଟି ବସ୍ ଯୋଗେ ଏହି ଛାତ୍ରଛାତ୍ରୀ କୋଟାରୁ ଝାରସୁଗୁଡ଼ା ଅଭିମୁଖେ ବାହାରୁ ଥିବା ଜଣାଯାଇଛି।
ଏଥିପାଇଁ ବସ୍ ଭଡ଼ା ଓ ରାସ୍ତାରେ ଛାତ୍ରଛାତ୍ରୀମାନଙ୍କ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା ଶ୍ରୀ ଦାସ ନିଜେ ତୁଲାଇଛନ୍ତି। ଏହି ଛାତ୍ରଛାତ୍ରୀ ଏଠାରେ ପହଞ୍ଚିବା ପରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ କ୍ବାରେଣ୍ଟାଇନରେ ରଖାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।