ଝାରସୁଗୁଡ଼ା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି | ମୃତକ ଦୁଇଜଣ ହେଲେ ପିଙ୍କି ବିଶ୍ବାଳ ଓ ପୁଷ୍ପାବତୀ ବିଶ୍ବାଳ। ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଗତକାଲି ଶ୍ରୀକାନ୍ତ ବିଶ୍ୱାଳଙ୍କର ବି ମୃତ୍ୟୁ ଘଟିଥିଲା। ସେ ପରିବାରର ବଡ଼ ଭାଇ ବୋଲି ଜଣାପଡ଼ିଛି | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |
ସୂଚନାଯୋଗ୍ୟ, ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ |
ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ | ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା | ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା | ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ |
ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ | ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ | ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ | ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା | ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ | ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ |