ଝାରସୁଗୁଡ଼ାରୁ କୋଲକାତା ସିଧାସଳଖ ବିମାନସେବା ଆରମ୍ଭ, ୩୧ରୁ ବାରଣାସୀକୁ ଉଡ଼ିବ ବିମାନ

ଝାରସୁଗୁଡ଼ା : ଏଲାୟନ୍ସ ଏୟାର ପକ୍ଷରୁ କୋଲକାତାରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ  ଉଡାନ ୩ ସ୍କିମ୍‌ରେ ନିୟମିତ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ଏହି ବିମାନ ଚଳାଚଳ କରିବାକୁ ଥିବା ବେଳେ ୨୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବିମାନ କୋଲକାତାରୁ  ଦିନ ୧୧.୪୫ରେ ବାହାରି ଅପରାହ୍‌ଣ ୧.୧୫ରେ ଝାରସୁଗୁଡ଼ାରେ ପହଞ୍ଚିବ। ପୁଣି ଝାରସୁଗୁଡ଼ରୁ ଅପରାହ୍ଣ ୧.୪୫ରେ ବାହାରି ୩.୧୫ରେ କୋଲକତା‌ରେ ପହଞ୍ଚିବ। ୩୧ ତାରିଖଠାରୁ  ଏହି ସମୟରେ ପରିବର୍ତ୍ତନ ହେବ ବୋଲି ଏଲାୟନ୍ସ ଏୟାର୍‌ର ଷ୍ଟେସନ୍‌ ‌ମ୍ୟାନେଜର୍‌ ଅଭିଜିତ ଶତପଥୀ ପୂର୍ବରୁ ସୂଚନା ପ୍ରଦାନ କରି ସାରିଛନ୍ତି।

ଆଜି ପ୍ରଥମ ଦିନରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ କୋଲକାତାରୁ ଝାରସୁଗୁଡ଼ାକୁ ଆସିଥିବା ବେଳେ ଝାରସୁଗୁଡ଼ାରୁ କୋଲକାତାକୁ ୨୫ ଜଣ ଯାତ୍ରା କରିଛନ୍ତି। ପୁର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିମାନଟି ଝାରସୁଗୁଡ଼ାକୁ ଅପରାହ୍‌ଣ ୧.୧୫ରେ ପହଞ୍ଚିବାକୁ ଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ୧୨.୫୦ ରେ ପହଞ୍ଚିଥିଲା। ଏହାପରେ ନିର୍ଦ୍ଧାରିତ ସମୟର ପୂର୍ବରୁ  ୧.୨୫ରେ ଛାଡ଼ିଥିଲା। ‌ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଝାରସୁଗୁଡ଼ାରୁ କୋଲକାତାକୁ ରାତ୍ର ୮ ଟା ୪୦ରେ ବିମାନ ସେବା ପୂର୍ବରୁ ଯୋଗାଇ ଦେଇ ଆସୁଥିବା ବେଳେ ଆଜିଠାରୁ  ଏଲାୟନ୍ସ ଏୟ‌ାର ମଧ୍ୟ କୋଲକାତା ବିମାନସେବା ଆରମ୍ଭ କରିଛି।  ୩୧ ତାରିଖଠାରୁ ଏଲାୟନ୍ସ ବିମାନ ଝାରସୁଗୁଡ଼ାରୁ ଭୁବନେଶ୍ବର ଦେଇ ବନାରସ ପର୍ଯ୍ୟନ୍ତ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଜାନୁ୍ଆରି ୩୧ରୁ ଏଲାୟନ୍ସ ଏୟାର ତାର ନୂଆ ସମୟ ସାରଣୀ ଆରମ୍ଭ କରିଛି। ଏଥିରେ ୯୧-୭୪୫ ବିମାନ କୋଲକାତାରୁ ସକାଳ ୫.୫୦ରେ ବାହାରି ଝାରସୁଗୁଡ଼ାରେ ୭.୨୦ରେ ପହଞ୍ଚିବ, ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୯) ୭.୪୫ ରେ ବାହାରି ରାୟପୁର ଅଭିମୁଖେ ଯାଇ ସେଠାରେ ୮.୫୦ରେ ପହଞ୍ଚିବ। ରାୟପୁରରୁ ପୁଣି ଏହି ବିମାନ(୯୧-୭୫୦) ୯.୧୫ରେ ଝାରସୁଗୁଡ଼ା ଅଭିମୁଖେ ଆସି ୧୦.୨୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୭) ୧୦. ୪୫ରେ ଭୁବନେଶ୍ବର ଅଭିମୁଖେ ଯାଇ ୧୧.୫୦ରେ ପହଞ୍ଚିବ। ଭୁ‌ବନେଶ୍ବରଠାରୁ ପୁଣି ଏହି ବିମାନ ୧୨.୧୫ରେ ବାରଣାସୀ ଅଭିମୁଖେ ଯାଇ ଅପରାହ୍‌ଣ ୨.୦୫ରେ ପହଞ୍ଚିବ। ବାରଣାସୀରୁ ଏହି ବିମାନ (୯୧-୭୪୮) ଅପରାହ୍‌ଣ ୨.୩୦ ରେ ଭୁବନେଶ୍ବର ଅଭିମୁଖେ ବାହାରି ଅପରାହ୍‌ଣ ୪.୨୦ରେ ପହଞ୍ଚିବ। ଭୁବନେଶ୍ବର ଏହି ବିମାନ(୯୧- ୭୪୮) ଅପରାହ୍‌ଣ ୪.୪୫  ଝାରସୁଗୁଡ଼ା ଅଭିମୁଖେ ବାହାରି ସନ୍ଧ୍ୟା ୫.୫୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ଏହି ବିମାନ( ୯୧- ୭୪୬) ପୁଣି ସନ୍ଧ୍ୟା ୬.୧୫ରେ କୋଲକାତା ଅଭିମୁଖେ ଯାଇ ସେଠାରେ ସନ୍ଧ୍ୟା‌ ୭.୪୫ରେ ପହଞ୍ଚିବ।

ସମ୍ବନ୍ଧିତ ଖବର