ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋର୍‌ସୋରରେ ପ୍ରଚାର ଜାରି ରହିଛି। ସକାଳ ୭ଟାରୁ ନେଇ ରାତି ୧୦ଟା ଯାଏ ୩ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଗାଡ଼ି ନିର୍ବାଚନମଣ୍ଡଳୀର ପ୍ରତିଟି ପଡ଼ା, କଲୋନି ଓ ଗାଁ ବୁଲୁଛି। ପ୍ରତି ନିର୍ଦ୍ଧିଷ୍ଟ କିଛି ଟ୍ରେଣ୍ଡିଂ ଆଞ୍ଚଳିକ ଗୀତର ଲିରିକ୍ସରେ ଦଳୀୟ ଗୀତ ମିଶାଇ ପ୍ରଚାର କରୁଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଲେ ଲେ ଲେ ବଉଲ, ଏକଡ଼ା ଏକଡ଼ା, ରଙ୍ଗବତୀ’ ଆଦି ତାଳରେ ତିଆରି ଗୀତ ସହରରେ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି।

Advertisment

କେଉଁ ଦଳ ସମ୍ବଲପୁରୀ ତ ଆଉ କେଉଁ ଦଳ ଓଡ଼ିଆ ଗୀତ ଉପରେ ଫୋକସ୍‌ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଗାଁ ଗାଁରେ ଚା’ ଖଟିରୁ ନେଇ ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନ ପ୍ରସ୍ତୁତି ସଭା ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ପ୍ରତି ଗାଁରେ ଜଣେ ଲେଖାଏ ବରିଷ୍ଠ ନେତା ପହଞ୍ଚି କର୍ମୀଙ୍କୁ ସଂଗଠିତ କରିବ‌ାରେ ଲାଗିଛନ୍ତି। ସେପଟେ, ସହରରେ ବି ନିର୍ବାଚନ ସଭା ଓ ସମ୍ମିଳନୀ କରି ଭୋଟ୍‌ ମାଗୁଛନ୍ତି ବିଜେଡି ପ୍ରାର୍ଥୀ। ବିଜେପିର ବଡ଼ବଡ଼ିଆ ନେତା ବି ଝାରସୁଗୁଡ଼ାରେ ଡେରା ପକାଇଲେଣି। ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜେ ଗାଁ ଗାଁ ବୁଲି ଭୋଟ୍‌ ମାଗୁଥିବା ବେଳେ ଦଳୀୟ ନେତା ବିଭିନ୍ନ ସ୍ଥାନରେ କର୍ମୀଙ୍କୁ ଏକଜୁଟ୍‌ କରିବାରେ ଲାଗି ପଡ଼ିଲେଣି। ଆଜିଠୁ କଂଗ୍ରେସ ବି ଗାଁ ଗାଁରେ ସଭା ସମିତିର ଆୟୋଜନ କରୁଥିବା ବେଳେ ପ୍ରାର୍ଥୀ ତରୁଣ ପାଣ୍ଡେ ସହରର ଘର ଘର ବୁଲି ଭୋଟ୍‌ ମାଗୁଥିବା ଦେଖିବାକୁ ମିଳିଛି।